ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବିଗତ କିଛି ବର୍ଷ ଭିତରେ ଓଲିଉଡରେ ଏଣ୍ଟ୍ରି ନେଇଛନ୍ତି ଅନେକ ନାୟିକା। ହେଲେ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଗୋଟିଏ ସିନେମା ପରେ ଆଉ ବଡ଼ପରଦାରେ ଭେଟି ନାହାନ୍ତି ଦର୍ଶକ। ଆସନ୍ତୁ ଏଇ କିଛି ଭିତରେ ଏଭଳି ଯେଉଁ ଓଡ଼ିଆ ନାୟିକାଙ୍କ କ୍ଷେତ୍ରରେ ଘଟିଛି, ସେମାନଙ୍କ ବିଷୟରେ ଜାଣିବା…

ନିହାରିକା ଦାଶ

୨୦୧୬ରେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ତୁ କହିବୁ ନା ମୁଁ’ ଜରିଆରେ ଓଲିଉଡରେ ଏଣ୍ଟ୍ରି ନେଇଥିଲେ ଜଣେ ନବାଗତା ନାୟିକା। ଯାହାଙ୍କ ନାମ ହେଲା ନିହାରିକା ଦାଶ। ସେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ରିଆଲିଟି ଶୋ’ ‘କିଏ ହେବ ମୋ’ ହିରୋଇନ’ରେ ବିଜୟିନୀ ହୋଇଥିଲେ।

ତା’ପରେ ତାଙ୍କୁ ଅମ୍ଳାନଙ୍କ ବିପକ୍ଷରେ ‘ତୁ କହିବୁ ନା ମୁଁ’ ସିନେମା ପାଇଁ ଚୁକ୍ତିବଦ୍ଧ କରାଯାଇଥିଲା। ଏହି ଫିଲ୍ମ ରିଲିଜ୍ ହେବା ପରେ ନିହାରିକା ବେଶ୍ ଚର୍ଚ୍ଚା ସାଉଁଟି ଥିଲେ। ଆଶା କରାଯାଉଥିଲା, ନିହାରିକାଙ୍କୁ ଆହୁରି କେତେକ ସିନେମାରେ ଦେଖିବାକୁ ମିଳିବ। ହେଲେ ଏଯାବତ୍‌ ସେଭଳି  ଘଟିନାହିଁ। ପାଖାପାଖି ଦୁଇ ବର୍ଷ ହେବ ସେ ଓ୍ବାନ୍ ଫିଲ୍ମ ଓଣ୍ଡର ହୋଇ ରହିଛନ୍ତି। ନିହାରିକା ନିଜର ପାଠପଢ଼ାରେ ବ୍ୟସ୍ତ ଥିବା ହେତୁ ନୂଆ ଫିଲ୍ମରେ କାମ କରୁନଥିବା କୁହାଯାଉଛି।

ଶ୍ରୁତି

ଲୋକନାଥ ବାରିକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମୋ ଦିଲ୍ କହେ ଇଲୁଇଲୁ’ (୨୦୧୬)ରେ ଜଣେ ନବାଗତ ନାୟକଙ୍କ ସହ ଜଣେ ନବାଗତାଙ୍କୁ ନାୟିକାଙ୍କୁ ଦେଖିବାକୁ ମିଳିଥିଲା ଲିଡ୍ ରୋଲ୍‌ରେ। ଏଥିରେ ଯେଉଁ ନବାଗତା ନାୟିକାଙ୍କର ଆବିର୍ଭାବ ଘଟିଥିଲା, ସେ ହେଲେ ଶ୍ରୁତି ଓରଫ ଶ୍ରୁତି ଦାସ ମହାପାତ୍ର। ପ୍ରଥମ ସିନେମାରେ ଡବଲ୍ ରୋଲ୍ ନିଭାଇଥିବା ଶ୍ରୁତି ଆଗାମୀ ଦିନରେ ଜଣେ ନାୟିକା ଭାବେ ଓଲିଉଡରେ ପ୍ରତିଷ୍ଠିତ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଗୋଟିଏ ସିନେମା ପରେ ତାଙ୍କୁ ଆଉ ଦେଖିବାକୁ ମିଳିନାହିଁ, ଅନ୍ୟ କୌଣସି ଓଡ଼ିଆ ଛବିରେ।

ଉତ୍କଣ୍ଠା

୨୦୧୩ରେ ରିଲିଜ୍‌ ହୋଇଥିବା ସାରଥୀ ପ୍ରଡକ୍ସନର ପ୍ରଥମ ଓଡ଼ିଆ ସିନେମା ‘ବ୍ୟାଚେଲର୍’ରେ ନାୟକ ଅଖିଳ ପଟ୍ଟନାୟକଙ୍କ ବିପକ୍ଷରେ ଜଣେ ନବାଗତା ନଜର ଆସିଥିଲେ। ସେ ହେଲେ ଉତ୍କଣ୍ଠା। ପ୍ରଥମ ସିନେମାରେ ଜବରଦସ୍ତ ଅଙ୍ଗପ୍ରଦର୍ଶନ ସାଙ୍ଗକୁ ପ୍ରଭାବଶାଳୀ ଅଭିନୟ କରି ଉତ୍କଣ୍ଠା ଚର୍ଚ୍ଚିତା ହୋଇଥିଲେ। ହେଲେ ପ୍ରାୟ ୫ ବର୍ଷ ହେବ ଉତ୍କଣ୍ଠା ବଡ଼ ପରଦାକୁ ଫେରିର ନାହାନ୍ତି।

 

ନୂତନ

କେ. ମୁରଲୀକ୍ରିଷ୍ଣାଙ୍କ ନିର୍ଦ୍ଦେଶିତ ‘ଚଉକା ଛକା’ରେ ଜଣେ ନବାଗତା ନାୟିକାଙ୍କର ଏଣ୍ଟ୍ରି ହୋଇଥିଲା ଓଲିଉଡ୍‌ରେ। ସେ ହେଲେ ନୂତନ। ସେ ‘ଚଉକା ଛକା’ ଫିଲ୍ମରେ ସମ୍ବିତଙ୍କ ଅପୋଜିଟ୍‌ରେ ଦେଖା ଦେଇଥିଲେ। ଏଥିରେ ତାଙ୍କ ଅଭିନୟ ବି ମନ୍ଦ ନଥିଲା। ହେଲେ ସେ ୨ୟ ଓଡ଼ିଆ ସିନେମାରେ କାମ କରିନାହାନ୍ତି। ଏହା ଅବଶ୍ୟ ଭିନ୍ନ କଥା ଯେ ଛୋଟ ପରଦାରେ ପ୍ରସାରିତ ଏକ ମେଗା ଧାରାବାହିକରେ ଅଭିନୟ କରିଥିଲେ। ‘ଚଉକାଛକା’ରେ ପପୁ ପମ୍‌ପମ୍‌ ଓ ଲଭ୍‌ଲି ବି ଥିଲେ ଲିଡ ରୋଲ୍‌ରେ।

 

କୁନମୁନ୍‌

ପ୍ରାୟ ଚାରି ବର୍ଷ ହେବ ଆଉ ଜଣେ ନବାଗତ ନାୟିକାଙ୍କୁ ବି ପ୍ରଥମେ ସିନେମା ପରେ ଅନ୍ୟ କୌଣସି ଓଡ଼ିଆ ଛବିରେ ଦେଖିବାକୁ ପାଇନାହାନ୍ତି ସିନେ ପ୍ରେମୀ। ଏଠାରେ ଯେଉଁ ନାୟିକାଙ୍କ କଥା କୁହାଯାଉଛି, ସେ ହେଲେ କୁନମୁନ୍‌। ସେ ଓଡ଼ିଆ ଛବି ‘କିଡନାପ୍‌’ରେ ନାୟିକା ଭୂମିକାରେ ଅଭିନୟ କରିଥିଲେ। କୁନ୍‌ମୁନ୍‌ ୱାନ୍‌ ଫିଲ୍ମ ଓଣ୍ଡର ବନିଯାଇଛନ୍ତି।

ଅନନ୍ୟା

ଚତୁର୍ଭୁଜ ଫିଲ୍ମସ ବ୍ୟାନରରେ ନିର୍ମିତ ତଥା ରମେଶ ରାଉତଙ୍କ ନିର୍ଦ୍ଦେଶିତ ‘ଗଡ଼ଫାଦର’ ଛବିରେ ପ୍ରଥମଥର ପାଇଁ ନାୟିକା ଭୂମିକାରେ ନଜର ଆସିଥିଲେ ଅନନ୍ୟା। ହେଲେ ଏହା ପରେ ତାଙ୍କୁ ଅନ୍ୟ କୌଣସି ଓଡ଼ିଆ ଛବିରେ ଏଯାବତ୍‌ ନାୟିକା ଭୂମିକାରେ ଦେଖା ଦେଇନାହାନ୍ତି। ଅବଶ୍ୟ ସେ ‘ବଜରଙ୍ଗୀ’ ଫିଲ୍ମରେ (ଏ ଫର୍ ଆପୁଲ୍‌…) ଆଇଟମ୍‌ ନମ୍ବରରେ ଧମାଲ୍‌ କରିଥିଲେ।

ଶ୍ରଦ୍ଧା

ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘ମିଠାମିଠା’ରେ ଯେଉଁ ଦୁଇ ନବାଗତା ନାୟିକାଙ୍କର ଏଣ୍ଟ୍ରି ହୋଇଥିଲା, ସେମାନଙ୍କ ମଧ୍ୟରୁ ଜଣେ ହେଲେ ଶ୍ରଦ୍ଧା। ଏଥିରେ ନବାଗତ ରାଜେଶଙ୍କ ବିପକ୍ଷରେ ଦେଖାଦେଇଥିଲେ ଏହି ନବାଗତା ନାୟିକା। ଏହା ପରେ ଶ୍ରଦ୍ଧା ଆଉ ନୂଆ ସିନେମାରେ କାମ କରିନାହାନ୍ତି। ତେବେ ଶ୍ରଦ୍ଧା ତରଙ୍ଗ ଚ୍ୟାନେଲରେ ପ୍ରସାରିତ ‘ଆମ ଘର ଲକ୍ଷ୍ମୀ’ ମେଗା ଧାରାବାହିକରେ ଫିମେଲ ଲିଡରେ ନଜର ଆସୁଛନ୍ତି।

ନମ୍ରତା

୨୦୧୭ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଆଖି ଖୋଲିଲେ ତୁ ହି ତୁ’ରେ ଜଣେ ନବାଗତା ନାୟିକା ନମ୍ରତାଙ୍କୁ ଦେଖିବାକୁ ଯାଇଥିଲେ ଦର୍ଶକ। ହେଲେ ତାଙ୍କୁ ଏଯାବତ୍ ଅନ୍ୟ କୌଣସି ସିନେମାରେ ଦେଖିନାହାନ୍ତି ସିନେପ୍ରେମୀ।

Comment