କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

କେନ୍ଦ୍ରାପଡ଼ା ଜିଲ୍ଲାର ଧାନ ଚାଷୀମାନଙ୍କ ଉପରେ ପ୍ରକୃତିର ଦାଉ। ଜମିରୁ ବର୍ଷା ପାଣି ନିଷ୍କାସିତ ହେଉ ନଥିବାରୁ ହଜାର ହଜାର ହେକ୍ଟର ଜମିରେ ଧାନ ଗଛ ବୁଡ଼ି ରହିଛି। ଜମିରେ ୫ରୁ ୭ ଫୁଟ ପାଣି ଲହଡ଼ି ଭାଙ୍ଗୁଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୬୮ ହଜାର ୯୨୪ ହେକ୍ଟର ଜମିରୁ ଧାନ ଉଜୁଡ଼ିଯିବା ଆଶଙ୍କା ରହିଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ଗତ ୫ ଓ ୬ ତାରିଖ ଦୁଇଦିନ ଧରି ହୋଇଥିଲା ପ୍ରବଳ ବର୍ଷା। ଜିଲ୍ଲାରେ ହାରାହାରି ବର୍ଷା ରେକର୍ଡ ହୋଇଥିଲା ୨୭୧.୭ ମିଲିମିଟର।  ଜିଲ୍ଲା ଜରୁରିକାଳୀନ ବିଭାଗର ତଥ୍ୟ ଅନୁସାରେ ସାଧାରଣତଃ ସେପ୍ଟେମ୍ବର ମାସରେ ମୋଟ ୨୩୭ ମିଲିମିଟର ବର୍ଷା ହେବା କଥା। ମାତ୍ର ଦୁଇ ଦିନର ବର୍ଷା ରେକର୍ଡ ଭାଙ୍ଗିଦେଇଛି। ଫଳରେ ସାରା ଜିଲ୍ଲା ବର୍ଷା ପାଣିରେ ବୁଡ଼ି ରହିଛି।

ଜମି ବାଡ଼ିରୁ ବର୍ଷା ପାଣି ଖସିବାର ନା ଧରୁନି। ବର୍ଷା ପାଣି ନଦୀରେ ପଡ଼ି ସମୁଦ୍ରକୁ ଚାଲି ଯାଏ। ହେଲେ ନଦୀରେ ବନ୍ୟା ପାଣି ଭରି ରହିଥିବାରୁ ବର୍ଷା ପାଣିକୁ ଟାଣିପାରୁନି।

ନଦୀରେ ଆସୁଥିବା ଜୁଆର ପାଣି ଭର୍ତ୍ତି ହୋଇ ରହିଥିବା ପାଟ ମଧ୍ୟକୁ ପ୍ରବେଶ କରିବାରୁ ବର୍ଷାପାଣି ଫୁଲି ଉଠୁଛି। ଫଳରେ ଜିଲ୍ଲାର ୬୮ ହଜାର ୯୨୪ ହେକ୍ଟର ଧାନ ଜମି ୪ ଦିନ ହେଲା ପାଣି ଭିତରେ ବୁଡ଼ି ରହିଛି।

ଜିଲ୍ଲା କୃଷି ବିଭାଗର ତଥ୍ୟ ଅନୁସାରେ କେନ୍ଦ୍ରାପଡ଼ା ବ୍ଲକର ୧୩ ହଜାର ୫୫୨ ହେକ୍ଟର, ଡେରାବିଶ ବ୍ଲକରେ ୬ ହଜାର ହେକ୍ଟର, ମାର୍ଶାଘାଇ ବ୍ଲକରେ ୩ ହଜାର ୫୪୯ ହେକ୍ଟର, ମହାକାଳପଡ଼ା ବ୍ଲକରେ ୮ ହଜାର ୨୭୦ ହେକ୍ଟର, ଗରଦପୁର ବ୍ଲକରେ ୧ ହଜାର ୫୭୫ ହେକ୍ଟର, ପଟ୍ଟାମୁଣ୍ଡାଇ ବ୍ଲକରେ ୮ ହଜାର ୧୪୮ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।

ଆଳି ବ୍ଲକରେ ୬ ହଜାର ୨୫୦ ହେକ୍ଟର, ରାଜକନିକା ବ୍ଲକରେ ୯ ହଜାର ୬୦୦ ହେକ୍ଟର ଓ ରାଜନଗର ବ୍ଲକରେ ୧୧ ହଜାର ୯୮୦ହେକ୍ଟର ଧାନ ଗଛ ପାଣିରେ ବୁଡ଼ି ରହିଛି।

ଜିଲ୍ଲା କୃଷି ବିଭାଗ ଉପ-ନିର୍ଦ୍ଦେଶକଙ୍କ କହିବା ଅନୁସାରେ ୪ ଦିନ ଧରି ପାଣିରେ ବୁଡ଼ି ରହିଛି ଧାନଗଛ। ଧାନ ପତ୍ର ପଚିବା ଆରମ୍ଭ କଲାଣି। ଏବେ ଚାଷୀ ଅଧିକ ଅମଳକ୍ଷମ ଧାନ ଚାଷ କରି ଧାନ କ୍ଷେତରେ ରାସାୟନିକ ସାର ପ୍ରୟୋଗ କରିଥିଲେ। ସେଥିମଧ୍ୟରୁ ଅନେକ ଧାନର ଜଳ ପ୍ରତିରୋଧକ ଶକ୍ତି ବହୁତ କମ୍। ତେଣୁ ପାଣି ତଳେ ବୁଡ଼ି ରହିବାରୁ ଧାନ ଗଛ ସବୁ ପଚିଯିବାର ଆଶଙ୍କା ରହିଛି। ଯଦି ଏପରି ଆଉ ଦୁଇ ତିନି ଦିନ ବର୍ଷା ପାଣିରେ ଧାନ ଗଛ ବୁଡ଼ି ରହେ ତାହେଲେ ଶହେ ଭାଗ ଧାନ ପଚିଯିବ।

ଚାଷୀମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ ଡେରାବିଶ ବ୍ଲକର ମହେଶପୁର, ଅମ୍ବୁରା, କୁରୁଜଙ୍ଗା, ଉତ୍ତର ମନ୍ତ୍ରୀପଡ଼ା, ଅଠରପଡ଼ା, କାଉପଡ଼ା, କୁଶିଆପାଳ, ନୋଳସାହି , ନୁଆହାଟ ଓ ଚାଟରା ପାଟ ପାଣି ଭିତରେ ବୁଡ଼ି ରହିଛି।

କେନ୍ଦ୍ରାପଡ଼ା ବ୍ଲକର ବିଶିବିଲ ପାଟରେ ପ୍ରାୟ ୧୦ ହଜାର ହେକ୍ଟର ଧାନଜମି ପାଣିରେ ବୁଡ଼ି ରହିଛି। ମାର୍ଶାଘାଇ ବ୍ଲକର ଗହଗା ପାଟ, ବଉଦ ପାଟ ଓ ମିଳିମିଳା ପାଟରୁ ପାଣି ଖସୁନି। ଗରଦପୁର ବ୍ଲକର ନଡ଼ିଆବରାଇ ପାଟ, ସାନ ଅଢ଼ଙ୍ଗା ପାଟ ଓ ରାମଚନ୍ଦ୍ରପୁର ପାଟରେ ପାଣି ଭର୍ତ୍ତି ହୋଇ ରହିଛି। ମହାକାଳପଡ଼ା ବ୍ଲକର ବଉଦ ପାଟ, ପେଟଛେଲା ପାଟ, ବଉଳକଣି ପାଟ ୧୨ଶହ ଏକର ଓ ୮ଶହ ଏକର ପାଟରେ ବର୍ଷା ପାଣି ଭର୍ତ୍ତି ହୋଇରହିଛି।

ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ଉତିକଣ, ବୋଇତାଳୁ ପାଟ, ନରସିଂହପୁର, ଡିଆପଡ଼ା, ଚନ୍ଦନ ନଗର, ଚଉଦକୁଲାଟ, ବଡ଼ମୁଳବସନ୍ତ ଓ ପନ୍ତୁରୀ ପାଟରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।

ଆଳି ବ୍ଲକର ପାଞ୍ଚମାଣିଆ, ଗଡ଼ା, ଅମୃତମଣୋହି, ମଝିପଡ଼ିଆ, ଚାରିବାଟିଆ, ବାରାହା ବାଡ଼ିଆ, ପଦିଆଯୋରୀ, ବନ୍ଧମୁଣ୍ଡା, ମାଣିକପାଟଣା ଓ ନରେନ୍ଦ୍ରପୁର ପାଟ ବର୍ଷା ପାଣି ଘେରରେ ରହିଛି।

ରାଜନଗର ବ୍ଲକର ରଙ୍ଗଣି, ତାଳଚୁଆ, କେରୁଆପାଳ, ବାଘମାରୀ, ଇଶ୍ୱରପୁ, ଭଲଭଦ୍ରପୁର ଓ ପୁରୁଷୋତ୍ତମପୁର ପାଣି ଘେର ମଧ୍ୟରେ ରହିଛି । ସେହିପରି ରାଜକନିକା ବ୍ଲକର ଘଇତାମାରି ପାଟ, କାଏମା କାନପୁର, ବାରାହା କାଏମା ଓ ବଗଆଡି ପାଟରୁ ପାଣି ଖସିବା ନା ଧରୁନି।

ଚଳିତବର୍ଷ କେନ୍ଦ୍ରାପଡ଼ା ଜିଲ୍ଲାର ହଜାର ହଜାର ଚାଷୀ ପରିବାର ଚିନ୍ତାରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ତିଳୋତ୍ତମାଦେଇପୁର ଗାଁର ଧାନ ଚାଷୀ ଗୋବର୍ଦ୍ଧନ ଜେନାଙ୍କର ୧୫ ଏକର, କ୍ଷୀରୋଦ ସାମଲଙ୍କର ୧୦ ଏକର, ଦୋହରା ଗାଁର ଗୋବିନ୍ଦ ମଲ୍ଲିକଙ୍କର ୧୫ ଏକର, ବାରିମୁଳ ଗାଁର ଗୋପାଳ ମହାପାତ୍ରଙ୍କର ୧୬ ଏକର, ଗଣିଆମୁହଁ ଗାଁର ନିତ୍ୟାନନ୍ଦ ସ୍ୱାଇଁଙ୍କର ୧୭ ଏକର, ରାୟପୁର ଗାର ନାରାୟଣ ପରିଡ଼ାଙ୍କର ୧୨ ଏକର, ନାଗେଶ୍ୱରପୁର ଗାଁ ଦଇତାରୀ ପାତ୍ରଙ୍କର ୧୫ ଏକର ଧାନ ଜମି ପାଣିରେ ବୁଡ଼ି ରହିଥିବାରୁ ଲକ୍ଷାଧିକ ଟଙ୍କାର ଧାନ ଫସଲ ଉଜୁଡ଼ି ଯିବା ଆଶଙ୍କା ଦେଖାଦେଇଛି।

ଧାନ ଜମି ପାଣିରେ ବୁଡ଼ି ରହିଥିବାରୁ କେନ୍ଦ୍ରାପଡ଼ା ବ୍ଲକ ତ୍ରିଲୋଚନପୁର ଗାଁର କୈଳାଶ ପ୍ରଧାନ ନାମକ ଜଣେ ଚାଷୀ ଅଚେତ ହୋଇ ବିଶିବିଲ ପାଟ ମଧ୍ୟରେ ଥିବା ଏକ ଟାପୁ ଉପରେ ପଡ଼ି ଯାଇଥିଲେ। କେନ୍ଦ୍ରାପଡ଼ା ଦମକଳ ବିଭାଗ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଧାନ ଚାଷରେ ଚଢ଼ା ଦରରେ ମଜୁରୀ ଓ ମହଙ୍ଗା ଦରରେ ରାସାୟନିକ ସାର ଆଦି ଖର୍ଚ୍ଚ କରି ଧାନଚାଷ କରିଛି ଚାଷୀ। ସରକାର ସଠିକ ଭାବରେ ମୁଲ୍ୟାୟନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି ହେଉଛି। ନହେଲେ ଆଗକୁ ଅଘଟଣ ଘଟିବାର ଆଶଙ୍କା ରହିଛି।

Comment