ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସମ୍ପର୍କରେ ଏକଥା କ’ଣ ଆପଣ ଜାଣନ୍ତି କି ସେ ଦୁହେଁ ଏଯାଏଁ ଥରେ ମାତ୍ର ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। ଜାଣନ୍ତୁ କେଉଁ ସିନେମା ପାଇଁ ସେ ଦୁହେଁ ଏହି ଗୌରବ ଲାଭ କରିଛନ୍ତି…

ପ୍ରଥମ ସିନେମାରେ ଓଲିଉଡର ସୁପରଷ୍ଟାର ବନିଯାଇଥିଲେ ଅନୁଭବ ମହାନ୍ତି। ତାଙ୍କର ପ୍ରଥମ ଓଡ଼ିଆ ସିନେମା ହେଲା ୨୦୦୪ର ବ୍ଲକବଷ୍ଟର ସିନେମା ‘ଆଇ ଲଭ ୟୁ’ ଏହା ପରେ ଅନୁଭବ ଆଉ ପଛକୁ ଫେରି ଚାହିଁନାହାନ୍ତି।

‘ଆଇ ଲଭ ୟୁ’ ପରେ ଅନୁଭବଙ୍କୁ ସାଥୀରେ, ବର୍ଷା ମାଇଁ ଡାର୍ଲିଂ, ପ୍ରିୟା ମୋ ପ୍ରିୟା, ପ୍ରଥମ ପ୍ରେମ, ଅର୍ଜୁନ, ପ୍ରେମୀ ନମ୍ବର ୱାନ୍, ଟୋପାଏ ସିନ୍ଦୂର ଦି’ ଟୋପା ଲୁହ, ଥ୍ୟାଙ୍କ୍ ୟୁ ଭଗବାନ, ମହାନାୟକ, କାଳୀଶଙ୍କର, ତୋ’ ବିନା ମୋ’ କାହାଣୀ ଅଧା, ଧନରେ ରଖିବୁ ଶପଥ ମୋର, ଚୁପ୍ କିଏ ଆସୁଛି, ମତେ ତ ଲଭ୍‌ ହେଲାରେ, ଛାତି ଚିରି ଦେଲେ ତୁ, ମୁମ୍ନା- ଏ ଲଭ ଷ୍ଟୋରି, ନେଇ ଯା’ରେ ମେଘ ମତେ, ଆ’ ଜହ୍ନରେ ଲେଖିବା ନାଆଁ, ସୁନା ଚଢ଼େଇ ମୋ’ ରୂପା ଚଢ଼େଇ, ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଥିଲା।

୨୦୦୯ ଅନୁଭବଙ୍କ ଅଭିନୀତ ଏକ ଓଡ଼ିଆ ସିନେମା ରିଲିଜ୍‌ ହୋଇଥିଲା। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ଆକାଶେ କି ରଙ୍ଗ ଲାଗିଲା’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ୍‌, ଏଥିରେ ଅନୁଭବଙ୍କ ବିପକ୍ଷରେ ଅର୍ଚ୍ଚିତା ନାୟିକା ଭୂମିକା ନିଭାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବୁବୋଷ, ଅନୀତା ଦାସ ଓ ରାଲି ନନ୍ଦ ପ୍ରମୁଖ ଅଭିନୟ କରିଥିଲେ। ଏହି ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ। ଏହି ସିନେମାକୁ ମିଳିଥିଲା ବିପୁଳ ବ୍ୟାବସାୟିକ ସଫଳତା।

‘ଆକାଶେ କି ରଙ୍ଗ ଲାଗିଲା’ ହେଉଛି ଏମିତି ଏକ ଓଡ଼ିଆ ଛବି, ଯେଉଁଥିପାଇଁ ଅନୁଭବ ପ୍ରଥମ ଥର ଲାଗି ଶ୍ରେଷ୍ଠ ଅଭିନେତା ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛନ୍ତି। ପ୍ରାୟ ପାଞ୍ଚ ବର୍ଷ ପରେ ସେ ଏହି ପୁରସ୍କାର ପାଇଥିଲେ। ତା’ପରେ ସେ ଆଉ ଏହି ପୁରସ୍କାର ପାଇନାହାନ୍ତି।

ଥରେ ମାତ୍ର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ

ଓଲିଉଡର ଆଗ ଧାଡ଼ିର ନାୟିକା ବର୍ଷା ପ୍ରିୟଦର୍ଶିନୀ ଶିଶୁ କଳାକାର ଭାବେ ପ୍ରଥମେ ଅଭିନୟ କରିଥିଲେ ସୋ’ ମ୍ୟାନ୍‌ ବସନ୍ତ ନାୟକଙ୍କ ପ୍ରଯୋଜିତ ଏବଂ ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ଦ୍ୱିଭାଷୀ (ଓଡ଼ିଆ-ବଙ୍ଗଳା) ସିନେମା ‘ମା’ରେ। ତାଙ୍କ ମାଆ ଦୀପା ସାହୁ ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ। ଏ ଦୃଷ୍ଟିରୁ ତାଙ୍କୁ ଶିଶୁ କଳାକାର ଭୂମିକା ମିଳିବା ସ୍ୱାଭାବିକ ଥିଲା।

୨୦୦୩ରେ ମୁକ୍ତିଲାଭ କରିଥିବା ବିନୟ ନାୟକଙ୍କ ପ୍ରଯୋଜିତ ଓ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏ ଯୁଗର କୃଷ୍ଣ ସୁଦାମା’ ସିନେମା ଜରିଆରେ ଓଲିଉଡରେ ହିରୋଇନ ଭାବେ କ୍ୟାରିଅର ଆରମ୍ଭ କରିଥିଲେ ବର୍ଷା ପ୍ରିୟଦର୍ଶିନୀ। ସେ ବିଗତ ୫ ବର୍ଷ ମଧ୍ୟରେ ୩୩ଟି ଓଡ଼ିଆ ଛବିରେ ନାୟିକା ଭୂମିକାରେ ଅଭିନୟ କରିସାରିଲେଣି। ଏଥିମଧ୍ୟରେ ଅନେକ ସୁପରହିଟ୍ ସିନେମା ବି ଅଛି। ଖାଲି ସେତିକି ନୁହେଁ, କେତେକ ଚଳଚ୍ଚିତ୍ରରେ ତାଙ୍କର ଅଭିନୟ ମଧ୍ୟ ଉଭୟ ଦର୍ଶକ ଓ ସମୀକ୍ଷକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା। କିନ୍ତୁ କେବଳ ଗୋଟିଏ ସିନେମାରେ ଉଚ୍ଚକୋଟିର ଅଭିନୟ କରି ବର୍ଷା ପ୍ରିୟଦର୍ଶିନୀ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜୁରିର ସଦସ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିଥିଲେ। ଆଉ ସେଥିପାଇଁ ତାଙ୍କୁ ମିଳିଥିଲା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।

ଯେଉଁ ସିନେମା ଲାଗି ବର୍ଷା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା, ତାହା ହେଲା ଅରୁଣ ମହାନ୍ତିଙ୍କ ‘ପ୍ରେମ ସବୁଠୁ ବଳବାନ’। ଏଥିରେ ତାଙ୍କର ଚରିତ୍ରର ବିଭିନ୍ନ ସେଡ୍ ଥିଲା। ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟକ ସାଜିଥିଲେ ଦୁଷ୍ମନ୍ତ ପଣ୍ଡା। ‘ପ୍ରେମ ସବୁଠୁ ବଳବାନ’ର ଅନ୍ୟ ପ୍ରମୁଖ କଳାକାରମାନେ ହେଲେ ସିଦ୍ଧାନ୍ତ, ହର ପଟ୍ଟନାୟକ, ଉତ୍ତମ ମହାନ୍ତି, ଅପରାଜିତା ଓ ଅଶୋକ ଦାସ ପ୍ରମୁଖ।

Comment