ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ଶୋଚନୀୟ ରାସ୍ତା ଦେଇ ଅଟୋରେ ବୁହା ହୋଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଛନ୍ତି ପ୍ରସୂତି। ନାମକୁ ମାତ୍ର ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବା।

କେନ୍ଦ୍ରସରକାରଙ୍କ ୧୦୨ ଏବଂ ରାଜ୍ୟସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ବାରମ୍ବାର ଫେଲ୍ ମାରିବାର ନଜିର୍ ବିଗତ ଦିନମାନଙ୍କରେ ଆମେ ଦେଖିଛେ। ତେବେ ଏହାର ଏକ ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଗୋଡ଼ିଆଳି ଗ୍ରାମର ୨୦ ବର୍ଷୀୟା ମହିଳା ଲଳିତା ହନ୍ତାଳଙ୍କ ନିକଟରେ।

ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏବଂ ଆଶାଦିଦି ତାଙ୍କୁ ଅଟୋରେ ଆଣିଥିଲେ। ପ୍ରସବରୁ ଯନ୍ତ୍ରଣାରେ ଛଟପଟ ହୋଇ ଶୋଚନୀୟ ରାସ୍ତା ଦେଇ ସ୍ୱାସ୍ଥ୍ୟକେନ୍ଦ୍ର ଆସି ପହଞ୍ଚିଥିଲେ ପ୍ରସୂତି ଜଣକ।  ଗତ ଶନିବାର ଦିନ ଏପରି ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳିଥିଲା।

ସେ ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ସଦରରେ ବିବାହ କରିଛନ୍ତି। କିଛି ଦିନ ତଳେ ନିଜ ବାପା ଗାଁ ଗୋଡ଼ିଆଳିକୁ ବୁଲିବାକୁ ଆସିଥିଲେ। ହଠାତ୍ ପୂର୍ବାହ୍ନରେ ଲଳିତାଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ ନେଇ ସ୍ଥାନୀୟ ଆଶାଦିଦିଙ୍କୁ ଖବର ଦିଆଯାଇଥିଲା। ଜିଲ୍ଲା ଡ଼ା

ତେବେ ଲଳିତାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରେ ଲାଗିଥିଲା। ଆଶାଦିଦି ଜଣକ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। କିନ୍ତୁ ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବା ଅଫିସ ତରଫରୁ ସ୍ପଷ୍ଟ କରାଯାଇଥିଲା। ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ଏକ ଅଟୋକୁ ଭଡା କରିଥିଲେ।

ସେହି ଅଟୋରେ ପ୍ରସୂତିଙ୍କୁ ନେଇ ଗୋଡ଼ିଆଳିରୁ ଝୁଲୁନିବାହାଲ ପର୍ଯ୍ୟନ୍ତ ରହିଥିବା ଶୋଚନୀୟ ଖାଲ ଖମା ରାସ୍ତାରେ ଅଣାଯାଇଥିଲା। ପ୍ରସବ ଯନ୍ତ୍ରଣା ସାଙ୍ଗକୁ ଶୋଚନୀୟ ରାସ୍ତାର ଦୂରବସ୍ଥା ଅଧିକ ସଙ୍କଟାପନ୍ନ କରିଥିବା ପ୍ରସୂତି ଜଣକ ପ୍ରକାଶ କରିଛନ୍ତି।

ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। କିନ୍ତୁ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଅଧିକ ପ୍ରସୂତି ଏବଂ ରୋଗୀ ଥିବାରୁ ଏହାକୁ ନେଇ ଆବଶ୍ୟକ ସେବା ହୋଇପାରୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଆମ୍ବୁଲାନ୍ସକୁ ଫୋନ୍ କଲେ ମଧ୍ୟ ସମସ୍ତ ତଥ୍ୟ ଅବଗତ କରାଇବା ସମୟ ମଧ୍ୟରେ ରୋଗୀମାନେ ମୃତ୍ୟୁମୁଖରେ ପଡିଯାଉଛନ୍ତି। ଅନ୍ୟ କେତେକ ଦୁର୍ଗମ ଗାଁ କିମ୍ବା ନିକଟରେ ଥିବା ଗାଁର ଶୋଚନୀୟ ରାସ୍ତାର ଅବସ୍ଥା ଅତିଶୋଚନୀୟ ହୋଇପଡିଥିବାରୁ ଏକ ପ୍ରକାର ଆମ୍ବୁଲାନ୍ସ ଯିବା ପାଇଁ ମଧ୍ୟ କଷ୍ଟକର ହୋଇପଡୁଛି।

ମାଥିଲି ସଦରରୁ ଝୁଲୁନିବାହାଲ ମାତ୍ର ୨ କି.ମି.। ଝୁଲୁନିବାହାଲରୁ ଗୋଡ଼ିଆଳି ପାଖାପାଖି ୩ କି.ମି. ଦୂର ରହିଛି। ତେବେ ମୁଖ୍ୟରାସ୍ତା ପାଖରେ ସଂଯୋଗ ହୋଇଥିବା ଝୁଲିବାହାଲଠାରୁ ଗୋଡ଼ିଆଳି ରାସ୍ତା ଅତି ଶୋଚନୀୟ ହୋଇପଡିଛି।

ଦୀର୍ଘ ଦିନ ହେବ ରାସ୍ତା ମରାମତି ହେଉନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ , ବ୍ଲକ ଅନ୍ତର୍ଗତ ଗୁରୁଗୁଡ଼ାରେ ଗତ ସପ୍ତାହ ତଳେ ଆମ୍ବୁଲାନ୍ସ ନ ଆସିବାରୁ ଅଟୋରେ ପ୍ରସୂତି ଜଣକ ବୁହା ହୋଇଥିଲେ। ଏତିକିବେଳେ ଅଟୋରେ ହିଁ ପ୍ରସୂତିଙ୍କ ପ୍ରସବ ହୋଇଥିଲା।

Comment