ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୧୫୦ତମ ଗାନ୍ଧି ଜୟନ୍ତୀ ସମାରୋହ
  • ରାଜ୍ୟସ୍ତରୣ କମିଟ ବୈଠକରେ ଚୂଡ଼ାନ୍ତ ହେଲା ନିଷ୍ପତ୍ତି
  • ସ୍କୁଲ, କଲେଜ ଓ ସରକାରୀ ଅଫିସରେ ପାଳନ ହେବ ଗାନ୍ଧି ଜୟନ୍ତୀ
  • ପ୍ରତି ବ୍ଲକରେ ଚିହ୍ନଟ ହେବ ଆଦର୍ଶ କସ୍ତୁରବା ବିଦ୍ୟାଳୟ
  • ମାର୍ଚ୍ଚ ୨୩ରେ କଟକରେ ସ୍ମାରକ ଉତ୍ସବ

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ଧୁମ୍‌ଧାମ୍‌ରେ ପାଳନ କରିବ ଓଡ଼ିଶା। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ବସିଥିଲା ରାଜ୍ୟସ୍ତରୀୟ କମିଟି ବୈଠକ। ଗାନ୍ଧି ଜୟନ୍ତୀ ସମାରୋହକୁ ଓଡ଼ିଶାରେ ୨ ବର୍ଷ ଧରି ପାଳନ କରିବାକୁ ନିଷ୍ପତ୍ତି ହୋଇଛି।

ଅକ୍ଟୋବର ୨ରୁ ଏହି ସମାରୋହ ଆରମ୍ଭ ହେବ।

ଏହି ବୈଠକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ୨ ବର୍ଷ ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି।

“ଗାନ୍ଧି ଜୟନ୍ତୀ ସମାରୋହ ପାଇଁ ଚାରିଟି ସବ୍ କମିଟି ଗଠନ କରାଯାଇଛି। ଏହି ସମୟ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଦଯାତ୍ରା ଏବଂ ସ୍ମାରକୀ ବୈଠକ ଅନୁଷ୍ଠିତ ହେବ”, କହିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

ସଂସ୍କୃତି ମନ୍ତ୍ରୀ ଆହୁରି କହିଥିଲେ ଯେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କସ୍ତୁରବା ଗାନ୍ଧି ବିଦ୍ୟାଳୟ ଚିହ୍ନଟ କରାଯିବ।

ଗାନ୍ଧି ଜୟନ୍ତୀ ସମାରୋହକୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ସରକାରୀ ଅଫିସରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଗାନ୍ଧିଜୀ ଓଡ଼ିଶାର ଯେଉଁ ଯେଉଁ ସ୍ଥାନ ଗସ୍ତ କରିଥିଲେ ସେଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି।

ମହାତ୍ମା ଗାନ୍ଧିଙ୍କ ଓଡ଼ିଶା ଗସ୍ତର ସ୍ମୃତି ଚାରଣ ପାଇଁ ମାର୍ଚ୍ଚ ୨୩ରେ କଟକରେ ସ୍ମାରକ ଉତ୍ସବ ଅନୁଷ୍ଠିତ ହେବ।

ଆଜିର ଏହି ପ୍ରସ୍ତୁତି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଗାନ୍ଧି ଜୟନ୍ତୀ ସମାରୋହ ପାଇଁ କେଉଁ ବିଭାଗ କ’ଣ କରିବ ସେନେଇ ଆଲୋଚନା ହୋଇଥିଲା।

Comment