ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ଖସି ପାରିବେନି ଦାଗୀ ନେତା। ଭୋଟର ଜାଣିବେ ତାଙ୍କ ନେତାଙ୍କ ନାଁରେ ରହିଛି କେତେ ଅପରାଧିକ ମାମଲା।

  • ସବୁ ରାଜନୈତିକ ଦଳକୁ ସୁପ୍ରିମକୋର୍ଟଙ୍କ ଛାଟ
  • ନେତାଙ୍କ ଅପରାଧିକ ରେକର୍ଡ ଖୁଲାସା କର
  • ଦଳର ୱେବସାଇଟ୍‌ରେ ପ୍ରାର୍ଥୀଙ୍କର ସବୁ ତଥ୍ୟ ଦିଅ
  • ଅପରାଧିକ ମାମଲାକୁ ବାରମ୍ବାର ଗଣମାଧ୍ୟମରେ ଦେଖାଅ

କେଉଁ ରାଜନୈତିକ ଦଳର ପ୍ରାର୍ଥୀଙ୍କ ନାଁରେ କେତେ ଅପରାଧିକ ମାମଲା ରହିଛି? ଏହା ଏବେ ନିର୍ବାଚନ ପୂର୍ବରୁ ଭୋଟର ଜାଣିବେ। ପ୍ରାର୍ଥୀମାନଙ୍କର ଅପରାଧିକ ରେକର୍ଡ ସର୍ବସାଧାରଣରେ ଖୁଲାସା କରିବାକୁ ଆଜି ସୁପ୍ରିମକୋର୍ଟ ରାଜନୈତିକ ଦଳମାନଙ୍କୁ ଦେଇଛନ୍ତି ନିର୍ଦ୍ଦେଶ। ଏହି ନିର୍ଦ୍ଦେଶନାମା ଆସିବା ପରେ ସବୁ ଆଶାୟୀ ପ୍ରାର୍ଥୀଙ୍କ ମହଲରେ ହଟଚମଟ ସୃଷ୍ଟି ହୋଇଛି।

ସୁପ୍ରିମକୋର୍ଟ ବିଭିନ୍ନ ଦଳମାନଙ୍କୁ କହିଛନ୍ତି ଯେ ପ୍ରାର୍ଥୀମାନଙ୍କ ନାଁରେ ଥିବା ଅପରାଧିକ ମାମଲା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ନିଜ ପାର୍ଟିର ୱେବସାଇଟରେ ରଖ। ଏହାସହ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବାରମ୍ବାର ଦେଖାଅ। ଏହି ପ୍ରାର୍ଥୀମାନେ ଦାଗୀ ବୋଲି ବିଭିନ୍ନ ରାଜନୈତିକ ଦଳ ମିଡିଆରେ ଅତି କମ୍‌ରେ ପ୍ରଚାର କରିବା ଦରକାର ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ଏହାସହ ଦାଗୀ ନେତା ନିର୍ବାଚନ ଲଢ଼ି ପାରିବେ କି ନାହିଁ ସେ ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, “କୌଣସି ମାମଲାରେ ଯଦି ପ୍ରାର୍ଥୀଙ୍କ ବିରୋଧରେ କେବଳ ଚାର୍ଜସିଟ୍ ଦାଖଲ ହୋଇଥିବ ତାହାଲେ ସେମାନେ ନିର୍ବାଚନ ଲଢ଼ି ପାରିବେ। ଯଦି ଦୋଷୀ ସାବ୍ୟସ୍ତ ହୋଇଥିବେ ତାହାଲେ ନିର୍ବାଚନ ଲଢ଼ି ପାରିବେ ନାହିଁ। ଦୋଷୀ ସାବ୍ୟସ୍ତ ହୋଇ ନଥିଲେ ନିର୍ବାଚନ ଲଢ଼ିବରେ କିଛି ପ୍ରତିବନ୍ଧକ ନାହିଁ।”

ଦାଗୀ ନେତାମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ରଖିବାକୁ ହେଲେ ସଂସଦରେ ଆଇନ ଆଣିବାକୁ ପଡ଼ିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ଫଳରେ ଦାଗୀ ନେତାମାନେ ସଂସଦକୁ ଯିବା ରାସ୍ତା ବନ୍ଦ ହୋଇ ପାରିବ ବୋଲି କୋର୍ଟ କହିଛନ୍ତି। ଏହାସହ ନିର୍ବାଚନ କମିଶନଙ୍କ ପାଖରେ ମଧ୍ୟ ପ୍ରାର୍ଥୀମାନେ ସମସ୍ତ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼େଇରୁ ଦୂରେଇ ରଖିବା ବିରୋଧରେ ଯୁକ୍ତି ବାଢ଼ିଥିଲେ କେନ୍ଦ୍ର ସରକାର। ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ କୋର୍ଟଙ୍କୁ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଉଦ୍ଦେଶ୍ୟମୂଳକ ଭାବେ ନେତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୁଏ। ଏଣୁ ନେତାଙ୍କୁ ନିର୍ବାଚନ ଲଢ଼େଇରୁ ଦୂରେଇ ରଖିବା ଅର୍ଥ ସେମାନଙ୍କ ମୌଳିକ ଅଧିକାର ଛଡ଼ାଇ ନେବା।

Comment