ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ସ୍ୱାଭିମାନ ଅଞ୍ଚଳ ଏବେ ନିରବ ପାଲଟିଛି। ମୋବାଇଲ ଅଛି ହେଲେ ନେଟୱାର୍କ ନାହିଁ। ଆବଶ୍ୟକ ମୁତାବକ ପୋର୍ଟ ନଥିବାରୁ ଲ୍ୟାଣ୍ଡ ଲାଇନ କି ବ୍ରୋଡବ୍ୟାଣ୍ଡ କନେକ୍ସନ ମିଳୁନାହିଁ। ଏକମାତ୍ର ବିଏସ୍‌ଏନ୍ଏଲ୍ ଉପରେ ସମଗ୍ର ଅଞ୍ଚଳ ଭରସା କରି ଆସୁଥିବା ବେଳେ ଦିନ ଦିନ ଧରି ଯୋଗାଯୋଗରେ ବିଭ୍ରାଟ ସୃଷ୍ଟି ହେଉଛି।

ରାସ୍ତା, ପୋଲ ନିର୍ମାଣ କରାଯାଇ ଗମନାଗମନର ସୁବିଧା କରାଯାଇଛି ହେଲେ ଟେଲି କମ୍ୟୁନିକେସନ୍ ବିଭ୍ରାଟ ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ନେଟୱାର୍କ ସେବା ସ୍ୱାଭାବିକ କରିବାକୁ ନିର୍ଦ୍ଦେଶ ଦେଇଥିବା ପ୍ରଶାସନିକ ଅଧିକାରୀ ସୂଚନା ଦେଇଛନ୍ତି।

ସରକାର ବିଛିନ୍ନାଞ୍ଚଳ ଲୋକଙ୍କ ସୁବିଧା ପାଇଁ ଚିତ୍ରକୋଣ୍ଡାଠାରେ ଏକ ନୂତନ ବ୍ଲକ ପ୍ରତିଷ୍ଠା କଲେ। ସରକାରଙ୍କ ସମସ୍ତ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ଠିକ୍ ଭାବରେ ପହଞ୍ଚାଇବା ପାଇଁ ଏହି ଉଦ୍ୟମ କରାଗଲା। କିନ୍ତୁ ଏହା ଲୋକଙ୍କ ହିତରେ ଲାଗିବା ବଦଳରେ ଲୋକଙ୍କ ପାଇଁ ଅଭିଶାପ ପଲଟିଯାଇଛି। ଏହିସବୁ ମୂଳରେ ରହିଛି କମ୍ୟୁନିକେସନ। ଚିତ୍ରକୋଣ୍ଡା  ସମେତ ୫ଟି ପଞ୍ଚାୟତର ୧୦ ହଜାରରୁ ଅଧିକ ଜନସାଧାରଣ ଆଜକୁ୧୫ ବର୍ଷ ହେଲା ଏକମାତ୍ର ସଂସ୍ଥା ବିଏସଏନଏଲ ଉପରେ ନିର୍ଭର କରିଥାନ୍ତି। ଏହି ସଂସ୍ଥା ଲୋକଙ୍କୁସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଠାରେ ମୋବାଇଲ ସେବା ସମେତ ବ୍ରୋଡବ୍ୟାଣ୍ଡ ସମ୍ପୂର୍ଣ୍ଣ ଫେଲ।

ଏହି ଅସୁବିଧା ଯୋଗୁଁ ଲୋକମାନେ ବ୍ୟାଙ୍କ ଓ ପୋଷ୍ଟ ଅଫିସରୁ ଟଙ୍କା ଉଠାଇବାରେ ସମର୍ଥ ହେଉ ନାହାନ୍ତି।

ବିଏସଏନଏଲ ସେବା ଫେଲ୍ ହେବାରୁ ସରକାରୀ ଅଫିସରେ କାମ ଅନେକ ସମୟରେ ଠପ୍ ହୋଇଯାଉଛି। ଦୂର ଦୂରାନ୍ତରୁ ଆସିଥିବା ଗରିବ ଲୋକେ ନିରାଶ ହୋଇ ଘରକୁ ଫେରୁଛନ୍ତି। ବାରମ୍ବାର ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ୁନାହିଁ। ଫଳରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଭବିଷ୍ୟତରେ ଏହି ଅସନ୍ତୋଷ ଏକ ବିରାଟ ଜନ ଆନ୍ଦୋଳନର ରୂପ ନେବାକୁ ଯାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ଚିତ୍ରକୋଣ୍ଡା ତଥା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ ସବୁବେଳେ ରହିଥିବା ବେଳେ ଟେଲିଫୋନ ବିଭ୍ରାଟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏକ ବେସରକାରୀ ସଂସ୍ଥାକୁ ଟାୱାର ନିର୍ମାଣ ପାଇଁ ଜମି ଯୋଗାଇ ଦେଇଛନ୍ତି। ହେଲେ ଏହି ସଂସ୍ଥା ଟାୱାର ନିର୍ମାଣ ପାଇଁ ତତ୍ପରତା ପ୍ରକାଶ କରୁନାହଁ।

ଅପର ପକ୍ଷରେ ବିଏସଏନଏଲ ସେବାକୁ ସ୍ୱାଭାବିକ କରିବା ଏବଂ ଅନ୍ୟ ବେସରକାରୀ ସଂସ୍ଥା ପକ୍ଷରୁ ସେମାନଙ୍କ ନେଟୱାର୍କ ସ୍ଥାପନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାର ଯଦି ଏହି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସୁବିଧା ପାଇଁ କମ୍ୟୁନିକେସନ ସେବାକୁ ଠିକ ନକରନ୍ତି ତାହାଲେ ସମସ୍ତ ସରକାରୀ ଯୋଜନାର ସୁଫଳ ଲୋକମାନଙ୍କ ପାଖରେ ପହଞ୍ଚିବା କଷ୍ଟକର ହୋଇଯିବ।

Comment