ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ସଞ୍ଚାର ନିଗମକୁ ଦୁଃସ୍ଥିତିରୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଏକ ସହାୟତା ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ଏକ ପ୍ରସ୍ତାବ ଥିଲା ଯେ ବିଏସଏନଏଲ ଓ ଏମଟିଏନଏଲକୁ ମିଶାଇ ଦିଆଯିବ। ପ୍ରଧାନମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହାକୁ ମନା କରି ଦିଆଯିବା ପରେ ବିଏସଏନଏଲ କଥା ଏବେ ବିଚାର କରାଯାଉଛି।

ଖବର ମିଳିଛି ଯେ ନିଗମ ପକ୍ଷରୁ ଏକ ସମ୍ପତ୍ତି ବିକ୍ରି ଯୋଜନା ପ୍ରସ୍ତୁତ କରାଯାଉଛି। ଏହାକୁ କୁହାଯାଉଛି ଆସେଟ ମନିଟାଇଜେସନ ପ୍ଲାନ। ଏଥିପାଇଁ ନିଗମକୁ କେତୋଟି ଶାଖା କମ୍ପାନିରେ ବିଭକ୍ତ କରିବା ପାଇଁ ଚିନ୍ତା ଚାଲିଛି। ଇତି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘବଲ କୋଚିଠାରେ ଘୋଷଣା କରିଛନ୍ତି ଯେ ବିଏସଏନେଲ ପାଇଁ ଏକ ଆର୍ଥିକ ସହାୟତା ଯୋଗାଇଦେବାକୁ ସରକାର ସ୍ଥିର କରିଛନ୍ତି। କିନ୍ତୁ ପ୍ରଶ୍ନ ହେଉଛି ସରକାରଙ୍କ ଏହି ସାହାଯ୍ୟ  ବାସ୍ତବରେ କାମ ଦେବ କି? ଆର୍ଥିକ ସହାୟତା ପ୍ରଦାନ ହେଉକି ଅନ୍ୟ ଯେ କୌଣସି ପ୍ରକାର
ସାହାଯ୍ୟ ଏହି ଦେବାଳିଆ ନିଗମକୁ ବଞ୍ଚାଇବାରେ ସକ୍ଷମ ହେବ କି?

ଭାରତୀୟ ସଂଚାର ନିଗମ ଏବେ ଏଭଳି ଅବସ୍ଥାକୁ ଆସିଛି ସଂସ୍ଥା ଚଳାଇବା ପାଇଁ ଯେ ନିଜ ରୋଜଗାର ଯଥେଷ୍ଟ ନୁହେଁ। ଏଣୁ ଏଭଳି  କଷ୍ଟରେ ଚାଲୁଥିବା ସଂସ୍ଥାକୁ କେତେଦିନ ସରକାର ସାହାଯ୍ୟ କରି ଚାଲିବେ?

ବର୍ତ୍ତମାନର ଅବସ୍ଥା ପାଇଁ ନିଗମ ପକ୍ଷରୁ ମୂଲ୍ୟ ଯୁଦ୍ଧକୁ ଦୋଷ ଦିଆଯାଉଛି। ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଘରୋଇ ଟେଲିକମ କମ୍ପାନିଙ୍କ ଭିତରେ ଯେଉଁ ଛକାପଞ୍ଝା ଚାଲିଛି ତାହା ଆମେ ସମସ୍ତେ ଜାଣନ୍ତି। ତା’ଛଡ଼ା ବିଏସଏନେଲର ଆର୍ଥିକ ଅବସ୍ଥା ପାଇଁ 4ଜି ସ୍ପେକଟ୍ରମ ନମିଳିବା ଏକ୍ ବଡ଼ କାରଣ ବୋଲି ନିଗମ ଯୁକ୍ତି କରୁଛି।

ଏବେ ଆସନ୍ତୁ ହିସାବ ପତ୍ରକୁ। ନିଗମ ଅଧିନରେ ପ୍ରାୟ ଲକ୍ଷେ ଅଶୀ ହଜାର କର୍ମଚାରୀ ଅଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ନିଗମ ଯେତିକି ଆୟ କରିଥିଲା ତାହାର ୭୫ ପ୍ରତିଶତ କେବଳ ଦରମା ଭତ୍ତା ବାବଦରେ ଖର୍ଚ୍ଚ ହୋଇଥିଲା। ଘରୋଇ ଟେଲିକମ କମ୍ପାନିମାନଙ୍କରେ ମାସିକ  ଦରମା ବିଲ ବିଏସଏନଏଲ ତୁଳନାରେ ଯଥେଷ୍ଟ କମ। ତା ଛଡ଼ା କଡା ନିୟମ ଓ କଟକଣା ଯୋଗୁଁ ନିଗମ ଆବଶ୍ୟକୀୟ ଯନ୍ତ୍ରପାତି କିଣିପାରୁନାହିଁ। ଏହା ଫଳରେ ଗ୍ରାହକ ସେବାକୁ ଉନ୍ନତ କରିବା ସମ୍ଭବ ହେଉନାହିଁ। ଶେଷ ହିସାବ ଅନୁଯାୟୀ ଗତ ଆର୍ଥିକ ବର୍ଷରେ ନିଗମର କ୍ଷତି ୧୪,୨୦୨ କୋଟି ଟଙ୍କାରେ ପହଞ୍ଚିଥିଲା।

ବର୍ତ୍ତମାନ ପ୍ରଶ୍ନ ହେଉଛି ଯଦି ବି ନିଗମକୁ 4ଜି ସ୍ପେକଟ୍ରମ ଦିଆଯାଏ ଏହାର ଆର୍ଥିକ ଅବସ୍ଥା ସୁଧୁରିବ କି? ବିଏସଏନଏଲ ପାଇଁ ଗୋଟିଏ ବଡ଼ ଭରସା ହେଉଛି ନିଜର ଜାଗା ବାଡ଼ି ବିକ୍ରି କରିବା। ତା ଛଡ଼ା ନିଗମର ୮୦ ହଜାର କର୍ମଚାରୀଙ୍କୁ ଭିଆରଏସ ନେବା ପାଇଁ କୁହାଯିବ। ଯଦି ବି ଏମାନେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ ରାଜି ହୋଇଯାଆନ୍ତି, ତଥାପି ପ୍ରାୟ ଏକ ଲକ୍ଷ କର୍ମଚାରୀ ରହିଯିବେ।

ସରକାର ଯେଉଁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି ସେଥିରୁ ଅଧିକାଂଶ ଟଙ୍କା ଭିଆରଏସ ବାବଦକୁ  ହିଁ ଯିବ। ଏଣୁ ବାକି ଯେଉଁ ଟଙ୍କା ରହିବ ସେଥିରେ ନିଗମ 4ଜି ସ୍ପେକଟ୍ରମ କିଣିପାରିବ କି? ଟେଲିକମ କ୍ଷେତ୍ରରେ ଯେଉଁଭଳି ତଣ୍ଟିକଟା ପ୍ରତିଯୋଗିତା ଚାଲିଛି ସେଥିରେ ବିଏସଏନଏଲ ଠିଆ ହୋଇ ପାରିବ କି ତାହା ଏକ ବଡ଼ ପ୍ରଶ୍ନବାଚୀ।

ମୋଟାମୋଟି କହିବାକୁ ଗଲେ, ବିଏସଏନଏଲକୁ ଘୋଷଣା ଅନୁସାରେ ଅର୍ଥ ସାହାଯ୍ୟ ଦିଆଗଲେ ବି ନିଜ ଘର ସଜାଡ଼ିବା ପାଇଁ ଏହା ଯଥେଷ୍ଟ ନୁହେଁ। ବିଏସଏନଏଲର ନିଜ ଭାଷାରେ କହିଲେ ‘ଇନସଫିସିଏଣ୍ଟ ବାଲାନ୍ସ।’

Comment