ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ପଞ୍ଚାୟତ ଅଫିସରେ ଗ୍ରାମସଭା ଚାଲୁଥିବା ବେଳେ ଅଭାବନୀୟ ଘଟଣା ଘଟିଛି। ସରକାରୀ କର୍ମଚାରୀ ଏବଂ ଜନପ୍ରତିନିଧିଙ୍କୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ପଞ୍ଚାୟତ ଅଫିସରେ ପୂରାଇ ତାଲା ପକାଇ ଦେଇଛନ୍ତି। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଲା ଖୋଲି ପ୍ରତିନିଧି ଏବଂ କର୍ମଚାରୀଙ୍କୁ ଉଦ୍ଧାର କରିଛି। ଏବେ ଜନପ୍ରତିନିଧି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅରଡପଲ୍ଲି ଗ୍ରାମପଞ୍ଚାୟତରେ।
ଆଜି ଥିଲା ଗାନ୍ଧି ଜୟନ୍ତୀ। ସକାଳୁ ସକାଳୁ ପଞ୍ଚୟତର ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ସମିତି ସଦସ୍ୟ ଶ୍ରୀକାନ୍ତ ସାହୁ(ସୁକନ), ପଞ୍ଚାୟତର ସଂପାଦକ, ଜିଆରଏସ୍, ବ୍ଲକର ମଙ୍ଗଳ ଅଧିକାରୀମାନେ ପଞ୍ଚାୟତ ଅଫିସରେ ଉପସ୍ଥିତ ଥିଲେ।
ପଞ୍ଚାୟତରେ ଗଠିତ ହୋଇଥିବା ୨୪ଟି ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳାମାନେ ମଧ୍ୟ ଗାନ୍ଧି ଜୟନ୍ତୀ ପାଳନ ପାଇଁ ଉପସ୍ଥିତ ଥିଲେ। ଧୁମ୍ ଧାମରେ ଗାନ୍ଧି ଜୟନ୍ତୀ ଉତ୍ସବ ପାଳନ କରାଯାଇଥିଲା। ସରକାରଙ୍କ ଆଦେଶ ଅନୁସାରେ ଆଜି ଗାନ୍ଧି ଜୟନ୍ତୀ ଅବସରରେ ପଞ୍ଚାୟତର ଗ୍ରାମସଭା ବସିଥିଲା। ଆଗାମୀ ବର୍ଷ ପାଇଁ ପଞ୍ଚାୟତର ଉନ୍ନୟନମୂଳକ ଯୋଜନା ଗୁଡ଼ିକର ରୂପରେଖ ଆଜି ଗ୍ରାମସଭାରେ ପାରିତ ହେବାର ଥିଲା।
ଆଲୋଚନା ଆରମ୍ଭ ହେବା ମାତ୍ରେ ସ୍ୱୟଂସହାୟକ ଗୋଷ୍ଠୀର ଶତାଧିକ ମହିଳା ହଠାତ ତାତି ଉଠିଲେ। ପଞ୍ଚାୟତର ସମିତି ସଦସ୍ୟଙ୍କୁ ଟାର୍ଗେଟ କରି ବାକ୍ୟବାଣ ମାରିଥିଲେ। ଏହାପରେ ହଠାତ୍ ପଞ୍ଚାୟତ ଘରୁ ସମସ୍ତେ ଉଠି ଯାଇ ବାହରୁ ତାଲା ପକାଇଦେଲେ।
ବନ୍ଦ ଘର ଭିତରେ ରହିଥିଲେ ସରପଞ୍ଚ, ସମିତି ସଦସ୍ୟ, ୱାର୍ଡ ସଦସ୍ୟ ଓ ସରକାରୀ କର୍ମଚାରୀମାନେ। ଗ୍ରାମସଭା ଭଣ୍ଡୁର କରିଦେଲେ ଏହି ଉତ୍ତ୍ୟକ୍ତ ମହିଳାମାନେ। ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ବିଡିଓଙ୍କ ନିକଟକୁ ଫୋନ ଯୋଗେ ଜଣାଇଥିଲେ ସରପଞ୍ଚ ଓ ସରକାରୀ କର୍ମଚାରୀମାନେ। ବିଡିଓ ପଟ୍ଟାମୁଣ୍ଡାଇ ଥାନାକୁ ଲିଖିତ ଭାବରେ ଜଣାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପୋଲିସ କର୍ମଚାରୀ ତାଲା ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିଥିଲେ।
ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ନିମନ୍ତେ ଏକ କାର୍ଯ୍ୟାଳୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ତେବେ ପ୍ରଥମେ ଯେଉଁଠି କାର୍ଯ୍ୟାଳୟ କରିବା ପାଇଁ ସ୍ଥାନ ନିରୂପିତ ହୋଇଥିଲା ତାହା ବଦଳାଇ ଦିଆଯାଇଥିଲା। ଏହି ପରିବର୍ତ୍ତନ ପଛରେ ପଞ୍ଚାୟତର ସମିତି ସଦସ୍ୟ ଶ୍ରୀକାନ୍ତ ସାହୁଙ୍କର ହାତ ରହିଥିବା ମହିଳାମାନେ ଅଭିଯୋଗ କରିଛନ୍ତି।
ଗ୍ରାମସଭାରେ ସ୍ୱୟଂ ସହାୟକ ଗୋଷ୍ଠୀର ନୂତନ ଗୃହ ସମ୍ପର୍କରେ ଆଲୋଚନା କରାଯିବାରୁ ସମିତି ସଦସ୍ୟ ମହିଲାମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ମହିଳାମାନେ। ଆସନ୍ତା କାଲି ପଟ୍ଟାମୁଣ୍ଡାଇ ବ୍ଲକରେ ଆମଗାଁ ଆମ ବିକାଶ କାର୍ଯ୍ୟକ୍ରମ ରହିଛି। ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର ଅନିଚ୍ଛା ସତ୍ତ୍ୱେ ଏହି ପ୍ରକଳ୍ପ ଚୂଡ଼ାନ୍ତ ହେବାକୁ ଯାଉଥିବାରୁ ମହିଳାମାନେ ସମିତି ସଦସ୍ୟଙ୍କୁ ବିରୋଧ କରି ତାଲା ପକାଇଥିବା କୁହାଯାଉଛି।
ଆଜିର ଘଟଣାକୁ ନେଇ ଜନପ୍ରତିନିଧି ଓ ସରକାରୀ କର୍ମଚାରୀଙ୍କ ପକ୍ଷରୁ ମହିଳାମାନଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ ମହିଳାମାନେ ଜନପ୍ରତିନିଧିଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି।