ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରା ବ୍ରୋଞ୍ଜ ପଦକ ଜିତି ଓଡ଼ିଶା ପାଇଁ ଗୌରବ ହାସଲ କରିଛନ୍ତି।

ଇଣ୍ଡୋନେସିଆର ଜାକର୍ତାରେ ଆୟୋଜିତ ଏସିଆନ ପାରା ଗେମ୍ସରେ ପୁଣିଥରେ ଓଡ଼ିଆ ଝିଅ ତାଙ୍କର କମାଲ ଦେଖାଇଛନ୍ତି। ଏହି ଗେମ୍ସରେ ଓଡ଼ିଆ ଝିଅ ଜୟନ୍ତୀ ବେହେରାଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ସେ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ହାସଲ କରି ଓଡ଼ିଶାକୁ ଗର୍ବିତ କରାଇଛନ୍ତି।

ମଙ୍ଗଳବାର ସକାଳେ ୨୦୦ ମିଟର ଦୌଡ଼ ପ୍ରତିଯୋଗୀତାର ଫାଇନାଲ ରେସ ଅନୁଷ୍ଠିତ ହୋଇଥିଲା। ମହିଳା ୨୦୦ ମିଟର ବର୍ଗରେ ପ୍ରତିନିଧିତ୍ୱ କରିଥିବା ଜୟନ୍ତୀ ମାତ୍ର ୨୭.୪୫ ସେକେଣ୍ଡରେ ଦୂରତାକୁ ଅତିକ୍ରମ କରିଥିଲେ।

ସେହିପରି ଚାଇନାର ଲି ଲୁ ୨୫.୮୨ ସେକେଣ୍ଡରେ ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ୱାଙ୍ଗ୍‌ ୟାନ୍‌ପିଙ୍ଗ୍‌ ୨୬.୪୫ ସେକେଣ୍ଡରେ ରୌପ୍ୟ କରିଛନ୍ତି। ସୋମବାର ଜୟନ୍ତୀ ୨୭.୭୧ ସେକେଣ୍ଡରେ ଫିନିସ ଲାଇନ ପାରି କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ।

ଗତବର୍ଷ ଦୁବାଇରେ ଆୟୋଜିତ ଏସିଆନ୍‌ ୟୁଥ୍‌ ପାରା ଗେମ୍ସ ୨୦୧୭ରେ ୧୦୦ ମିଟର ଦୌଡ଼କୁଦ ପ୍ରତିଯୋଗିତାରେ ଜୟନ୍ତୀ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି ସୁଇଜରଲ୍ୟାଣ୍ଡରେ ଆୟୋଜିତ ବିଶ୍ୱ ଜୁନିୟର୍‌ ପାରା ଆଥଲେଟିକ୍ସ ଚାମ୍ପିୟନ୍‌ସିପ୍‌ରେ ୪୦୦ ମିଟର ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ଜୟନ୍ତୀ।

Comment