ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଏମ୍‌ ଜେ ଆକବର ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ଆଣିଛନ୍ତି ଫୌଜଦାରୀ ମାନହାନି ମକଦ୍ଦମା।

ଦିନକୁ ଦିନ ଜଟିଳ ହେଉଛି ‘ମି ଠୁ’ ଆନ୍ଦୋଳନ। କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌ ଜେ ଆକବର। ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ ସେ ଫୌଜଦାରୀ ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ନୂଆଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସେ ଏହି ମାମଲା ରୁଜୁ କରିଛନ୍ତି।

ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୪୯୯ ଏବଂ ୫୦୦ ଧାରାରେ ମାମଲା ରୁଜୁ କରାଯାଇଛି। ଆଇନ କହୁଛି ଏହି ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ଦୁଇ ବର୍ଷ ଯାଏଁ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।

ଏମ୍‌ ଜେ ଆକବର ଅଭିଯୋଗରେ ଦର୍ଶାଇଛନ୍ତି, “ପ୍ରିୟା ରମଣୀ ହେଉଛନ୍ତି ପେଶାରେ ଜଣେ ସାମ୍ବାଦିକ। ସେ ଯେଉଁ ଅଭିଯୋଗ ଆଣିଛନ୍ତି ସେଥିରେ ମୋର ସାମାଜିକ ସମ୍ମାନରେ ଆଞ୍ଚ ଆସିଛି। ମିଡିଆ ଏବଂ ସୋସିଆଲ ମିଡିଆରେ ବିଭିନ୍ନ ଖବର ପ୍ରକାଶ କରି ସେ ମୋ’ ପ୍ରତିଷ୍ଠାକୁ ପ୍ରଭାବିତ କରିଛନ୍ତି।”

ଜଣାଶୁଣା ସାମ୍ବାଦିକା ପ୍ରିୟା ରମଣୀ ‘ମି ଠୁ’ ଆନ୍ଦୋଳନ ଜରିଆରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍. ଜେ ଆକବରଙ୍କ ନାମରେ ଯୌନ ଶୋଷଣର ଅଭିଯୋଗ ଲଗାଇଥିଲେ। କଂଗ୍ରେସ ଏହାକୁ ନେଇ ରାଜନୀତି କରିଥିଲା। ଆକବରଙ୍କ ଇସ୍ତଫା ଦାବି କରିଥିଲା କଂଗ୍ରେସ। ହେଲେ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଆକବର।

ଏମ୍‌ ଜେ ଆକବର କହିଥିଲେ, “ମୋ’ ବିରୋଧରେ ମିଛ ଅଭିଯୋଗ କରାଯାଇଛି। ରାଜନୈତିକ ଅଭିସନ୍ଧି ରଖି ଏଭଳି ଅଭିଯୋଗ ଜାଣିଶୁଣି ଅଣାଯାଇଛି। ୨୦୧୯ ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ଏପରି ଷଡଯନ୍ତ୍ର ରଚାଯାଉଛି।”

ମନ୍ତ୍ରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ ପାଖାପାଖି ୧୧ ଜଣ ମହିଳା ସାମ୍ବାଦିକା ‘ମି ଠୁ’ ଅଭିଯୋଗ ଆଣିସାରିଲେଣି। ବିନା ପ୍ରମାଣରେ ଏପରି ଅଭିଯୋଗ ଆଣିବା ଏକ ଭାଇରାଲ ଜ୍ୱର ବୋଲି ମନ୍ତ୍ରୀ କହିଛନ୍ତି।

Comment