ଓଡ଼ିଶାଲାଇଭ ବ୍ୟୁରୋ

୨୦୧୯ରେ ଭାରତକୁ ଆସିବ ଲଢ଼ୁଆ ବିମାନ ରାଫେଲ।

ଲଢ଼ୁଆ ବିମାନ ରାଫେଲକୁ ନେଇ ଦେଶରେ ରାଜନୈତିକ ସ୍ଥିତି ସରଗରମ ଥିବାବେଳେ ସୋମବାର ଦିନ ଯୁଦ୍ଧ ବିମାନ କମ୍ପାନୀ ଡସଲ୍‌ଟ ଭାରତକୁ ରାଫେଲ ପଠାଇବାର ସୂଚନା ଦେଇଛି। “୨୦୧୯ ସୁଦ୍ଧା ଭାରତକୁ ରାଫେଲ ଯୋଗାଣ ଆରମ୍ଭ କରିବ”, କହିଛନ୍ତି ଡସଲ୍‌ଟ ଆଭିଏସନର ସିଇଓ ଏରିକ ଟାପିୟର। ସେ ସୋମବାର ଓରଲାଣ୍ଡଠାରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି।

ଫ୍ରାନ୍ସ ସହିତ ଭାରତର ଲଢ଼ୁଆ ବିମାନ କିଣାବିକାର ଚୁକ୍ତି ହୋଇଥିଲା। କିନ୍ତୁ ଏଥିରେ ଦୁର୍ନୀତି ହେଉଥିବା ନେଇ ଦେଶରେ ଅନେକ ରାଜନୈତିକ ପ୍ରସଙ୍ଗ ମୁଣ୍ଡ ଟେକିଛି। ଚୁକ୍ତିରେ ଦୁର୍ନୀତି ହେଉଥିବାର ବାରମ୍ବାର ଅଭିଯୋଗ ଆଣିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ(ହାଲ୍)କୁ କ’ଣ ପାଇଁ ରାଫେଲ ନିର୍ମାଣର ଦାୟିତ୍ୱ ଦିଆନଯାଇ ରିଲିଆନ୍ସ ଡିଫେନ୍ସକୁ ଦିଆଯାଇଛି, ଏନେଇ ରାହୁଲ ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ଷେପ କରିଆସୁଛନ୍ତି। ରାହୁଲ ଏହା ବି କହିଛନ୍ତି, “ହାଲ୍‌କୁ ଜାଣି ଶୁଣି ଦୁର୍ବଳ କରାଯାଉଛି ଏବଂ ଘରୋଇ କମ୍ପାନି ଅର୍ଥାତ୍ ଅନୀଲ ଅମ୍ବାନୀଙ୍କ ରିଲିଆନ୍ସକୁ ଫାଇଦା ଦେବାକୁ ଯାଇ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ଉଦ୍ୟୋଗକୁ ଅପମାନିତ କରୁଛନ୍ତି”।

ତେବେ ନିକଟରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସ ଗସ୍ତ କରି ସାରିବା ପରେ ଡସଲ୍‌ଟ ଆଭିଏସନ ଭାରତକୁ ୨୦୧୯ରେ ରାଫେଲ ଯୋଗାଣ ଆରମ୍ଭ କରିବ ବୋଲି ରାଜି ହୋଇଛି। ୨୦୧୬ ମସିହା ସେପ୍ଟେମ୍ବର ୨୩ ତାରିଖରେ ଭାରତ ଫ୍ରାନ୍ସ ସହିତ ରାଫେଲକୁ ନେଇ ଚୁକ୍ତି କରିଥିଲା।

Comment