ଓଡ଼ିଶାଲାଇଭ୍‌ ବ୍ୟୁରୋ 

କେନ୍ଦ୍ରାପଡ଼ା: ମହାଷ୍ଟମୀ ତିଥିରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ମା’ ବୁଢ଼ୀ ଜାଗୁଳାଇଙ୍କ ପୀଠରେ ବଳିପଡ଼ିଲେ ୬୧ଟି ବୋଦା। ରକ୍ତରଞ୍ଜିତ ହୋଇଗଲା ମା’ଙ୍କ ପୀଠ। ପୋଲିସର ହସ୍ତକ୍ଷେପ ଯୋଗୁଁ ୨୦୧୭ରେ ଏହି ପୀଠରେ ବଳି ପ୍ରଥା ବନ୍ଦ ରହିଥିଲା। କିନ୍ତୁ ଚଳିତ ବର୍ଷ ପୁଣିଥରେ ଆରମ୍ଭ ହୋଇଛି ପରମ୍ପରା। ପୋଲିସ ଏହି ପରମ୍ପରାକୁ ଅଟକାଇ ପାରିଲାନି। ଏବେ କାହା ଇସାରାରେ ମା’ଙ୍କ ପୀଠରେ ପୁଣି ବଳି ପ୍ରଥା ଆରମ୍ଭ ହେଲା ତାକୁ ଖୋଜୁଛନ୍ତି ଥାନା ବାବୁ।

ଗତ ବର୍ଷ ଠାକୁରାଣୀଙ୍କ ପୀଠରେ ବଳି ପକାଇ ନପାରି ଭକ୍ତମାନେ ପୀଠରେ ବଳି ବୋଦାକୁ ଛାଡ଼ି ଦେଇଥିଲେ। ହେଲେ ଏହି ବୋଦାମାନଙ୍କୁ ମାଂସ କଟାଳିମାନେ ଧରିନେଇ ବେପାର କରିବାରୁ ଏବର୍ଷ ବଳି ପକାଇବାକୁ ବାଧ୍ୟ ହେଲୁ ବୋଲି କହିଛନ୍ତି ଗ୍ରାମବାସୀ।

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଓସଙ୍ଗରା ଗାଁର ବୁଢ଼ୀ ଜାଗୁଳାଇ ମା’। ଭକ୍ତର ଭକ୍ତିରେ ଆନମନା ହୋଇଥାନ୍ତି ସେ। ଭକ୍ତିରେ ଡାକିଲେ ମା’ ଡାକ ଶୁଣନ୍ତି। ମା’ଙ୍କୁ ବୋଦାଟିଏ ଯାଚିଦେଲେ ଅସାଧ୍ୟ କାମ ସହଜରେ ହୋଇଯାଏ ବୋଲି ଲୋକମାନଙ୍କର ବିଶ୍ୱାସ ରହିଛି। ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତମାନେ ଜାଗୁଳାଇ ପୀଠକୁ ଧାଇଁ ଆସନ୍ତି।

ବର୍ଷ ବର୍ଷ ଧରି ଠାକୁରାଣୀ ବୁଢ଼ୀ ଜାଗୁଳାଇଙ୍କ ପୀଠରେ ବଳି ପ୍ରଥା ପ୍ରଚଳିତ ହୋଇ ଆସୁଥିଲା। ଆଶ୍ୱିନ ମାସ ଅଷ୍ଟମୀ ତିଥିରେ ମା’ଙ୍କ ଛାମୁରେ ଛେଳି, ମେଣ୍ଢା ଆଦିକୁ ବଳି ଦିଅନ୍ତି ରାଉଳ। ଚଣ୍ଡି ବେସରେ ପୂଜା ପାଉଥିବା ମା’ଙ୍କ ନିକଟରେ ଏହି ବଳି ପଶୁର ରକ୍ତକୁ ଏକ ନୂଆ ମାଟି ସରାରେ ଅର୍ପଣ କରନ୍ତି ପୁଜାରୀ।

ବିଭିନ୍ନ ଶକ୍ତି ପୀଠରେ କୁତ୍ସିତ ବଳି ପରମ୍ପରାକୁ ବନ୍ଦ କରାଯାଇଥିବା ବେଳେ ପଟ୍ଟାମୁଣ୍ଡାଇର ଓସଙ୍ଗରା ଜାଗୁଳାଇଙ୍କ ପୀଠରେ ପଟ୍ଟାମୁଣ୍ଡାଇ ପୋଲିସ ଓ କେତେକ ସଚେତନ ନାଗରିକ ୨୦୧୭ ମସିହାରେ ଏହି ବଳି ପ୍ରଥାକୁ ବନ୍ଦ କରିଥିଲେ। କେବଳ ଠାକୁରାଣୀଙ୍କର ନିଜସ୍ୱ ଏକ ବୋଦାକୁ ଲୁଚାଇ ବଳି ଦେଇଥିଲେ ଗାଁ ଲୋକେ। ବିଭିନ୍ନ ଗାଁ ମାନଙ୍କରୁ ଭକ୍ତମାନେ ଜାଗୁଳାଇଙ୍କ ନିକଟକୁ ମାନସିକ ବଳି ନେଇ ଆସିଥିବା ବୋଦାମାନଙ୍କ ମୁଣ୍ଡରେ ସିନ୍ଦୂର ଦେଇ ମା’ଙ୍କ ନିକଟରେ ଛାଡ଼ି ଦେଇଥିଲେ। ହେଲେ ଏହି ବୋଦାମାନଙ୍କୁ ମୁସଲମାନ ସମ୍ପ୍ରଦାୟର ମାଂସ କଟାଳିମାନେ ଧରିନେଇ ବ୍ୟବସାୟ କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ସହିତ ସେମାନଙ୍କର  ଝଗଡ଼ା ହୋଇଥିଲା। ଏଣୁ ଗ୍ରାମବାସୀମାନେ ଆଲୋଚନା କରି ଚଳିତ ବର୍ଷ ମା’ଙ୍କ ପୀଠରେ ବଳି ପକାଇଛନ୍ତି।

ମହାଷ୍ଟମୀ ତିଥିରେ ଜାଗୁଳାଇଙ୍କ ପୀଠରେ ବୋଦାବଳି ପଡିଛି। କଟକ ଜିଲ୍ଲାର ଅସୁରେଶ୍ୱର ଅଞ୍ଚଳରୁ ଆସିଥିଲେ ରାଉଳ। ମାନସିକଧାରୀ ଭକ୍ତମାନଙ୍କର ୬୧ଟି ବୋଦାଙ୍କୁ ମା’ଙ୍କ ଛାମୁରେ ବଳି ଦିଆଯାଇଥିଲା।

ପଟ୍ଟାମୁଣ୍ଡାଇ ସହରରେ ଦୁର୍ଗା ପୂଜାର ଧୁମ ଚାଲିଛି। ପଟ୍ଟାମୁଣ୍ଡାଇ ପୋଲିସ ଦୁର୍ଗା ପୂଜା ପାଇଁ ବ୍ୟସ୍ତ ରହିଛି। ଓସଙ୍ଗରାର ମା’ ଜାଗୁଳାଇ ପୀଠର ବୋଦାବଳିର ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲା ପୋଲିସ।

ଆଜି ବିଭିନ୍ନ ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବାପରେ ଚେଇଁ ଉଠିଛି ପୋଲିସ। ଘଟଣାରେ ତଦନ୍ତ ଆରମ୍ଭ କରିଛି। ବନ୍ଦ ଥିବା ବଳି ପ୍ରଥାକୁ କିଏ ଆରମ୍ଭ କଲା ତାକୁ ନେଇ ଛାନଭିନ କରୁଛି। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଟ୍ଟାମୁଣ୍ଡାଇ ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ସୂଚନା ଦେଇଛନ୍ତି।

Comment