ଓଡ଼ିଶାଲାଇଭ୍ ବ୍ୟୁରୋ

ସାଜିଥିଲା ସେ ନକଲି ରାବଣ ହେଲେ ସେ କ’ଣ ଜାଣିଥିଲା ସତରେ ତା’ର ମୃତ୍ୟୁ ଘଟିବ! ଏମିତି ଦୁଃଖଦ ଘଟଣା ଘଟିଛି ପଞ୍ଜାବର ଅମୃତସରରେ।

ଆତସବାଜିରେ ଚତୁର୍ଦିଗ ହେଉଥିଲା ପ୍ରକମ୍ପିତ। ଅସତ୍ୟ ଉପରେ ସତ୍ୟର ଜୟ ସମସ୍ତଙ୍କୁ କରିଥିଲା ଖୁସିରେ ଆତ୍ମହରା ଆଉ ସମସ୍ତେ ମଜା ନେଉଥିଲେ ରାବଣ ପୋଡ଼ିର। କିନ୍ତୁ ହଠାତ୍ କାଳରୂପୀ ଯମ ସାଜି ମାଡ଼ି ଆସିଥିଲା ଟ୍ରେନ ଏବଂ ମାତ୍ର ୧୫ ସେକେଣ୍ଡରେ ଚାଲି ଯାଇଥିଲା ୬୦ ନୀରିହ ଜୀବନ। ଏହି ୬୦ଜଣଙ୍କ ମଧ୍ୟରେ ଗୋଟିଏ ନାଁ ରହିଛି ଦଲ୍‌ବୀର ସିଂ, ଯିଏ ପ୍ରତିବର୍ଷ ସେଠାରେ ରାବଣ ଭୂମିକାରେ ଅଭିନୟ କରନ୍ତି।

ଚଳିତ ବର୍ଷ ଆୟୋଜିତ ହୋଇଥିବା ରାମଲୀଳା ସରିବା ପରେ ସମସ୍ତେ ଦଲ୍‌ବୀରଙ୍କ ଅଭିନୟକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ବର୍ଷ ମଧ୍ୟ ତାଙ୍କୁ ରାବଣ ହେବାକୁ ଲୋକ ବଧେଇ ଦେଉଥିଲେ। କିନ୍ତୁ କେହି ଜାଣି ନଥିଲେ ଏହାଥିଲା ତାଙ୍କ ଜୀବନର ଶେଷ ରାବଣ ଭୂମିକା।

ନିଜ ଭୂମିକାରେ ନିଖୁଣ ଅଭିନୟ କରିବା ପରେ ସେ ଚାଲିଯାଇଥିଲେ, ରାବଣ ପୋଡ଼ି ଉତ୍ସବ ଦେଖିବା ପାଇଁ। ପାଖରୁ ରାବଣ ପୋଡ଼ି ଦେଖିବା ପାଇଁ ସେ ଅଜାଣତରେ ରେଳଧାରଣାର ଅତି ନିକଟକୁ ପଳାଇଥିଲେ  । ମାତ୍ର ତାଙ୍କର ରାବଣ ପୋଡ଼ି ଦେଖିବାର ଏହି ମଜା ସବୁଦିନ ତାଙ୍କ ପାଇଁ ପାଲଟି ଗଲା ସଜା ଏବଂ ତାଙ୍କ ୮ମାସର ପୁଅ ହୋଇଗଲା ବାପ ଛେଉଣ୍ଡ।

ସୁଚନା ଅନୁଯାୟୀ ଦଲ୍‌ବୀର ସିଂଙ୍କ ଘରେ ତାଙ୍କ ୮ମାସର ପୁଅ ସମେତ ରହିଛନ୍ତି ତାଙ୍କ ସ୍ତ୍ରୀ ଓ ମା’। ଯେଉଁମାନେ ଏ ଯାଏଁ ଦଲ୍‌ବୀରଙ୍କ ମୃତ୍ୟୁକୁ ନେଇ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ।

“ମୋ ପୁଅ ଛଡା ଆମର ଆଉ କେହି ସାହାଭରସା ନାହାନ୍ତି, ଏବେ ଆମେ କରିବୁ କ’ଣ, ବଞ୍ଚିବୁ କେମିତି?” କୋହଭରା କଣ୍ଠରେ କହିଛନ୍ତି ଦଲ୍‌ବୀରଙ୍କର ମା’ ସାୱନ କୌର।

ଏବେ ଏଇ ମା’ ଆଖିରୁ କିଏ ପୋଛିବ ଲୁହ? କିଏ ଏ ପରିବାରକୁ ସାନ୍ତ୍ୱନା ଦେବ? ଦଲ୍‌ବୀର ସିନା ଚାଲିଗଲେ ହେଲେ ସବୁଦିନ ପାଇଁ ନିଜ ମା’ ସ୍ତ୍ରୀ ଓ କୁନି ପୁଅକୁ ଜୀବନରେ ସବୁଦିନ ପାଇଁ ଭରି ଦେଇଗଲେ ଦୁଃଖର କଳା ବାଦଲ।

Comment