ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧରା ପୃଷ୍ଠରେ ସରିଗଲା ମା’ ଦୁର୍ଗାଙ୍କ ଲୀଳାଖେଳା। ମହାଷଷ୍ଠୀଠାରୁ ଆରମ୍ଭ ହୋଇଥିବା ପୂଜା ଦଶହରାରେ ଶେଷ ହେବା ପରେ ଆଜି ମା’ଙ୍କୁ ଦିଆଯାଉଛି ମେଲାଣି। ବାଜା, ବାଣ ରୋଷଣୀରେ ମା’ଙ୍କୁ ଶୋଭାଯାତ୍ରାରେ ନିଆଯାଇ ବିଦାୟ ଦିଆଯାଉଛି। ଏଥିପାଇଁ ଟୁଇନ୍ ସିଟି କଟକ ଏବଂ ଭୁବନେଶ୍ୱର କମ୍ପୁଛି। ବାଜା, ଘଣ୍ଟାଘଣ୍ଟାର ତାଳେ ତାଳେ ଭକ୍ତମାନେ ନାଚି ନାଚି ମା’ଙ୍କୁ ଖୁସି ମନରେ ବିଦାୟ ଦେଉଥିବା ବେଳେ ଆତସବାଜିରେ କମ୍ପୁଛି ସାରା ସହର।

ଭାଇଚାରାର ସହର କଟକରେ ବଡ଼ ଜାକଜମକରେ ପାଳନ କରାଯାଉଛି ଭଷାଣୀ ଉତ୍ସବ। ମା’ ଦୁର୍ଗାଙ୍କୁ ଖୁସି ମନରେ ବିଦାୟ ଦେଉଛନ୍ତି କଟକବାସୀ। ବିଭିନ୍ନ ସାହିରୁ ମେଢ଼ ବାହାରି ଦେବୀଗଡ଼ା ମୁହାଁ ହୋଇଛନ୍ତି। କାଠଯୋଡ଼ି ନଦୀର ଦେବୀଗଡ଼ାରେ ପ୍ରଶାସନ ପକ୍ଷରୁ କରାଯାଇଥିବା ଅସ୍ଥାୟୀ ପୋଖରୀରେ ମା’ଙ୍କୁ ବିସର୍ଜନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୬୦ରୁ ଅଧିକ ମୂର୍ତ୍ତି ବିସର୍ଜନ କରାଯାଇଛି। ଚଳିତ ବର୍ଷ କଟକରେ ୧୬୦ଟି ମେଢ଼ ତିଆରି ହୋଇଥିଲା।

କଟକରେ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭଷାଣୀ ଉତ୍ସବ। ମେଢ଼ଗୁଡ଼ିକ ସାହି ପରିକ୍ରମା କରିବା ପରେ ଦେବୀଗଡ଼ା ଅଭିମୁଖେ ଯାତ୍ରା କରିଥିଲେ। ଫଳରେ ଦେବୀଗଡ଼ାରୁ ବକ୍ସିବଜାର ଯାଏଁ ମେଢ଼ର ଲମ୍ବା ଲାଇନ ଲାଗିଛି। ସାହି ମୁରବୀମାନେ ଫୁଲମାଳ ପକାଇ ମେଢ଼ ସାମ୍ନାରେ ଚାଲୁଥିବା ବେଳେ ଡିଜେ ସାଉଣ୍ଡ, ସମ୍ବଲପୁରୀ ବାଜା, ସିଂହ ବାଜାର ତାଳେତାଳେ ପୂରା କଟକବାସୀ ଝୁମୁଛନ୍ତି। ଭିଡ଼ ନିୟନ୍ତ୍ରଣ ପାଇଁ କଟକରେ ୬୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଭଷାଣୀ ଉତ୍ସବ ଜମୁଛି। ସହିଦନଗର ପୂଜାମଣ୍ଡପ ଏବଂ ନୟାପଲ୍ଲୀ ପୂଜା ମଣ୍ଡପ ପାଖରେ ବିଭିନ୍ନ ପୂଜା କମିଟିର ମେଢ଼ ପହଞ୍ଚିବା ପରେ ଭଷାଣୀ ଯାତ୍ରା ଆରମ୍ଭ ହୋଇଥିଲା। ମା’ଙ୍କୁ ବିଦାୟ ଦେବା ପାଇଁ ପ୍ରଶାସନ ପକ୍ଷରୁ ଦୟା ନଦୀଠାରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ଗୋଟିଏ ପରେ ଗୋଟିଏ ପୂଜା କମିଟି ଶୋଭାଯାତ୍ରାରେ ଆସି ମା’ଙ୍କୁ ବିଦାୟ ଦେଉଛନ୍ତି। ଭୁବନେଶ୍ୱରରେ ୩୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

Comment