ଓଡ଼ିଶାଲାଇଭ୍ ବ୍ୟୁରୋ

ଛତିଶଗଡ଼ ଦାନ୍ତେଓ୍ୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ନିହତ ହୋଇଥିବା ଅଚ୍ୟୁତାନନ୍ଦ ସାହୁଙ୍କ ମରଶରୀର ବୁଧବାର ତାଙ୍କ ଗାଁକୁ ଅଣାଯାଇଛି। ତାଙ୍କର ଗାଁ ବଲାଙ୍ଗିର ଜିଲ୍ଲା ଘୁଷୁରାମୁଣ୍ଡାରେ। ଅଚ୍ୟୁତାନ୍ଦଙ୍କ ମୃତ ଶରୀର ତାଙ୍କ ଜନ୍ମମାଟିରେ ପହଁଚିବାପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି।
ଅଚ୍ୟୁତାନନ୍ଦ ଦୂରଦର୍ଶନରେ ଗ୍ରେଡ୍-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାମ କରୁଥିଲେ। ନକ୍ସଲ ପ୍ରଭାବିତ ଛତିଶଗଡ଼ର ଦାନ୍ତେୱାଡ଼ାରେ ଉନ୍ନୟନମୂଳକ କାମ କେତେଦୂର ହୋଇଛି ଏବଂ ନିର୍ବାଚନ ମାହୋଲ କେମିତି ଅଛି ସେନେଇ ନୂଆଦିଲ୍ଲୀରୁ ଖବର ସଂଗ୍ରହ କରିବାକୁ ଦୂରଦର୍ଶନର ତିନି ଜଣିଆ ଟିମ୍ ଆସିଥିଲେ। ନକ୍ସଲ ପ୍ରଭାବିତ ଦାନ୍ତେୱାଡ଼ାରେ ଖବର ସଂଗ୍ରହ କରୁଥିବା ଦୂରଦର୍ଶନ ଟିମ୍କୁ ସହାୟତା କରୁଥିଲେ ସୁରକ୍ଷା କର୍ମୀ। କିନ୍ତୁ ଖବର ସଂଗ୍ରହ କରୁ କରୁ ସେମାନେ ମାଓବାଦୀଙ୍କ ଆମ୍ବୁସ୍ ଭିତରେ ଫସି ଯାଇଥିଲେ।

ଦୂରଦର୍ଶନ ଟିମ୍ ଏବଂ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ ମାଓବାଦୀ। ସୁରକ୍ଷା କର୍ମୀମାନେ ପାଲଟା ଗୁଳି ଚାଳନା କରିଥିଲେ। ହେଲେ ମାଓବାଦୀଙ୍କ ଗୁଳିରେ ଦୁଇ ସୁରକ୍ଷା କର୍ମୀଙ୍କ ସମେତ ଦୂରଦର୍ଶନର କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ଟଳି ପଡ଼ିଥିଲେ। ତାଙ୍କ ମରଶରୀରକୁ ତାଙ୍କ ଜନ୍ମମାଟିକୁ ଅଣାଯାଇଛି।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି।


















