ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନାଞ୍ଚଳ ହାବେଳି ଖଟିର ସମୁଦ୍ର ଉପକୂଳରେ ଗୁରୁବାର ଏକ ବିଶାଳକାୟ ତିମିର ମୃତ ଦେହ ଠାବ କରାଯାଇଛି।

ସମୁଦ୍ର ମଧ୍ୟରେ ବାସ କରୁଥିବା ସମୁଦ୍ରର ସବୁଠାରୁ ବଡ଼ ଜଳଚର ପ୍ରାଣୀ ତିମି ଏବେ ବିପଦରେ। କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବନାଞ୍ଚଳ ହାବେଳି ଖଟିର ସମୁଦ୍ର ଉପକୂଳରେ ଗୁରୁବାର ଏକ ବିଶାଳକାୟ ମୃତ ତିମି ଦେଖିବାକୁ ମିଳିଛି। ଏହି ତିମିର ଲମ୍ବ ୫୨ ଫୁଟ।

ଏହାର ଦେହାବିଶେଷ ଗଳିତ ହେବାକୁ ବସିଲାଣି। ସମ୍ଭବତଃ ଏହି ତିମି ମାଛଟିର ଅନେକ ଦିନ ହେବ ମୃତ୍ୟ ଘଟିଛି। ତେବେ ଏହି ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ବନ ବିଭାଗ କର୍ତ୍ତୃପକ୍ଷଙ୍କ କହିବାନୁସାରେ, “ସମୁଦ୍ରର ଏହି ବିଶାଳକାୟ ପ୍ରାଣୀମାନେ ଗଭୀର ସମୁଦ୍ରରେ ବାସ କରନ୍ତି। ତେଣୁ ସେମାନେ ସହଜରେ ମରନ୍ତି ନାହିଁ।

ହୁଏତ ଗଭୀର ସମୁଦ୍ର ମଧ୍ୟରେ ସମୁଦ୍ର ଜାହାଜର ପ୍ରେପଲର ଦ୍ୱାରା ଗଭୀର ଆଘାତ ପ୍ରାପ୍ତ ହୋଇ ମାରି ପାରନ୍ତି। ନହେଲେ କୌଣସି ରୋଗଗ୍ରସ୍ତରେ କିମ୍ବା ବୃଦ୍ଧ ହୋଇ ଗଲେ ମଧ୍ୟ ତିମିର ମୃତ୍ୟୁ ହୋଇପାରେ।”

ତେବେ ମୃତ ତିମିର ଶବ ବ୍ୟବଚ୍ଛେଦ କରା ନ ଗଲେ ସଠିକ ତଥ୍ୟ କହି ହେବ ନାହିଁ ବୋଲି କୁହାଯାଉଛି। ୨୦୧୭ ମସିହାରେ ମଧ୍ୟ ଏହି ହାବେଳି ଖଟିର ନିକଟରେ ଆଉ ଏକ ବିଶାଳକାୟ ତିମିର ମୃତ ଦେହ ଠାବ କରାଯାଇଥିଲା।

ସମୁଦ୍ର ମଧ୍ୟରେ କୌଣସି ଜୀବର ଯଦି ମୃତ୍ୟୁ ଘଟେ, ତେବେ ସମୁଦ୍ର ସେଗୁଡ଼ିକୁ ସମୁଦ୍ର କୂଳରେ ଆଣି ଛାଡ଼ି ଦେଇଥାଏ। ବନ ବିଭାଗର ଏହି ଅଗମ୍ୟ ସ୍ଥାନ ପାଖକୁ ସାଧାରଣ ଲୋକମାନେ ସହଜରେ ଯାଇ ପାରୁ ନଥିବାରୁ ତିମି ମାଛକୁ ଦେଖିବାକୁ ଲୋକମାନଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଛି।

Comment