ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାର ମଣ୍ଡେଇ ପଡ଼ିଆଠାରେ ୩ ଦିନ ଧରି ଲୋକ ମହୋତ୍ସବ ମଣ୍ଡେଇ ୨୦୧୮ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମହୋତ୍ସବ ଡିସେମ୍ବର ୭, ୮ ଓ ୯ ତାରିଖରେ ହେବ। ଏହାପରେ ୧୦ ଓ ୧୧ ତାରିଖରେ ଆରମ୍ଭ ହେବ ପଲ୍ଲିଶ୍ରୀ ମେଳା।

ଏହି ଉପଲକ୍ଷେ  ଚଳିତ ମାସ ୧୮ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାସ୍ଥିତ ପାପଡାହାଣ୍ଡି ନୀଳକଣ୍ଠେଶ୍ୱର ମନ୍ଦିରରୁ ମଣ୍ଡେଇ ମହୋତ୍ସବର ଶୁଭାରମ୍ଭ କରାଯିବ। ଏହି ମହୋତ୍ସବକୁ ମହା ସମାରୋହରେ ପାଳନ କରିବା ପାଇଁ ବିଭିନ୍ନ ସବ୍‌କମିଟି ଗଠନ କରାଯାଇଛି।

ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥିତ ଅଶୋକ ମେହେଟ୍ଟା ସମ୍ମିଳନୀ କକ୍ଷରେ ସମସ୍ତ କମିଟିର ଅଧ୍ୟକ୍ଷମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ କମିଟିର ଅଧ୍ୟକ୍ଷ ନିଜ ନିଜ କମିଟିର କର୍ଯ୍ୟଗୁଡିକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି।

ମଣ୍ଡେଇ ମହୋତ୍ସବ ପାଇଁ ଆବଶ୍ୟକ ପାଣ୍ଠି ଗଚ୍ଛିତ ନ ଥିବାରୁ ଏନେଇ ଆବଶ୍ୟକ ପାଣ୍ଠି ସଂଗ୍ରହରେ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କ ସହଯୋଗ କାମନା କରିଥିଲେ । ସୀମିତ ବଜେଟ ମଧ୍ୟରେ ସମସ୍ତ କମିଟି ନିଜ ନିଜ ଦାୟିତ୍ୱ ନିର୍ବାହ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।

ଦୀର୍ଘ ୫ବର୍ଷ ଧରି ପ୍ରକାଶ ପାଇନଥିବା ମଣ୍ଡେଇ ସ୍ମରଣୀକା ଚଳିତ ବର୍ଷ ପ୍ରକାଶ ପାଇବ ଏବଂ ଲେଖକ ଲେଖିକାମାନେ ଡ଼ିଟିପି କରି  ଜିଲ୍ଲାର ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ, ଆଦିବାସୀ ଜନଜୀବନ, ପର୍ଯ୍ୟଟନ ସ୍ଥଳୀ ଆଧ୍ୟାତ୍ମିକ ବିଭୋବ, ଜିଲ୍ଲା ଗଠନ ଓ ପରବର୍ତ୍ତୀ ବିକାଶ, ସ୍ୱାଧୀନତା ସଂଗ୍ରାମ, ପ୍ରାକୃତିକ ବିଭୋବ, ତଥ୍ୟ ଭିତ୍ତିକ ପ୍ରବନ୍ଧ ଓ କବିତା କମିଟି ନିକଟରେ ଦାଖଲ କରିବେ ନଚେତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ଠିକଣାରେ ପଠାଇ ପାରିବେ ବୋଲି ଜିଲ୍ଲାପାଳ ଅଜିତ କୁମାର ମିଶ୍ର ସୂଚନା ଦେଇଥିଲେ।

ଏହି ବୈଠକରେ ଜିଲ୍ଲାପାଳ ଅଜିତ କୁମାର ମିଶ୍ରଙ୍କ ସମେତ ଉପଜିଲ୍ଲାପାଳ କରୁଣାକର ରାଇକା, ନବରଙ୍ଗପୁର ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ, ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ), ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲଙ୍କ ସମେତ ସମସ୍ତ ସବ୍‌କମିଟିର ଅଧ୍ୟକ୍ଷ ଉପସ୍ଥିତ ରହିଥିଲେ।

Comment