ଓଡ଼ିଶାଲାଇଭ୍ ବ୍ୟୁରୋ

 

ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୧୮ରେ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ପ୍ରତିଷ୍ଠିତ ବିଜନେସ୍ ଟାଇକୋନ୍‌ମାନେ ଓଡ଼ିଶାର ଅଗ୍ରଗତି, ବିକାଶ ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ନବୀନଙ୍କୁ ପ୍ରଶ୍ନ କରିଥିଲେ। ଯାହାର ଗୋଟି ଗୋଟି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରିଲାଏନ୍ସ ଗ୍ରୁପର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନବୀନଙ୍କୁ ୨ଟି ପ୍ରଶ୍ନ କରିଥିଲେ। ପ୍ରଥମେ ଶ୍ରୀ ଅମ୍ବାନୀ ପ୍ରଶ୍ନ କରିଥିଲେ ଯେ, ଓଡ଼ିଶାର ବିକାଶ ପାଇଁ କେଉଁ ଦିଗରେ ନିବେଶ କରିବାକୁ ଗୁରତ୍ୱ ଦେବେ? ଦ୍ୱିତୀୟରେ କ୍ରୀଡ଼ା କ୍ଷେତ୍ରର ବିକାଶ ନେଇ ଆପଣଙ୍କ ଆଭିମୁଖ୍ୟ କ’ଣ ରହିବ?

ମୁଖ୍ୟମନ୍ତ୍ରୀ ଅମ୍ବାନୀଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, “ଓଡ଼ିଶା ହେଉଛି ଖଣିଜ ସମ୍ପଦ ଭରା ରାଜ୍ୟ। ତେଣୁ ରାଜ୍ୟର ଉନ୍ନତି ପାଇଁ ଖଣିଜ ସମ୍ପଦର ସଦୁପଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱ ଦିଆଯିବ, ଏହା ଫଳରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏହାସହ କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକା ସର୍ବଦା ସ୍ପଷ୍ଟ ରହିଛି। କାରଣ କ୍ରୀଡ଼ାମାନେ ହିଁ ଯୁବପିଢ଼ି ଆଉ ଯୁବପିଢ଼ି ହିଁ ଆମର ଆଗାମୀ ଭବିଷ୍ୟତ।”

ଶିଳ୍ପପତିଙ୍କୁ ମଧ୍ୟରୁ ଆପୋଲ ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ସୁନିତା ରେଡ୍ଡୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ପ୍ରଶ୍ନ କରିଥିଲେ। ପ୍ରଥମେ ସବୁଜ ସହର କରିବା ଦିଗରେ ଓଡ଼ିଶାର ଭୂମିକା ଏବଂ ସ୍ୱାସ୍ଥ୍ୟ ଯୋଜନାକୁ ନେଇ ସରକାରଙ୍କ ଆଭିମୁଖ୍ୟ କ’ଣ?

ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କହିଛନ୍ତି ଯେ, “ଓଡ଼ିଶାବାସୀ ହେଉଛନ୍ତି ବୃକ୍ଷ ପ୍ରିୟ। ଯେଉଁଥିପାଇଁ ଭାରତରେ ବୃକ୍ଷରୋପଣ କ୍ଷେତ୍ରରେ ଓଡ଼ିଶା ସବୁଠାରୁ ଆଗରେ ରହିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ରାଜ୍ୟବାସୀଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ନୀତି ଆରମ୍ଭ କରିଛନ୍ତି। ଯେଉଁଥିରେ ସଭିଏଁ ଉପକୃତ ହୋଇ ପାରିବେ।”

ବେଦାନ୍ତର ମୁଖ୍ୟ ଅନିଲ ଅଗ୍ରୱାଲ ମଧ୍ୟ ପ୍ରଶ୍ନ କରିଥିଲେ ଯେ, ପ୍ରକୃତି ସୌନ୍ଦର୍ଯ୍ୟଭରା ଓଡ଼ିଶାକୁ କିଭଳି ଅଧିକ ବିକାଶ କରିବେ, ଯାହାଦ୍ୱାରା ଓଡ଼ିଶାକୁ ପର୍ଯ୍ୟଟକମାନେ ଆକର୍ଷିତ ହେବେ? ଏହାର ଉତ୍ତରରେ ନବୀନ କହିଛନ୍ତି, “ଚିଲିକା ହ୍ରଦ ଏବଂ ଅନେକ ଐତିହାସିକ ମନ୍ଦିରମାନ ଓଡ଼ିଶାରେ ରହିଛି, ତେଣୁ ପର୍ଯ୍ୟଟନ ବିକାଶ ଦିଗରେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଉଛନ୍ତି।”

ଜେଏସଡବ୍ଲୁର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ସ୍କିଲ ଡେଭଲପମେଣ୍ଟକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ମୁଖ୍ୟମନ୍ତ୍ରୀ ରଖିଥିଲେ ଏବଂ କହିଥିଲେ “ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରାଜ୍ୟରେ ଅଧିକ କୁଶଳୀ ସୃଷ୍ଟି କରିବା। ଯେଉଁଥିପାଇଁ ସିଙ୍ଗାପୁରରେ ସହଭାଗିତାରେ ୧୦୦ ଶିକ୍ଷକଙ୍କୁ ସେଠାକୁ ସ୍କିଲ୍ ଡେଭଲପମେଣ୍ଟ ତାଲିମ ପାଇଁ ପଠାଯାଇଛି। ସେମାନେ ରାଜ୍ୟର ଯୁବପିଢ଼ିଙ୍କୁ ଦକ୍ଷତା କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରିବେ।”

ଏଭଳି କରି ବିଭିନ୍ନ ସଂସ୍ଥାର ସମସ୍ତ ଶିଳ୍ପପତିଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Comment