ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ଜିଲ୍ଲାପରିଷଦ ବୈଠକରେ ଗୃହୀତ ହେଉଥିବା ବିଭିନ୍ନ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ ସଠିକ ଭାବରେ କାର୍ଯ୍ୟକାରୀ କରାଯାଉନି। ଜିଲ୍ଲାପରିଷଦ ସଭାରେ ବରିଷ୍ଠ ଅଧିକାରୀମାନେ ଅନୁପସ୍ଥିତ ରହି ତଳିଆ କର୍ମଚାରୀମାନଙ୍କୁ ପଠାଇ କେବଳ ଔପଚାରିକ ଭାବେ ବୈଠକରେ ନିଜର ପକ୍ଷ ରଖୁଛନ୍ତି।

ଏପରିକି ଯେଉଁ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହୁଛନ୍ତି ସେମାନେ ଯୋଜନାଗୁଡିକୁ ମନମାନିରେ ପରିଚାଳନା କରୁଥିବା କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ବୈଠକରେ ଅଭିଯୋଗ କରିଛନ୍ତି ବରିଷ୍ଠ ସଦସ୍ୟ ଗଣେଶ ଚନ୍ଦ୍ର ସାମଲ।

ଜିଲାପରିଷଦ ବୈଠକକୁ ବେଖାତିର କରୁଥିବା ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଦସ୍ୟମାନେ ଦାବି କରିଛନ୍ତି।

ଛଅ ମାସ ଅତିବାହିତ ହେବା ପରେ କେନ୍ଦ୍ରାପଡ଼ା ଜିଲ୍ଲା ୫ମ ଜିଲ୍ଲାପରିଷଦର ୪ର୍ଥ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା।

ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ଜିଲାରେ ଖରିଫ ଫସଲ ବ୍ୟାପକ କ୍ଷତି ହୋଇଥିବା ବେଳେ ଜିଲ୍ଲା କୃଷିବିଭାଗର ଉପର ଠାଉରିଆ ରିପୋର୍ଟକୁ ନେଇ ସଦସ୍ୟମାନେ ତୁମ୍ବି ତୋଫାନ କରିଥିଲେ।

ଜିଲ୍ଲାରେ ମାତ୍ର ୨୪ ହଜାର ହେକ୍ଟର ଧାନ ଜମିରେ କ୍ଷତି ଘଟିଥିବା କୃଷି ବିଭାଗ ରିପୋର୍ଟ ଦେଇଥିବାରୁ ସଦସ୍ୟମାନେ ପାଟିତୁଣ୍ଡ କରିଥିଲେ। କୃଷି ବିଭାଗ ଗୃହରେ ତିତ୍‌ଲି କ୍ଷୟକ୍ଷତିର ବିସ୍ତୃତ ରିପୋର୍ଟ ରଖିବାକୁ ଦାବି କରିଥିଲେ ସଦସ୍ୟମାନେ। କୃଷି ବିଭାଗର ଏହି ମନଗଢ଼ା ରିପୋର୍ଟରେ ଆଳି ଓ କନିକା ବ୍ଲକକୁ କ୍ଷୟକ୍ଷତିରୁ ବାଦ ଦିଆଯାଇଥିବାରୁ ବୈଠକରେ ଉତ୍ତେଜନା ସୃଷ୍ଟି କରିଥିଲା।

ସେହିପରି ଜିଲ୍ଲାରେ ଉପଯୁକ୍ତ ହିତାଧିକାରୀମାନଙ୍କୁ ରାସନ କାର୍ଡରୁ ବାଦ ଦିଆଯାଇ ଥିଲାବାଲା ଲୋକଙ୍କୁ ରାସନ କାର୍ଡ ପ୍ରଦାନ କରାଯାଉଥିବା ଅଭିଯୋଗ କରିଥିଲେ ସଦସ୍ୟମାନେ। ରାସନ କାର୍ଡ ପାଇଁ ଉପଯୁକ୍ତ ପରିବାର ଚୟନ କରିବାକୁ ଦାବି ହୋଇଥିଲା।

ଏହାଛଡା ଜିଲ୍ଲାରେ ମନରେଗା ଯୋଜନାରେ ଅଧିକ ଶ୍ରମଦିବସ ସୃଷ୍ଟି କରିବା ସହିତ ଅଧିକରୁ ଅଧିକ ଗୋଷ୍ଠୀ ସମ୍ପତ୍ତି ସୃଷ୍ଟି କରିବାକୁ ପ୍ରସ୍ତାବ ଗୃହିତ ହୋଇଛି।  ଜିଲାରେ ଦିନକୁ ଦିନ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗୁଡୁଥିବାରୁ ବୈଠକ ଉଦବେଗ ପ୍ରକାଶ ପାଇଥିଲା। ଏହି ଗୁରୁତ୍ୱପୂର୍ଣ୍ଣ ସରକାରୀ ବ୍ୟବସ୍ଥାରେ ସୁଧାର ଆଣିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି।

ଜିଲ୍ଲାରେ ବିଭିନ୍ନ ଯାନ୍ତ୍ରୀକ ବିଭାଗରେ ବହୁ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ବିନା ଟେଣ୍ଡରରେ କରାଯାଉଥିବା ସଦସ୍ୟମାନେ ଅଭିଯୋଗ କରିଥିଲେ। ଯେଉଁ ଉନ୍ନୟନ ପ୍ରକଳ୍ପଗୁଡ଼ିକୁ ବିନା ଟେଣ୍ଡରରେ କରାଯାଉଛି ସେଗୁଡ଼ିକର ତାଲିକା ବୈଠକରେ ପ୍ରଦାନ କରିବାକୁ ସଦସ୍ୟମାନେ ଦାବି କରିଥିଲେ।

କେନ୍ଦ୍ରାପଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଦାଶରଥୀ ଶତପଥୀ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, ଜିଲାପରିଷଦ ଉପ-ସଭାନେତ୍ରୀ ସୁମିତ୍ରା ସାହୁ, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜକାନ୍ତ ସାହୁ, ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସଙ୍କ ସମେତ  ଜିଲାପରିଷଦର ସଦସ୍ୟ ଓ ସଦସ୍ୟାମାନେ ଯୋଗ ଦେଇଥିଲେ।

Comment