ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ସାଧାରଣ ନିର୍ବାଚନକୁ ଅ।ଖି ଅ।ଗରେ ରଖି ଅନ୍ୟ ରାଜନୈତିକ ଦଳମାନଙ୍କ ପରି କଂଗ୍ରେସ ଦଳ ବି ତାର ରଣକୌଶଳ ଆପଣେଇଛି। ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ନେବାପରେ ବିଭିନ୍ନ ଜିଲ୍ଲାକୁ ଗସ୍ତ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ମୟୂରଭଂଜ ଜିଲ୍ଲାକୁ ପର୍ଯ୍ୟାୟକ୍ରମେ ଗସ୍ତ ଆରମ୍ଭ କରିଛନ୍ତି। କପ୍ତିପଦାଠାରେ ଅ।ୟୋଜିତ ଜନଜାଗରଣ ମଞ୍ଚରେ ଯୋଗଦେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମୟୂରଭଞ୍ଜ ଜିଲ୍ଲା ପ୍ରତି ଅବହେଳା କରିଥିବା ଅଭିଯୋଗ କରିଥିଲେ।

କପ୍ତିପଦା ବ୍ଲକ ଅନ୍ତର୍ଗତ ବିରାପାନ ପଡିଆଠାରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ହେମନ୍ତ ଦାସଙ୍କ ପୌରହିତ୍ଵରେ ଆୟୋଜିତ କର୍ମୀ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଦଳୀୟ କର୍ମୀଙ୍କ କାନରେ ଫୁଙ୍କିଥିଲେ ନିର୍ବାଚନୀ ମନ୍ତ୍ର। ମୟୂରଭଞ୍ଜ ଜିଲ୍ଲା ପ୍ରାକୃତିକ ସମ୍ପଦରେ ଭରପୂର ଥାଇ ବି ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉଦାସିନତା ପାଇଁ ଜିଲ୍ଲାର ବିକାଶ ଅବହେଳିତ ହୋଇ ରହିଥିବା ସେ ଅଭିଯୋଗ କରିଥିଲେ। ଜିଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଗମନାଗମନ, ଜଳସେଚନ, କୃଷି ସବୁକ୍ଷେତ୍ରରେ ଅବହେଳିତ। ଏହି ଅବସରରେ ସେ ଜିଲ୍ଲାର କୃଷି ଶିଳ୍ପର ଭିତ୍ତିଭୂମି ବିକାଶ  ସାଙ୍ଗକୁ ଅପରାଧ ନିୟନ୍ତ୍ରଣ କରିବାକୁ ସରକାର ବିଫଳ ହେଉଥିବା ସେ ଅଭିଯୋଗ କରିଥିଲେ।

ଏହି କାର୍ଯ୍ୟକ୍ରମରେ କେତେକ ଜନକଲ୍ୟାଣ ଯୋଜନାମାନ ଘୋଷଣାକରି କଂଗ୍ରେସ ଦଳର ଆଭିମୁଖ୍ୟ ସମ୍ପର୍କରେ ସେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ସୁଶିଳା ତିରିୟା, ସରସ୍ଵତୀ ହେମ୍ରମ, ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତାମାନେ ଅଂଶଗ୍ରହଣ କରିଥିଲେ। ଅପରପକ୍ଷରେ ଜିଲ୍ଲାରେ ଥିବା ଅସନ୍ତୁଷ୍ଟ କଂଗ୍ରେସ ଦଳର କର୍ମୀ ଏବଂ ନେତାମାନେ ମୟୂରଭଞ୍ଜ ଜିଲ୍ଲାର ସୀମାନ୍ତରେ ଥିବା ଝରଣାଘାଟୀ ନିକଟରେ ପହଞ୍ଚି ମୁଖ୍ୟଅତିଥି ତଥା ପିସିସି ସଭାପତିଙ୍କୁ ସ୍ଵତନ୍ତ୍ରଭାବେ ସ୍ଵାଗତ କରି ଦଳ ଭିତରେ ଥିବା ଅସନ୍ତୋଷକୁ ପ୍ରକାଶ କରିଥିଲେ। ତେବେ ସଭାପତି ଏହି ଅସନ୍ତୋଷକୁ ଅତି ଚତୁରତାର ସହିତ ଗ୍ରହଣ କରି ସେଠାରେ ଅନୁଷ୍ଠିତ ସାଧାରଣସଭାରେ ମଧ୍ୟ ଅଂଶଗ୍ରହଣ କରି କଂଗ୍ରେସ ଦଳକୁ ମଜଭୂତ କରିବାକୁ ଆହ୍ଵାନ ଦେଇଥିଲେ।

Comment