ଓଡ଼ିଶାଲାଇଭ୍ ବ୍ୟୁରୋ
ତିନିଦିନିଆ ଗ୍ରସ୍ତରେ ନବରଙ୍ଗପୁର ଆସୁଛନ୍ତି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ। ଏବିଷୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଆଞ୍ଚଳିକ କେନ୍ଦ୍ର ସଞ୍ଚାଳିକା ରାଜଯୋଗିନୀ ନିଲମଜୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ପ୍ରଥମଥର ପାଇଁ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମାଉଣ୍ଟଆବୁର ୧୦୩ ବର୍ଷୀୟା ମୁଖ୍ୟ ରାଜଯୋଗିନୀ ଡକ୍ତର ଜାନକୀ ଦିଦିଜୀ ନଭେମ୍ବର ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଗ୍ରସ୍ତରେ ଆସୁଛନ୍ତି। ସେ ରାଜ୍ୟ ସରକାରଙ୍କ ଅତିଥି ଭାବେ ଯୋଗ ଦେଉଥିବା ଜଣାପଡ଼ିଛି।
ଦିଦିଜୀ ୨୧ ତାରିଖରେ ଜୟପୁର ବିମାନ ବନ୍ଦରରେ ହେଲିକପ୍ଟର ଯୋଗେ ପହଞ୍ଚିବେ। ସେଠାରୁ ଦିଦିଜୀଙ୍କୁ ନବରଙ୍ଗପୁରକୁ ଅଣାଯିବା ପରେ ସେ ସ୍ଥାନୀୟ ଆଞ୍ଚଳିକ କେନ୍ଦ୍ରରେ ରହିବେ। ଏଥିସହ ସେ ୨୫ ଜଣ କନ୍ୟା ସମର୍ପଣ ପରିବାରକୁ ଭେଟିବେ। ଏହାପରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାରୁ ଆସିଥିବା ବ୍ରହ୍ମକୁମାରୀମାନଙ୍କୁ ଦିଦିଜୀ ସମ୍ବର୍ଦ୍ଧିତ କରିବେ।
୨୨ ତାରିଖ ସକାଳେ ନବରଙ୍ଗପୁର ମଣ୍ଡେଇ ପଡ଼ିଆଠାରେ ରାଜଯୋଗ କରାଯିବା ପରେ ୨୫ଜଣ କନ୍ୟା ସମର୍ପିତ କାର୍ଯ୍ୟକ୍ରମରେ ଯୋଗ ଦେବେ ସେ। ଏହାପରେ ସନ୍ଧ୍ୟାରେ ସାଧାରଣ ସଭାରେ ଅଶିର୍ବାଚନ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।
ଶେଷ ଦିନ ଅର୍ଥାତ୍ ୨୩ ତାରିଖ ପୂର୍ବାହ୍ନରେ ଆଞ୍ଚଳିକ କେନ୍ଦ୍ରର ଉପର ମହଲରେ ସ୍ୱଦର୍ଶନ ଭବନର ଉଦ୍ଘାଟନ କରିବେ ସେ। ଏଥିସହ ଦିଦିଜୀ ଜେଟୁଗୁଡ଼ାଠାରେ ନିର୍ମାଣ ହେବାକୁ ଥିବା ଏକ ଏକର ଜମିରେ ଆନନ୍ଦ ସରବରର ଭୂମି ପୂଜନ କରିବେ। ଏଠାରେ ଏକ ହଜାର ଲୋକ ବସିଲା ଭଳି ସମ୍ମିଳନୀ କକ୍ଷ ଓ କ୍ଲାସ ରୁମ, ଦିସ୍ପେନସରି, ଆବାସିକ ଘର, ଅତିଥିଘର ରହିଛି। ଏହାପରେ ଏହାକୁ ବୃଦ୍ଧି କରାଯାଇ ୩ ଏକର ଜମିରେ ଏହାକୁ କରାଯିବାର ଯୋଜନା ରହିଥିବା ସୂଚନା ଦେଇଛନ୍ତି।
ଦିଦିଜୀ ଜଣେ ସ୍ଥିର ମସ୍ତିଷ୍କ ମହିଳା ଭାବେ ଆମେରିକାର ବୈଜ୍ଞାନିକମାନଙ୍କୁ ଦ୍ୱାର ଘୋଷିତ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱଚ୍ଛ ଭାରତ ମିଶନର ଅମ୍ବାସାଡର ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ୧୨ ଜଣ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଏମପି ସୌମ୍ୟ ରଞ୍ଜନ ପଟ୍ଟନାୟକ, ଦିଲ୍ଲୀ ଓମ୍ ଶାନ୍ତି ରିଟ୍ରିଟ କେନ୍ଦ୍ରର ନିର୍ଦ୍ଦେଶିକା ରାଜଯୋଗିନୀ ବି.କେ ଆଶା ଦିଦିଜୀ , ନବରଙ୍ଗପୁର ଓ ଡାବୁଗାଁ ବିଧାୟକ, କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି, ନବରଙ୍ଗପୁର ଜିଲ୍ଲାପାଳ ଏବଂ ଏସପି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।