ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରାଜିତା ଷଡ଼ଙ୍ଗୀ ପଦ୍ମ ଧରିବା ପରେ ଓଡ଼ିଶା ବିଜେପିରେ ବଢ଼ିଲା ନେତୃତ୍ୱ କନ୍ଦଳ।

ଓଡ଼ିଶାରେ ଯଦି ବିଜେପି ୨୦୧୯ରେ ସରକାର ଗଢ଼େ ତାହାଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ଏହି ପ୍ରଶ୍ନ ଗତ ୪ ବର୍ଷ ହେଲା ଉଠି ଆସୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ବିଜେପିର ପୋଷ୍ଟର ବୟ କରାଯାଇଥିବାରୁ ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଗତ କିଛିଦିନ ତଳେ ଏହି ଚର୍ଚ୍ଚାରେ ରୋକ୍ ଲାଗିଥିଲା।

ବିଜେପିର କିଛି ନେତା ମହିଳା ମୁଖ୍ୟମନ୍ତ୍ରୀ କଥା କହିଥିଲେ। ଏଣୁ ପ୍ରଶାସକରୁ ରାଜନେତା ପାଲଟିଥିବା ଅପରାଜିତା ଷଡ଼ଙ୍ଗୀଙ୍କ ନାଁକୁ ନେଇ ଚର୍ଚ୍ଚା ହେଲା। ମଙ୍ଗଳବାର ଅପରାଜିତା ନୂଆଦିଲ୍ଲୀରେ ଅମିତ ଶାହଙ୍କ ବାସଭବନରେ ପଦ୍ମ ଧରିଥିବା ବେଳେ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା ନୂଆ ମୋଡ଼ ନେଇଛି।

ଅପରାଜିତା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନୁହନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କହିଛନ୍ତି।

“ଅପରାଜିତା ନୂଆ କରି ଦଳରେ ସାମିଲ ହୋଇଛନ୍ତି। ସେ ବର୍ତ୍ତମାନ ବିଜେପିର ପ୍ରାଥମିକ ସଦସ୍ୟ। ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଆମର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ଆମେ ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢ଼ିବୁ”, କହିଛନ୍ତି ଜୁଏଲ ଓରାମ।

ଜୁଏଲ ଆହୁରି କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ନବୀନଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାରୁ ତାମିଲ ଶାସନ ହଟାଇବା।”

ଅପରାଜିତା ବିଜେପିରେ ଯୋଗଦେବା ଜଣାପଡ଼ିବବା ପରେ ଓଡ଼ିଶାରେ ମହିଳା ମୁଖ୍ୟମନ୍ତ୍ରୀ କଥା ଉଠିଥିଲା। ଅପରାଜିତାଙ୍କୁ ୨୦୧୯ ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇଛନ୍ତି ଜୁଏଲ।

ଧର୍ମେନ୍ଦ୍ର ଛାତ୍ର ରାଜନୀତିରୁ ସକ୍ରିୟ ରାଜନୀତିକୁ ଆସିଛନ୍ତି। ୧୯୮୫ରେ ସେ ତାଳଚେର କଲେଜ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ରେ ସେ ବିଧାୟକ ଏବଂ ୨୦୦୪ରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏବେ ସେ କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ରହିଛନ୍ତି। ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।

ଧର୍ମେନ୍ଦ୍ର ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଜୁଏଲ କହିବା ପରେ ବିଜେଡି ପ୍ରତିକ୍ରିୟା ରଖିଛି।

ବରିଷ୍ଠ ବିଜେଡି ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, “କିଏ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ହେଉଛି ତାଙ୍କ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ତେବେ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ କୌଣସି ପ୍ର ଭାବ ପଡ଼ିବ ନାହିଁ। ଓଡ଼ିଶାରେ ବିଜେପିର ସଙ୍ଗଠନ ନାହିଁ। ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ରହିଛି।”

Comment