ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ଵରରେ ଅପରାଜିତା ଷଡ଼ଙ୍ଗୀ। ଉତ୍ସାହିତ ବିଜେପି କର୍ମୀ।

“ମୁଁ ମୋ ନିଜ ଘରକୁ ଆସିବା ପରି ଲାଗୁଛି। ଏଥିରେ ମୁଁ ବହୁତ ଖୁସି, ଉତ୍ସାହିତ ଏବଂ ଆନନ୍ଦିତ। ଲୋକଙ୍କ ଉତ୍ସାହ ଦେଖି ମତେ ବହୁତ ଖୁସି ଲାଗୁଛି। ସମସ୍ତଙ୍କ ସହ ମିଳିମିଶି ଚାଲିବି। ବିଜେପିର ଜଣେ କର୍ମୀ ଭାବେ ସମସ୍ତଙ୍କ ସହ ହାତ ମିଳାଇ କାମ କରିବି”, କହିଛନ୍ତି ଅପରାଜିତା ଷଡ଼ଙ୍ଗୀ।

ଗତ ୨୭ ତାରିଖରେ ଅପରାଜିତା ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବାସଭବନରେ ବିଜେପିରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାମ କରିବାର ଶୈଳୀ ଏବଂ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ବିଜେପିରେ ଯୋଗ ଦେଇଥିବା ଅପରାଜିତା କହିଥିଲେ।

ବିଜେପିରେ ଯୋଗ ଦେବାର ଦିନକ ପରେ ଅପରାଜିତା ଭୁବନେଶ୍ୱର ଆସିଛନ୍ତି। ଗୁରୁବାର ଭୁବନେଶ୍ୱର ଏୟାରପୋର୍ଟରେ ଅପରାଜିତା ପହଞ୍ଚିବା ପରେ ଅପରାଜିତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇ ବିଜେପି ପାର୍ଟି ଅଫିସ ଅଭିମୁଖେ ପାଛୋଟି ନିଆଯାଇଥିଲା।

“ଓଡ଼ିଶାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଭାରତରେ ପରିଚିତ କରିବା ପାଇଁ ଲକ୍ଷ୍ୟ ରହିଛି। ମୁଁ ସବୁବେଳେ ମୋ’ ନିଜ ସହ ପ୍ରତିଯୋଗିତା କରିଥାଏ। ପ୍ରତିଦିନ ମୁଁ ନିଜକୁ ଚାଲେଞ୍ଜ ଦେଇ ଅନୁଶୀଳନ କରିଥାଏ। ଲୋକମାନଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବି ଏବଂ ସେମାନଙ୍କ ବିକାଶ ପାଇଁ କାମ କରିବି”, କହିଛନ୍ତି ଅପରାଜିତା।

୧୯୯୪ ବ୍ୟାଚର ଆଇଏଏସ୍ ଅଫିସର ହେଉଛନ୍ତି ଅପରାଜିତା। ସେ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ସହରର ବିକାଶ ପାଇଁ ଅନେକ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ। ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ସଚିବ ରହିଥିବା ବେଳେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପାଇଁ ଡ୍ରେସ୍‌କୋଡ୍ ପ୍ରଚଳନ କରିବା ସହ ଶିକ୍ଷାର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।

Comment