ଓଡ଼ିଶାଲାଇଭ୍‌ ବ୍ୟୁରୋ

ହକି ବିଶ୍ୱକପ୍‌ରେ ମଙ୍ଗଳବାର ପୁଲ-ବିରେ ଦୁଇଟି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ମୁକାବିଲାରେ ଆୟର୍ଲାଣ୍ଡ ଓ ଚୀନ ମଧ୍ୟରେ ଖେଳାଯିବ। ସଂଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଦୁଇ ଟିମ୍। ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ଆୟର୍ଲାଣ୍ଡ ୨-୧ରେ ହାରିଥିବାବେଳେ ଇଂଲଣ୍ଡ-ଚୀନ ମ୍ୟାଚ୍ ଡ୍ର ରହିଥିଲା। ପଏଣ୍ଟ ଟେବୁଲରେ ଚୀନ ଗୋଟିଏ ପଏଣ୍ଟ ପାଇ ତାଲିକାର ତୃତୀୟ ସ୍ଥାନରେ ଥିବାବେଳେ ଆୟର୍ଲାଣ୍ଡ ସର୍ବନିମ୍ନ ସ୍ତରରେ ରହିଛି।

ପୂର୍ବରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିଲା ଚୀନ। ବିଶ୍ୱ ମାନ୍ୟତାର ସପ୍ତମ ସ୍ଥାନରେ ଥିବା ଇଂଲଣ୍ଡକୁ ଆରମ୍ଭରୁ ଆକ୍ରମଣ କରିଥିଲା ଚୀନ୍‌। ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରି ଇଂଲଣ୍ଡକୁ ଚିନ୍ତାରେ ପକାଇଥିଲା। ମ୍ୟାଚ୍‌ ଡ୍ରରେ ଶେଷ ହୋଇଥିଲେ ମଧ୍ୟ ଚୀନ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା। ଚୀନର ଗୁଓ ଜିଆଓପିଙ୍ଗ, ସିଆୟୁ ୱାଙ୍ଗ ଏବଂ ଡୁ ତାଲାକେ ଚମତ୍କାର ପ୍ରଦର୍ଶନ କରିଥିଲେ। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଉତ୍ତମ ପ୍ରଦର୍ଶନ କରି ପଏଣ୍ଟ ଟେବୁଲ ଚଢ଼ିବାକୁ ଉଦ୍ୟମ କରିବ ଚୀନ।

ସେପଟେ ଆୟର୍ଲାଣ୍ଡ ମଧ୍ୟ ପ୍ରତିପକ୍ଷଙ୍କ ଆକଳନକୁ ଭୁଲ କରି ଚକମା ଦେବା ଲକ୍ଷ୍ୟରେ ରହିବ। ପରାଜୟ ସତ୍ୱେ ଆୟର୍ଲାଣ୍ଡ ଦଳ ସୁସଙ୍ଗଠିତ ଶୈଳୀରେ ଖେଳି ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆର ପ୍ରାଧାନ୍ୟକୁ କ୍ଷୁର୍ଣ୍ଣ କରିଥିଲା। ଆୟାର୍ଲାଣ୍ଡର ଖେଳାଳି ସେନ୍ ଓଡୋନୋଗହ୍ୟୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କ୍ରେଗ ଫୁଲଟନଙ୍କ ଦଳ ଏବେ ବିଶ୍ୱ ମାନ୍ୟତାରେ ନବମ ସ୍ଥାନରେ ଥିଲେ ମଧ୍ୟ ମଙ୍ଗଳବାର ମ୍ୟାଚରେ ନୂଆ ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ।

Comment