ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏପଟେ ପାଞ୍ଚଟି ରାଜ୍ୟର ନିର୍ବାଚନର ଏକଜିଟ୍ ପୋଲ ବିଜେପିକୁ ଚିନ୍ତାରେ ପକାଇ ଥିବା ବେଳେ ଅନ୍ୟପଟେ ଅଶୋଧିତ ତୈଳ ଦର ବୃଦ୍ଧି ଖବର କେନ୍ଦ୍ର ସରକାରଙ୍କ ୨୦୧୯ ମିଶନକୁ ଆହୁରି ମୁସ୍କିଲ କରିବାକୁ ଯାଉଛି।

୧୪ଟି ଦେଶ ସମୂହ ଓ ୧୦ ଅନ୍ୟ ତୈଳ ଉତ୍ପାଦକ ଦେଶ ତୈଳ ଦର ହ୍ରାସକୁ ରୋକିବା ଉଦ୍ଦେଶ୍ୟରେ ପ୍ରତିଦିନ ୧.୨ ମିଲିୟନ ବ୍ୟାରେଲ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ତେଲ ଦର ବଢ଼ିବାର ସଙ୍କେତ ସରକାରଙ୍କ ପାଇଁ କୌଣସି ବଡ଼ ଝଟକା ଠାରୁ କମ୍ ନୁହେଁ। ତେଣୁ ଏଭଳି ସଙ୍କଟର ମୁକାବିଲା ପାଇଁ ସରକାରଙ୍କ ସାମ୍ନାରେ ଚ୍ୟାଲେଞ୍ଜ ରହିବ। ସମଗ୍ର ଦୁନିଆର ତୈଳ ଉତ୍ପାଦନର ଅଧା ଅଂଶ ଓପେକ ଓ ଏହାର ଭାଗିଦାରୀ ଦେଶରୁ ଆସିଥାଏ।

ଓପେକର ହୋଇଥିବା ଗୁରୁତ୍ଵପୂର୍ଣ୍ଣ ବୈଠକରେ ସହମତି ପ୍ରକାଶ ପାଇଛି ଯେ ତୈଳ ଉତ୍ପାଦନ ଅଧିକ ହେବାରୁ ଗତ ଦୁଇ ମାସରେ ତୈଳ ଦର ୩୦ ପ୍ରତିଶତ ହ୍ରାସ ପାଇଛି। ସେମାନଙ୍କୁ ମଧ୍ୟ ଆର୍ଥିକ କ୍ଷତି ସହିବାକୁ ପଡ଼ୁଛି। ତେଣୁ ଏବେ ଓପେକ ସମୂହ ତୈଳ ଉତ୍ପାଦନ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ପୂର୍ବରୁ କମିଥିଲା ତେଲ ଦର

ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର  ହ୍ରାସ ହେବା ପରେ କେନ୍ଦ୍ର ସରକାର ମଧ୍ୟ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଆଶ୍ଵସ୍ତି ଦେଇଥିଲେ।  କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨.୫ ଟଙ୍କା ହ୍ରାସ କରିବା ସହିତ ରାଜ୍ୟ ସରକାରଙ୍କୁ ମଧ୍ୟ ୨.୫ ଟଙ୍କା ହ୍ରାସ କରିବାକୁ କହିଥିଲେ। ଏହାପରେ କିଛି ରାଜ୍ୟକୁ ଛାଡ଼ି ପ୍ରାୟତଃ ସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା।

୨୦୧୪ ନଭେମ୍ବର ୧୨ରୁ ୨୦୧୬ ଜାନୁଆରୀ ୩୧ ପର୍ଯ୍ୟନ୍ତ  କେନ୍ଦ୍ର ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ୯ ଥର ଉତ୍ପାଦ ଶୁଳ୍କ ବଢ଼ାଇଥିଲେ। ଯାହାଫଳରେ ପେଟ୍ରୋଲ ଦରରେ ୯.୯୪ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦର ୧୧.୭୧ ଟଙ୍କା ବଢ଼ିଥିଲା। କ୍ରମାଗତ ବଢୁଥିବା ତୈଳ ଦରରୁ ତ୍ରାହି ଦେବା ପାଇଁ ଦୁଇ ଥର ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ଏଥିରେ ତୈଳ ଦର ୩.୫୦ ଟଙ୍କା ହ୍ରାସ ପାଇଥିଲା।

ଭାରତ ଦୁନିଆର ତୃତୀୟ ବଡ଼ ତୈଳ ଆମଦାନୀକାରୀ ଦେଶ।  ଯିଏ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତୈଳ ଆମଦାନୀ କରିଥାଏ। ଏହି କାରଣ ପାଇଁ କେନ୍ଦ୍ର ସରକାର ଅଶୋଧିତ ତୈଳ ଦରକୁ ଉଚିତ୍ ସ୍ତରରେ ରଖିବା ପାଇଁ ଓପେକ୍ ସମୂହ ସହିତ କ୍ରମାଗତ ଆଲୋଚନା ଜାରି ରଖିଛନ୍ତି।

Comment