ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ପୂର୍ବରୁ ଆଉ ଏକ କାର୍ଡ ଖେଳିବାକୁ ଯାଉଛନ୍ତି। ବିରୋଧୀ ଦଳଙ୍କୁ ଚେକମେଟ ଦେବା ପାଇଁ ଏହି ନୂଆ ରଣନୀତି ପ୍ରସ୍ତୁତ କରାଯାଇଛି। ଚାଷୀମାନଙ୍କ ଋଣ ଛାଡ଼ ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି  ପକ୍ଷରୁ ସରକାରଙ୍କ ଉପରେ ଚାପ ପକାଯାଉଥିବା ବେଳେ ଏହାକୁ ଅକାମୀ କରିବା ପାଇଁ ନବୀନ ନୂଆ କଥା ଚିନ୍ତା କରିଛନ୍ତି। ୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡିର ଭୋଟକୁ ବଜାୟ ରଖିବାକୁ ପୂରା ଉଦ୍ୟମ ଚାଲିଛି। ତାହାର ପରିଣାମ ନୂଆ ଜିଲ୍ଲା ଗଠନ ପ୍ରସ୍ତାବ।

ମଧ୍ୟପ୍ରଦେଶ,ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିକୁ କ୍ଷମତାଚ୍ୟୁତ କରି କଂଗ୍ରେସ ସରକାର ଗଠନ କରିଥିବା ପରିପ୍ରେକ୍ଷୀରେ ବିଜେଡି ଚାହୁଁନାହିଁ କୌଣସି ପ୍ରକାର ପରିବର୍ତ୍ତନ କଥା ଭୋଟରଙ୍କ ମନକୁ ଆସୁ। ଉକ୍ତ ତିନୋଟି ରାଜ୍ୟର କଂଗ୍ରେସ ସରକାର ଚାଷୀ ଋଣ ଛାଡ଼ ଘୋଷଣା ପରେ ନବୀନ ଓ ବିଜେଡି ସରକାର ଏକ ରକମ ଦ୍ୱନ୍ଦ୍ୱରେ ପଡ଼ିଯାଇଛନ୍ତି। ଚାଷୀମାନଙ୍କ ଋଣ ଛାଡ଼ ସପକ୍ଷରେ ଶାସକ ଦଳ ନଥିବା ବେଳେ ବିରୋଧୀଙ୍କ ପକ୍ଷରୁ ଏହି ଦାବି ଜୋରଦାର ହେଲାଣି। ତାଛଡ଼ା ଆଗକୁ ନିର୍ବାଚନରେ ବିରୋଧୀ ଦଳ ଏହି ପ୍ରସଙ୍ଗରେ ଫାଇଦା ଉଠାଇ ନେବାକୁ ଚେଷ୍ଟା କରିପାରନ୍ତି ବୋଲି ବିଜେଡି ଚିନ୍ତା କରି ଦେଖିଛି।

ଏହି ସବୁ ବିଷୟକୁ ଆଖି ଆଗରେ ରଖି ଏବଂ ବିରୋଧୀ ଦଳମାନଙ୍କୁ ବ୍ୟାକଫୁଟରେ ରଖିବା ପାଇଁ ନବୀନ ସରକାରଙ୍କ ପକ୍ଷରୁ କିଛି ନୂଆ ଜିଲ୍ଲା ସୃଷ୍ଟି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏମିତି ବି ବିଗତ କିଛି ବର୍ଷ ଧରି ବିଭିନ୍ନ ଅଞ୍ଚଳରୁ ନୂଆ ଜିଲ୍ଲା ସକାଶେ ଦାବି ହୋଇଆସିଛି। ଖବର ଅନୁସାରେ ଏହି ଦାବିକୁ ଧ୍ୟାନରେ ରଖି ନୂଆ ବର୍ଷ ବେଳକୁ ସରକାର ନୂଆ ଜିଲ୍ଲା ବିଷୟ ଘୋଷଣା କରିବାର ସମ୍ଭାବନା ରହିଛି।

୧୯୯୩ରେ ବିଜୁ ପଟ୍ଟନାୟକଙ୍କ ସରକାର ଅମଳରେ ନୂଆ ଜିଲ୍ଲା ସୃଷ୍ଟି କରାଯାଇ ଥିଲା ଯାହା ଫଳରେ ରାଜ୍ୟର ଜିଲ୍ଲା ସଂଖ୍ୟା ୧୩ରୁ ୩୦କୁ ବୃଦ୍ଧି ପାଇଥିଲା। ତେବେ ତିନିଟି ବଡ଼ ଜିଲ୍ଲା ଯଥା ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜକୁ ଏଥିରୁ ବାଦ ଦିଆଯାଇଥିଲା ଏବଂ ଏଗୁଡ଼ିକ ଅବିଭକ୍ତ ଜିଲ୍ଲା ହୋଇ ରହିଥିଲା।

ବିଶ୍ୱସ୍ତ ସୂତ୍ର ଅନୁସାରେ ରାଜସ୍ୱ ବିଭାଗ ପକ୍ଷରୁ  ଅନେକ ଜିଲ୍ଲାପାଳଙ୍କୁ ଏ ନେଇ ପତ୍ର ଲେଖାଯାଇଛି। ନୂଆ ଜିଲ୍ଲା ଗଠନର ସମ୍ଭାବନା ଓ କାର୍ଯ୍ୟକାରିତା ଉପରେ ସେମାନଙ୍କଠାରୁ ମତ ଲୋଡ଼ାଯାଇଛି। ଖବର ଆସୁଛି ଯେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିକୁ ଗୋଟିଏ ଜିଲ୍ଲା କରାଯାଇପାରେ। ବଲାଙ୍ଗିରର ଟିଟିଲାଗଡ଼ ସବଡିଭିଜନ ମଧ୍ୟ ଜିଲ୍ଲାର ମାନ୍ୟତା ପାଇପାରେ। ବହୁ ଦିନର ଦାବିକୁ ଦୃଷ୍ଟିରେ ରଖି ରାଉରକେଲା ଇସ୍ପାତ ନଗରୀକୁ ଜିଲ୍ଲା ଘୋଷଣା କରାଯିବାର ସମ୍ଭାବନା ରହିଛି। ନିକଟରେ ବିଜେପିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ରାଉରକେଲା ଜିଲ୍ଲାକୁ ନେଇ ଅଡ଼ି ବସିଥିବାରୁ ତାଙ୍କ କଥା ବିଚାରକୁ ନିଆଯାଇପାରେ।

ମୋଟାମୋଟି ଆଉ ୪ ଜିଲ୍ଲା ଗଠନ ପାଇଁ ଆପାତତଃ ନିଷ୍ପତ୍ତି ହୋଇଛି ଓ ଏଗୁଡ଼ିକ ମୁଖ୍ୟତଃ ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡିଶାର। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ନବୀନ ପଟ୍ଟନାୟକ ସରକାର ପକ୍ଷରୁ ଏ ସଂକ୍ରାନ୍ତରେ  ଘୋଷଣା ହୋଇପାରେ।

Comment