ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଅନେକ କାର୍ଯ୍ୟକ୍ରମ ତାଙ୍କ ପାଇଁ ରଖାଯାଇଛି। ଆଇଆଇଟି ଭୁବନେଶ୍ୱରକୁ ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ। ତାଛଡ଼ା ୧୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଉଦ୍‌ଘାଟନ/ଶୁଭାରମ୍ଭ କରିବେ।

ଇଣ୍ଡିଆନ ଅଏଲର ପାରାଦୀପ-ହାଇଦ୍ରାବାଦ ପାଇପଲାଇନ ଓ ଗ୍ୟାସ ଅଥରିଟି ଅଫ ଇଣ୍ଡିଆର ବୋକାରୋ-ଅନୁଗୁଳ ସେକ୍ସନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ମୋଟ ସାଢ଼େ ୩ ଘଣ୍ଟା ରହଣି ଭିତରେ ଏକାଧିକ କାର୍ଯ୍ୟକ୍ରମରେ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ,ବିଭାଗୀୟ କେନ୍ଦ୍ର  ମନ୍ତ୍ରୀ ଉପସ୍ଥିତ ରହିବେ।

ଉତ୍କଳ ବିଶ୍ଵବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର, ଲଳିତଗିରିଠାରେ ପ୍ରତ୍ନତାତ୍ୱିକ ସଂଗ୍ରହାଳୟ, ପାଇକ ବିଦ୍ରୋହ ସ୍ମାରକୀ ଡାକ ଟିକେଟ ଓ ପାଇକ ବିଦ୍ରୋହ ସ୍ମାରକ ମୁଦ୍ରା ପ୍ରଚାଳନର ଶୁଭାରମ୍ଭ ମଧ୍ୟ ମୋଦିଙ୍କ କାର୍ଯ୍ୟକ୍ରମର ଅଂଶବିଶେଷ। ମୋଟାମୋଟି ଭାବେ ଦେଖିବାକୁ ଗଲେ ,ପ୍ରଥମ ପାଳି ସରକାରର ସମୟ ଶେଷ ହୋଇ ଆସୁଥିବା ବେଳେ ଓଡ଼ିଶାରେ ଏହା ପ୍ରଧାନମନ୍ତ୍ରୀଙ୍କ ସବୁଠାରୁ ବଡ଼ କାର୍ଯ୍ୟକ୍ରମ।

ତେବେ ମୋଦିଙ୍କ ଏହି ଓଡ଼ିଶା ଗସ୍ତର ରାଜନୀତିକ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ହେବ। ନିକଟରେ ତିନୋଟି ବିଧାନସଭାରେ ବିଜେପି ହାରିବା ପରେ ଓ କଂଗ୍ରେସ ସେହି ସବୁ ରାଜ୍ୟରେ କ୍ଷମତାକୁ ଫେରିଥିବା ବେଳେ ମୋଦିଙ୍କ ଏହା ହେଉଛି ପ୍ରଥମ ଗସ୍ତ ଓ ରାଜନୈତିକ ସଭା। ଖୋର୍ଦ୍ଧା ନାଇଜର ପଡ଼ିଆରେ ସେ ଯେଉଁ ସାଧାରଣ ସଭା କରିବେ ତାହାରି ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ହୋଇଛି।

ଅନ୍ୟର ଆକଳନ ଯାହା ହେଉନା କାହିଁକି ରାଜ୍ୟ ବିଜେପି ନେତାମାନେ କିନ୍ତୁ ଏହି ବର୍ଷଶେଷ କାର୍ଯ୍ୟକ୍ରମକୁ ନେଇ ବେଶ୍ ଉତ୍ସାହିତ। ନିଜେ ଓଡ଼ିଶା ବିଜେପିର ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ ବିଜେପିର ‘ପୂର୍ବ ଭାରତ ଦଖଲ’ ପାଇଁ ଏହି ଗସ୍ତ ବିଶେଷ ସହାୟକ ହେବ। ବହୁ ଦିନରୁ ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୂର୍ବ ଭାରତ କଥା( ଲୁକ ଇଷ୍ଟ ପଲିସି)କହି ଆସୁଛନ୍ତି। ସବୁଠାରୁ ବଡ଼ କଥା ହେଉଛି ମୋଦିଙ୍କ ଏହି ଗସ୍ତ ଓଡ଼ିଶା ବିଜେପି ପାଇଁ ସଞ୍ଜିବନି ଭଳି କାମ କରିବ। ବିଜେପି ଯେଉଁ ୧୨୦+ ମିଶନ  କଥା କହି ଆସୁଛି ଆସନ୍ତାକାଲିଠାରୁ ତାହା ଜୋର ଧରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ସତ କହିଲେ ମୋଦି ଖୋର୍ଦ୍ଧା ଗୋଶାଳା ପଡ଼ିଆରୁ ବିଜେପିର ୨୦୧୯ ନିର୍ବାଚନ ବିଗୁଲ ଫୁଙ୍କିବେ।

ଖବର ଆସୁଛି ଯେ ମୋଦି ତାଙ୍କ ଦଳର ନେତା ଓ କର୍ମୀଙ୍କ କାନରେ ୨୦୧୯ ପାଇଁ କିଛି ମନ୍ତ୍ର ଫୁଙ୍କିବେ। କିଛି ମାସ ତଳେ ମୋଦି ଯେତେବେଳେ ତାଳଚେର ଓ ଝାରସୁଗୁଡ଼ା  ଆସିଥିଲେ ନବୀନ ପଟ୍ଟନାୟକଙ୍କ ସରକାର ଉପରେ ଖୁବ୍ ବର୍ଷିଥିଲେ। ଏଥର ମଧ୍ୟ ସେ ବିଜେଡି ସରକାର ଉପରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଆଶା କରାଯାଉଛି। ନବୀନ  ସରକାରର ବିଭିନ୍ନ ବିଫଳତାକୁ ଲୋକଙ୍କ ସାମ୍ନାରେ ରଖିବା ସହ ନିଜ ଦଳର ଗୁଣଗାନ କରିବାର ସମ୍ଭାବନା ରହିଛି।

ବିଜେପିର ଗୋଟିଏ ସୂତ୍ର କହୁଛି ଯେ ୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଏକାଧିକ ବାର ଓଡ଼ିଶା ଆସିବେ। ଯଦିଓ ନିର୍ଦିଷ୍ଟ ତାରିଖ ଫଇସଲା ହୋଇନାହିଁ, ଦଳୀୟ ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ଜାନୁଆରୀ ୫ରେ  ଉତ୍ତର ଓଡ଼ିଶା ଓ ୧୬ରେ  ପଶ୍ଚିମ ଓଡ଼ିଶା ଗସ୍ତରେ ଆସିବେ।

ନିଜ ଦଖଲରେ ଥିବା ତିନି ହିନ୍ଦୀ ଭାଷୀ ରାଜ୍ୟ ହାତରୁ ଖସିଯିବା ପରେ ଯେଉଁ ଜନଅସନ୍ତୋଷ ଯୋଗୁଁ ଦଳ ସେଠି ହାରିଲା ସେହି ଅସନ୍ତୋଷ ଏଠି କାହିଁକି ଦେଖା ନଦେଵ ବୋଲି ରାଜ୍ୟ ବିଜେପି ନେତାମାନେ ପ୍ରଶ୍ନ କରିଛନ୍ତି। ଶାସକ ବିଜେଡିର ଦୃଷ୍ଟିକୋଣ କିନ୍ତୁ ଅଲଗା।

ପ୍ରଧାନମନ୍ତ୍ରୀଙ୍କ ବିକାଶ ଆଜେଣ୍ଡା ଏଠି ଓଡ଼ିଶାରେ କାମ ଦେବ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର। ମୋଦିଙ୍କ ମ୍ୟାଜିକ ଯଦି କ୍ଷମତାରେ ଥିବା ତାଙ୍କ ଦଳର ରାଜ୍ୟମାନଙ୍କରେ କାମ ଦେଲା ନାହିଁ ଏଠି ବି ସେୟା ହିଁ ହେବ ବୋଲି ମନ୍ତ୍ରୀ ପାତ୍ର ଦୃଢ଼ୋକ୍ତି କରିଛନ୍ତି।

Comment