ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ। ନବୀନ ଉଦବୋଧନ ଦେଇ କହିଛନ୍ତି,” ବକ୍ସି ଜଗବନ୍ଧୁ ଓଡ଼ିଶାର ମହାନ ସନ୍ତାନ। ଓଡ଼ିଶା ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ସେ ଓଡ଼ିଶା ପାଇଁ ଯେଉଁ ଲଢେଇ କରିଛନ୍ତି ତାହାର କୌଣସି ତୁଳନା ନାହିଁ। ପାଇକ ମାନଙ୍କ ମଧ୍ୟରେ ଏକତା ରଖିବାରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ।”

ନବୀନ ଆହୁରି ମଧ୍ୟ କହିଛନ୍ତି,” ବକ୍ସି ଜଗବନ୍ଧୁଙ୍କ  ନାମରେ ରାଜ୍ୟ ସରକାର ବସୁଧା ଯୋଜନା ଆରମ୍ଭ କରିଛନ୍ତି। ବକ୍ସି ଜଗବନ୍ଧୁ ବ୍ରିଟିଶ୍‌ ବିରୋଧରେ କରିଥିବା ବିଦ୍ରୋହ ବ୍ରିଟଶମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତେଣୁ କେନ୍ଦ୍ର ସରକାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ଘୋଷଣା କରିବା ମୋର ଦାବି। ଏପରି ହେଲେ ଏହା ବକ୍ସି ଜଗବନ୍ଧୁଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। କେନ୍ଦ୍ର ସରକାର ବରୁଣେଇରେ ପାଇକ ବିଦ୍ରୋହର ସ୍ମୁତିରେ ଯେଉଁ ସ୍ତମ୍ଭ ନିର୍ମାଣ କରିବା ପାଇଁ ଯୋଜନା କରିଛନ୍ତି ତାହାକୁ ରାଜ୍ୟସରକାର ସ୍ୱାଗତ କରିବା ସହ ଏ ନେଇ କେନ୍ଦ୍ର ସରକାରଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ।”

ପୂର୍ବରୁ ମଧ୍ୟ ରାଜ୍ୟ ସରକାର ଦାବି କରି ଆସୁଛନ୍ତି ଯେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ଭାବେ ଘୋଷଣା କରାଯାଉ। ଯାହା ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦାବି କରିଛନ୍ତି।

Comment