ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଦିନ ପରି ବୁଧବାର ଜଗସିଂହପୁର ଜିଲ୍ଲା କୁଜଙ୍ଗ ଥାନା ହସିଂଣା ଗାଁର ଲୋକେ ଜଗସିଂହପୁର ଜିଲ୍ଲାର ଭୁତମୁଣ୍ଡାଇ ପୋଲ ତଳୁ ମହାନଦୀ ବାଟଦେଇ ବତୀଘର ନଦୀରେ ପଶି ଚଟକା ମୁହାଁଣରେ ପହଞ୍ଚି ହୁକିଟୋଲା ଯାଇଥିଲେ। ବୋଟ୍‌ରେ ପ୍ରାୟ ୫୫ ଜଣ ପ୍ରର୍ଯ୍ୟଟକ ଥିଲେ। ସେମାନଙ୍କ ମଧ୍ୟରୁ ୩୦ରୁ ଅଧିକ ଛୋଟପିଲା ଥିଲେ।

ହୁକିଟୋଲାରେ ଭଣଭୋଜି ସାରି ଘରକୁ ଫେରୁଥିଲେ। ବତୀଘର ନଦୀରେ ହୋଇଥିଲା ଅନ୍ଧାର। ଜଣେ ବୃଦ୍ଧାଙ୍କୁ ସୌଚ ଲାଗିବାରୁ ବୃଦ୍ଧାଜଣକୁ ସୌଚ କରାଇବାକୁ ବୋଟ୍‌ ଚାଳକ କୂଳରେ ଲଗାଇଥିଲା ବୋଟ୍। ସୌଚ ସାରି ବୃଦ୍ଧାଜଣକ ବୋଟରେ ଚଢ଼ିଥିଲେ। ମଟର ବୋଟ୍‌ଟି ପୁଣି ଷ୍ଟାର୍ଟ କିବା ଆରମ୍ଭ କରିଥିଲା। ମାତ୍ର କିଛି ଦୂରରେ ସାମ୍ନାରୁ ଆଉ ଏକ ବୋଟ୍ ଆସୁଥିବାର ଦେଖି ବୋଟ୍ ଧକ୍କା ଲାଗିବ ଧକ୍କା ଲାଗିବ କହି କିଛି ଲୋକେ ଡଙ୍ଗାରେ ଏପଟ ସେପଟ ହୋଇ ଯାଇଥିଲେ। କ୍ଷମତାଠାରୁ ଅଧିକ ବୋଝେଇ ଥିବା ବୋଟ୍‌ଟି ଭାରସାମ୍ୟ ହରାଇ ବସିଥିଲା। ହଠାତ୍ ବୋଟ୍‌ଟି ଓଲଟି ପଡ଼ିଥିଲା। ନଦୀ ପହଁରା ଜାଣି ନଥିବା ପିଲାମାନେ ବୁଡ଼ି ଯାଇଥିଲେ। ପହଁରା ଜାଣିଥିବା ୮ ଜଣ ଲୋକ ପହଁରି ପହଁରି କୂଳକୁ ଆସିଥିଲେ। ଡଙ୍ଗା ବୁଡ଼ିଯିବା ଦେଖି ପାଖଗାଁ ନିପାଣିଆର ଲୋକେ ନଦୀକୁ ଡେଇଁ ପଡ଼ି ୩୭ ଜଣ ଲୋକଙ୍କୁ ଉଦ୍ଧାର କରିବାକୁ ସକ୍ଷମ ହୋଇଥିଲେ। ସେତେବେଳେ ଜଣେ ମହିଳାଙ୍କୁ ଗାଁ ଲୋକେ ମୃତ ଅବସ୍ଥାରେ ଉଦ୍ଧାର କରିପାରିଥିଲେ।

ପରେ ପରେ ଘଟଣା ଗଣମାଧ୍ୟମରେ ପ୍ରସାର ହୋଇଯିବା ପରେ ପହଞ୍ଚିଥିଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ, ଉପଜିଲ୍ଲାପାଳ ସଂଜୟ ମିଶ୍ର, ସ୍ଥାନୀୟ ତହସିଲଦାରଙ୍କଠାରୁ ଆରମ୍ଭ କରି ବହୁ ପ୍ରଶାସନିକ ଅଧିକାରୀମାନେ। ବନ ବିଭାଗ, ଅଗ୍ନିଶମ ବିଭାଗ, ଓଡ୍ରାଫ ଟିମ୍‌ଉଦ୍ଧାରରେ ସାମିଲ ହୋଇଥିଲେ। ଆରମ୍ଭ ହୋଇଥିଲା ବତୀଘର ନାଳରେ ରାତିସାରା ଖୋଜାଖୋଜି। ଉଚ୍ଚଶକ୍ତି ସମ୍ପନ୍ନ ଟର୍ଚ୍ଚ ଲାଇଟ୍ ବ୍ୟବହାର କରି ନିଖୋଜଥିବା ୮ ଜଣଙ୍କୁ ଉଦ୍ଧାର କରିଥିଲେ ଏହି ଉଦ୍ଧାରକାରୀ ଦଳ। ଆଉ ଜଣେ ନିଖୋଜ ଶିଶୁ କନ୍ୟାଙ୍କର ପତ୍ତା ମିଳିନଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।

ମୃତକମାନଙ୍କ ମଧ୍ୟରେ ଅଛନ୍ତି ପ୍ରଭାତୀ ସ୍ୱାଇଁ (୩୬ ବର୍ଷ), ଅନି ତରାଇ (୩୦ ବର୍ଷ), ଅନି ତରାଇଙ୍କର ୪ ବର୍ଷର ପୁଅ ସାଇ ତରାଇ, ଦେବାଶିଷ ସାହୁ (୧୦ ବର୍ଷ), ଦେବସ୍ମିତା ପାଣି (୬ ବର୍ଷ), ରୋଜାଲିନ ସାହୁ (୧୪ ବର୍ଷ), ଧୁନା ସାହୁ (୧୦ ବର୍ଷ), ସୁଶ୍ରୀ ପଲ୍ଲବୀ ସ୍ୱାଇଁ (୫ ବର୍ଷ), ଇଶାନ ଦଳାଇ (୩ ବର୍ଷ)। ନିଖୋଜ ଥିବା ସୁଭଶ୍ରୀ ସ୍ୱାଇଁ (୬ ବର୍ଷ)ଙ୍କ ପତ୍ତା ମିଳିନି।

ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ବିଳମ୍ବିତ ରାତିରେ ପହଞ୍ଚି ବିପନ୍ନଙ୍କ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର ଲୋକମାନଙ୍କୁ ନିଜ ନିଜ ଘରୁ ଶୁଖିଲା ବସ୍ତ୍ର ପିନ୍ଧିବାକୁ ଦେଇଥିଲେ। କୁଟା କାଠିରେ ନିଆଁ ଲଗାଇ ସେମାନଙ୍କୁ ସେକି ଥିଲେ। ପ୍ରଚଣ୍ଡ ଥଣ୍ଡାରେ ବିପନ୍ନମାନଙ୍କର କୌଣସି ସମସ୍ୟା ହେବାକୁ ସୁଯୋଗ ଦେଇନଥିଲେ ସ୍ଥାନୀୟ ଲୋକେ। କେତେକ ମା’ଙ୍କ କୋଳରୁ ତାଙ୍କର ଛୁଆ ଭାସି ଯାଇଥିଲେ ତ କେତେକ ଛୁଆଙ୍କର ମା’ ଭାସିଯାଇଥିଲେ। ଆରମ୍ଭ ହୋଇଥିଲା କାନ୍ଦ ବୋବାଳି। କିଛି ସମୟ ପରେ ହଂସିଣା ଗାଁଲୋକେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ନିଜ ନିଜ ପରିବାର ଲୋକମାନଙ୍କୁ ହରାଇଥିବା ଲୋକଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ସାରା ପରିବେଶ।

ଗୁରୁବାର ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ସେମାନଙ୍କ ପରିବାର ସହିତ ଜଗସିଂହପୁର ଜିଲ୍ଲାପ୍ରଶାସନଙ୍କୁ ୯ଟି ମୃତଦେହ ହସ୍ତାନ୍ତର କରିଛି। କୁଜଙ୍ଗଠାରେ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି।

ଏତେ ବଡ଼ ନୌକା ଦୁର୍ଘଟଣାର ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ କେନ୍ଦ୍ରାପଡ଼ା ଜିଲ୍ଲାର ଏକ ସ୍ୱତନ୍ତ୍ର ଟିମ୍ ପଠାଇ ମୃତକଙ୍କ ପରିବାର ଲୋକମାନଙ୍କ ନିକଟରେ ଏହି ଅନୁକମ୍ପା ରାଶି ପହଞ୍ଚାଇବାକୁ କହିଛନ୍ତି।

ବୁଧବାର ଡଙ୍ଗାବୁଡ଼ି ଘଟଣା ପରେ ସ୍ଥାନୀୟ ଲୋକ ପ୍ରତିକ୍ରିୟା ଏୟା ଯେ ଏତେ ବଡ଼ ଦୁର୍ଘଟଣା ଘଟିସାରିବା ପରେ ରାଜ୍ୟ ସରକାର ଏହି ପର୍ଯ୍ୟଟନସ୍ଥଳୀକୁ ଯିବା ଆସିବା କରୁଥିବା ବୋଟ୍‌ଗୁଡ଼ିକ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନାହାନ୍ତି। ପୁଣି ଏ ଦୁର୍ଘଟଣା ପରେ ମଧ୍ୟ ଆଜି ପର୍ଯ୍ୟଟକମାନେ ହୁକିଟୋଲାକୁ ଯାତ୍ରା କରିଛନ୍ତି। ସାରା ରାଜ୍ୟରେ ଏମିତି ଅନେକ ସ୍ଥାନରେ ବୋଟ ଦୁର୍ଘଟଣାମାନ ଘଟୁଥିବା ନୂଆ କଥା ନୁହେଁ। ହେଲେ ଏହି ବୋଟମାନଙ୍କ ଉପରେ ସରକାରଙ୍କ ନିୟନ୍ତ୍ରଣ ନ ରହୁଥିବାରୁ ଗୋଟିଏ ପରେ ଗୋଟିଏ ଘଟଣାମାନ ଘଟି ଚାଲିଛି। ଏହି ପର୍ଯ୍ୟଟନସ୍ଥଳୀକୁ ଯିବାକୁ ହେଲେ ପର୍ଯ୍ୟଟକ ମାନଙ୍କୁନେବା ଆଣିବାକୁ ବ୍ୟବହୃତ ବୋଟ୍‌ର ପଞ୍ଜିକରଣ କରାଯିବା ଓ ପର୍ଯ୍ୟଟକମାନଙ୍କ ପାଇଁ ଲାଇଫ୍‌ ଜ୍ୟାକେଟ୍‌ ବୋଟ୍‌ରେ ରହିବା ଆବଶ୍ୟକ ଆଦି କେତେକ ସର୍ବନିମ୍ନ କଟକଣା କରାଯିବା ଆବଶ୍ୟକ। ତାହା ଛଡ଼ା ବୋଟ୍‌ଗୁଡ଼ିକର କ୍ଷମତା କେତେ ତାହା ପର୍ଯ୍ୟଟକମାନଙ୍କୁ ଜଣାଇ ଦିଆଯିବା ଆବଶ୍ୟକ।

Comment