ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଗୁରୁବାର ଜଣେ ବିଚାରାଧିନ କଏଦୀଙ୍କର ମୃତଦେହ ମିଳିଛି। ଗତକାଲି ବିଳମ୍ବିତ ରାତିରେ ଧୀରେନ ବେହେରା ନାମକ ଜଣେ ବିଚାରାଧିନ କଏଦୀଙ୍କ ଦେହ ଅତ୍ୟନ୍ତ ଖରାପ ହୋଇପଡ଼ିବାରୁ ତାଙ୍କୁ କାରାଗାର କର୍ତ୍ତୃପକ୍ଷ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ବୋଲି ଦାୟିତ୍ୱରେ ଥିବା ଡାକ୍ତର ସୂଚନା ଦେଇଛନ୍ତି। ଧୀରେନଙ୍କ ଘର ମାର୍ଶାଘାଇ ଥାନା ପାଟଳିପଙ୍କ ଗାଁରେ। ଧୀରେନଙ୍କୁ ଜେଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ତାଙ୍କର ପତ୍ନୀ।

ଗତ ୨୦୧୬ ଏପ୍ରିଲ ୧୧ ତାରିଖରେ ଧୀରେନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଧୀରେନଙ୍କ ବିରୋଧରେ ତାଙ୍କର କଲେଜ ପଢ଼ୁଆ ନାବାଳିକା ଝିଅ ଦୁଷ୍ମର୍ମ ଅଭିଯୋଗ ଆଣିଥିଲା। ଧୀରେନଙ୍କ ବିରୋଧରେ ମାର୍ଶାଘାଇ ଥାନା ପୋଲିସ ଭାରତୀୟ ପିଙ୍ଗଳ କୋର୍ଡର ୩୭୬-୨(ଆଇ) ଓ ୬ ପୋକ୍ସୋ ଆଇନ ବଳରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।

କେନ୍ଦ୍ରାପଡ଼ା ଏସଡିପିଓଙ୍କଠାରୁ ସୂଚନା ଅନୁସାରେ ଧୀରେନଙ୍କୁ ଜ୍ୱର ଛାଡୁ ନଥିଲା। ବୁଧବାର ରାତିରେ ତାଙ୍କର ହଠାତ ବାନ୍ତି ହେବାରୁ ଜେଲ କର୍ତ୍ତୃପକ୍ଷ ଧୀରେନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣାଯାଇଥିଲା ଓ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଆଜି ଧୀରେନଙ୍କ ମୃତ୍ୟୁ ଖବର ପାଇ ତାଙ୍କ ପତ୍ନି କେନ୍ଦ୍ରାପଡ଼ା ସଦରଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ତାଙ୍କୁ ଜେଲ ଭିତରେ ପିଟାମରା କରିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗରେ କହିଛନ୍ତି ଧୀରେନଙ୍କ ପତ୍ନି।

ଅନ୍ୟପକ୍ଷରେ ଧୀରେନଙ୍କ ମୃତ ଦେହକୁ ଗୁରୁବାର କେନ୍ଦ୍ରାପଡ଼ା ଜିଲ୍ଲାମୁଖ୍ୟ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଧୀରେନଙ୍କ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କେନ୍ଦ୍ରାପଡ଼ା ସଦର ଥାନା ଇନ୍ସପେକ୍ଟର କହିଛନ୍ତି।

Comment