ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ସଙ୍ଗରୋଧ କେନ୍ଦ୍ରମାନଙ୍କରେ ହୋଇଥିବା ସମସ୍ତ ଖର୍ଚ୍ଚର ଯଥାଶୀଘ୍ର ହିସାବ ଦେବାକୁ ବ୍ଲକ ପ୍ରଶାସନଗୁଡ଼ିକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ପ୍ରବାସୀମାନଙ୍କ ରହିବା, ଖାଇବା, ଆସବାବ ପତ୍ର, ବିଜୁଳି ଆଦି ସମସ୍ତ ଯାବତୀୟ ଖର୍ଚ୍ଚ ବାବଦରେ ଗୋଟେ ଗୋଟେ ସଙ୍ଗରୋଧ କେନ୍ଦ୍ରପାଇଁ ସରକାର ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହିସବୁ ଖର୍ଚ୍ଚର ସଠିକ୍ ହିସାବ ପଞ୍ଚାୟତ କିମ୍ଵା ବ୍ଲକ ରେଜିଷ୍ଟାର ଖାତାରେ ଚଢ଼ାଇବା ପାଇଁ କହିଛନ୍ତି ଜିଲ୍ଲାପାଳ।କେନ୍ଦ୍ରାପଡ଼ା ଜିଲ୍ଲାକୁ ପ୍ରବାସୀମାନଙ୍କ ଫେରିବା ଧିରେ ଧିରେ ବନ୍ଦ ହୋଇଛି। ଜିଲ୍ଲାର କ୍ଲଷ୍ଟର ସ୍ତରୀୟ ସଙ୍ଗରୋଧ କେନ୍ଦ୍ର ଓ କ୍ଲଷ୍ଟର କୋଭିଡ ହସ୍ପିଟାଲରେ ଏବେ ପ୍ରବାସୀମାନଙ୍କ ଚିକିତ୍ସା କରାଯାଉଛି। ଫଳରେ ସଙ୍ଗରୋଧ କେନ୍ଦ୍ରଗୁଡ଼ିକୁ ମଧ୍ୟ ଏବେ ବନ୍ଦ କରିଦିଆଯାଇଛି। ସଙ୍ଗରୋଧ କେନ୍ଦ୍ରମାନଙ୍କ ପାଇଁ କିଣା ଯାଇଥିବା ଜିନିଷ ସବୁକୁ କ୍ଲଷ୍ଟର ସ୍ତରୀୟ ସଙ୍ଗରୋଧ କେନ୍ଦ୍ରରେ ବ୍ୟବହାର କରାଯିବ। ତେବେ ସରକାରୀ ଟଙ୍କାରେ କିଣା ଯାଇଥିବା ଏସବୁ କୋଟିକୋଟି ଟଙ୍କାର ଜିନିଷ ଗୁଡ଼ିକର ରକ୍ଷଣା ବେକ୍ଷଣା କରାଯିବାକୁ ସରକାର ଚିନ୍ତା କରିଛନ୍ତି। ରାଜ୍ୟ ସରକାରଙ୍କ ନିକଟରୁ ଏ ସମ୍ପର୍କରେ ଚିଠି ପାଇ କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ସମସ୍ତ ବିଡିଓ ମାନଙ୍କୁ ଚିଠି ଲେଖିଛନ୍ତି।କେନ୍ଦ୍ରପଡ଼ା ଜିଲ୍ଲାର ୯ଟି ବ୍ଲକର ୨୪୯ଟି ପଞ୍ଚାୟତ ଏବଂ ଦୁଇଟି ପୌରାଞ୍ଚଳରେ ୧୦୮୦ଟି ସଙ୍ଗରୋଧ କେନ୍ଦ୍ରରେ ପ୍ରାୟ ୫୦ ହଜାରରୁ ଅଧିକ ପ୍ରବାସୀମାନଙ୍କୁ ରଖାଯଆଇଥିଲା। ଏହି ଅସ୍ଥାୟୀ କେନ୍ଦ୍ର ମାନଙ୍କରେ ସେମାନଙ୍କ ରହିବା ପାଇଁ ଖଟ, ତକିଆ, ବିଛଣା , ବାଲ୍ଟି , ମଗ୍ ଠାରୁ ଆରମ୍ଭକରି ଜେନେରେଟର, ଓ୍ଵାଟର ଫିଲ୍ଟର, ସିଲିଂ ଫ୍ୟାନ, ରୋଷେଇ ଉପକରଣ, ଇନଭର୍ଟର ପର୍ଯ୍ୟନ୍ତ ନୂଆ କିଣା ଯାଇଥିଲା। ଏହି ଅର୍ଥ ସବୁ ପଞ୍ଚାୟତରେ ଗଚ୍ଛିତ ଟଙ୍କାରୁ ଖର୍ଚ୍ଚ କରାଯାଇଥିଲା। ତେବେ ପ୍ରବାସୀ ମାନଙ୍କ ଚଳଣି ବାବଦକୁ ପଞ୍ଚାୟତ ପିଛା ୮ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥିବା ନେଇ ଇତି ମଧ୍ୟରେ ସରପଞ୍ଚ ମାନେ ହିସାବ ଦେଇ ସାରିଛନ୍ତି।

BGU

ବର୍ତ୍ତମାନ କେତେକ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର ବନ୍ଦ ହୋଇଯିବାପରେ ସେଠାରେ ଥିବା ସବୁ ଉପକରଣମାନ ହ୍ରାସପାଉଥିବା ନଜରକୁ ଆସିଲାଣି। ତେବେ ସରକାରୀ ଟଙ୍କାରେ କିଣା ଯାଇଥିବା ଏହି ଜିନିଷ ଗୁଡିକୁ କିଏ ନେଲା ଓ କାହା ନିର୍ଦେଶରେ ନେଲା ତାହା ଜଣା ପଡ଼ିନାହିଁ। ଅନ୍ୟପଟେ ଜଣେ ପୂର୍ବତନ ସରପଞ୍ଚଙ୍କ କହିବା ଅନୁସାରେ ଏସବୁ  ଜିନିଷଗୁଡ଼ିକ ମଧ୍ୟରୁ ସିଲିଂ ଫ୍ୟାନ ଓ ଇନଭର୍ଟର ଆଦିକୁ ଚତୁରତାର ସହିତ ଏପଟ ସେପଟ କରିବାକୁ ସ୍ଥାନୀୟ ଥାନା ମାନଙ୍କରେ ମିଛ ଏତଲା ଦେଇ ସରପଞ୍ଚ ମାନେ ନିଜ ହାତରୁ ମଇଳା ସଫାକରିବାକୁ ଯୋଜନା କରିଛନ୍ତି।

Comment