ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ନାଚ, ଗୀତ ମାଧ୍ୟମରେ କୁନି କୁନି ପିଲାମାନେ ବାଣ୍ଟିଲେ କରୋନା ସଚେତନତାର ବାର୍ତ୍ତା। ଏଥିପାଇଁ ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା ସେମାନଙ୍କୁ ପ୍ରଶଂସା କରିବା ସହ ପୁରସ୍କୃତ ମଧ୍ୟ କରିଛନ୍ତି।

ଦିନକୁ ଦିନ କରୋନାର ଭୟ ବଢ଼ିବାରେ ଲାଗିଛି। ସଙ୍ଗରୋଧ କେନ୍ଦ୍ର ଛାଡ଼ି ଏବେ କରୋନା ଘର ମୁହାଁ ହେଲାଣି। ଗାଁ ଗାଁରେ ସ୍ଥାନୀୟ ସଂକ୍ରମଣ ବଢ଼ୁଛି। ଏଥିପାଇଁ ଲୋକମାନଙ୍କର ସଚେତନତାର ଅଭାବକୁ ଦାୟୀ କରି ଏହି କୁନିକୁନି ପିଲାମାନେ ନିଜ କଳା ମାଧ୍ୟମରେ ସେମାନଙ୍କୁ ସଚେତନ କରିଛନ୍ତି। ଏବେ ଗାଁ ଗହଳିରେ କରୋନା ସଚତନତାର ଅଭାବ ଯୋଗୁ ଅନେକ ସମସ୍ୟା ଉପୁଜିବା ଆରମ୍ଭ ହୋଇଛି। ତେଣୁ ପିଲାମାନଙ୍କର ଏହି ସଚେତନତାର ବାର୍ତ୍ତା ସେମାନଙ୍କୁ ନୂଆ ଦିଶା ଦେଖାଇବ ବୋଲି ମତପ୍ରକାଶ ପାଇଛି।BGUମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତରେ ସବୁଜ ବଳୟ ସମିତି ଆନୁକୂଲ୍ୟରେ ମାଉଣ୍ଟସ୍ଥିତ ସ୍ଥାନୀୟ ହନୁମାନ ବାଟିକା ନିକଟରେ ଏକ ବୃକ୍ଷରୋପଣ ଓ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କୁନି କୁନି ଛାତ୍ରଛାତ୍ରୀ କୁମାରୀ ସୋନମ୍, କୁମାରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ସୌରଭ କୁମାର ଆଦି ଗୀତ ଓ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରିଥିଲେ। ଏହି ଗୀତଗୁଡିକୁ ଗୁରୁ ସଦାନନ୍ଦ ଲେଙ୍କା ରଚନା କରିଥିବା ବେଳେ ଏହି ସଙ୍ଗୀତକୁ ସ୍ଵର ଓ ତାଳ ଦେଇ ସଜାଇଥିଲେ ନିର୍ଦ୍ଦେଶକ ଅକ୍ଷୟ କୁମାର ବେହେରା। କାର୍ଯ୍ୟକ୍ରମରେ ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ପିଲାମାନଙ୍କ କଳାରେ ବିଭୋର ହୋଇ ଥାନା ଅଧିକାରୀ ସେମାନଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ।

Comment