ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଏନ୍‌କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ୱାଳ ଓରଫ୍ ବାବୁ ଗୁରୁତର ଆହତ ହୋଇଛି। ମଙ୍ଗଳବାର ପ୍ରାୟ ଭୋର ୪ଟା ସମୟରେ ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପୋଲିସ ଉପରକୁ ଏକ ରାଉଣ୍ଡ ଗୁଳିଚଳାଇ ଫେରାର ହେବାକୁ ବସିଥିବା ସାପ ଗ୍ରୁପର ଅପରାଧି କୁହାଯାଉଥିବା ସାର୍ପ ସୁଟର ବାବୁ ଓରଫ ସଞ୍ଜୟ ବିଶ୍ୱାଳକୁ ଏନକାଉଣ୍ଟର କରିଛି ରାଜନଗର ପୋଲିସ। ସଞ୍ଜୟର ବାମ ଗୋଡ଼ରେ ପୋଲିସର ଦୁଇ ରାଉଣ୍ଡ ଗୁଳି ବାଜିଛି। ବାବୁକୁ ପ୍ରଥମେ ରାଜନଗର ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଛି।

କେନ୍ଦ୍ରାପଡ଼ାରେ କିଛି ବର୍ଷ ହେଲା ଅପରାଧ ଘଟାଇବାରେ ସକ୍ରିୟ ହେଉଥିବା ସାପ ଗ୍ରୁପ୍‌ ଉପରେ ପୋଲିସର ନଜର ପଡ଼ିଛି। ଗାଁ ଗାଁରେ ପସି ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭିତ କରୁଥିବା ଏହି ଗ୍ରୁପ ବିଷୟରେ ପ୍ରଥମେ କଣ୍ଡିରା ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଏହି ଖବର ଉପରେ ଗୁରୁତ୍ୱ ଦେଇନଥିଲା। ଫଳରେ ଗାଁ ଲୋକେ ପବିତ୍ର ସ୍ୱାଇଁ ନାମକ ଜଣେ ଅପରାଧିକୁ କାବୁ କରି ଗାଁରେ ବାନ୍ଧି ପକାଇଥିଲେ। ପବିତ୍ରକୁ ଗାଁ ଲୋକଙ୍କ ନିକଟରୁ ଉଦ୍ଧାର କରିବାକୁ ଏହି ସାପ ଗ୍ରୁପର ଅପରାଧିମାନେ ଗାଁରେ ପହଞ୍ଚି ଗୁଳି ଚଳାଇ କିଶୋର ସେଠୀ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ।

ପୋଲିସର ନିସ୍କ୍ରିୟତା ପ୍ରତିବାଦରେ ସାରା ରାଜନଗର ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଇଥିଲା। କିଶୋରଙ୍କ ମୃତ ଦେହ ରଖି ଲୋକେ ରାଜନଗର ପୋଲ ଉପରେ ଆନ୍ଦୋଳନ କରିଥିଲେ। ଅପରାଧିମାନଙ୍କୁ ଶୀଘ୍ର ଗିରଫ କରିବାକୁ ପୋଲିସର ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା।

ସୋମବାର ଏହି ଅପରାଧିମାନଙ୍କୁ ଧରିବାକୁ ପୋଲିସ ୪ଟି ଟିମ୍ ଗଠନ କରିଥିଲା। ପୋଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ରଖିଥିଲା। ସୋମବାର ରାତିରେ ଖସି ପଳାଉଥିବା ବେଳେ ରାଜନଗର ପୋଲିସ ଏନ୍‌କାଉଣ୍ଟର କରିଥିଲା।

ବାବୁ ନିକଟରୁ ପୋଲିସ ଏକ ବନ୍ଧୁକ ଜବତ କରିଛି। ବାବୁ ଓରଫ ସଞ୍ଜୟ ବିଶ୍ୱାଳର ଘର ଆଳିଥାନା ପତ୍ରପୁର ଗାଁରେ ବୋଲି ଜଣାପଡ଼ିଛି। ବାବୁ ନାଁରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପଟ୍ଟାମୁଣ୍ଡାଇ ଏସଡିପିଓ ସୂଚନା  ଦେଇଛନ୍ତି।

Comment