ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ସହରରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ କରିବାକୁ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗାପୂଜା।

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୋଲିସର ନାଲି ଆଖିକୁ ଭିନ୍ନ ଢଙ୍ଗରେ ତଉଲନ୍ତି ଜନସାଧାରଣ। ପରସ୍ପର ପ୍ରତି କେତେବେଳେ ବିଶ୍ଵାସ ତ କେତେବେଳେ ଅବିଶ୍ବାସର ସମ୍ପର୍କ ସୃଷ୍ଟି ହୋଇଥାଏ। ତେବେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଦୃଢ଼ କରିବାକୁ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସହରରେ ନିଆରା ଢଙ୍ଗରେ ପାଳିତ ହୁଏ ଦୁର୍ଗାପୂଜା। ସହରର ଥାନା ମେଢ଼ରେ ହେଉଥିବା ରାମ ଅଭିଷେକ ପୂଜାରେ ପଟ୍ଟାମୁଣ୍ଡାଇ ଥାନା ଭାରପ୍ରାପ୍ତ ଅଧିକାରୀ ମୁଖ୍ୟ ପୁରୋଧା ସାଜନ୍ତି। ଏଥିସହ ଭାଇଚାରା ସୃଷ୍ଟି କରିବାକୁ ଏହି ପୂଜାକମିଟିରେ ଉଭୟ ହିନ୍ଦୁ ଓ ମୁସଲମାନ ସଦସ୍ୟ ରହିଥାନ୍ତି।ଦୁର୍ଗା ପୂଜାକୁ ସାର୍ବଜନୀନ କରିବାକୁ ୧୯୭୯ ମସିହାରେ ତତ୍କାଳୀନ ଥାନା ଅଧିକାରୀ ଥାନା ମେଢ଼ରେ ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ରଙ୍କ ପୂଜା ଆରମ୍ଭ କରିଥିଲେ। ଏହି ପୂଜାରେ ସେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କର ସେତୁବନ୍ଧ ବାନ୍ଧିଥିଲେ।

ଥାନା ସଂଲଗ୍ନ ବ୍ୟବସାୟୀମାନଙ୍କୁ ବସାଇ ପୂଜାକମିଟି ଗଠନ କରିଥିଲେ। ଯେଉଁଥିରେ ସେ ନିଜେ ସଭାପତି ରହିଥିଲେ। ସବୁଠୁ ଖାସ୍ କଥା ହେଉଛି, ଉଭୟ ହିନ୍ଦୁ ଓ ମୁସଲମାନମାନେ ଏହି ପୂଜା କମିଟିର ସଦସ୍ୟ ଅଛନ୍ତି। ସଦସ୍ୟମାନେ ପରସ୍ପର ମଧ୍ୟରେ ଚାନ୍ଦା ଆଦାୟ କରନ୍ତି। ଏକାଠି ବସି ପୂଜାନୀତି ନିର୍ଦ୍ଧାରଣ କରିନ୍ତି।

ବଦଳନ୍ତି ଥାନା ବାବୁ ହେଲେ ବଦଳେନା ପରମ୍ପରା। ଏହି ପୂଜା ମଣ୍ଡପରେ ପୂଜା ଆରମ୍ଭ ହେବା ବର୍ଷରୁ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଅହଲ୍ୟା ଉଦ୍ଧାର ଉପାଖ୍ୟାନର କଥାବସ୍ତୁକୁ ନେଇ ନିର୍ମାଣ ହୋଇଥିଲା ମୂର୍ତ୍ତି। ୧୧ତମ ବର୍ଷରେ ରାବଣ ବଧ ଉପାଖ୍ୟାନକୁ ନେଇ ମୂର୍ତ୍ତି ନିର୍ମାଣ ହୋଇଥିଲା। ୧୨ତମ ବର୍ଷରେ ମହାପ୍ରଭୁ ଶ୍ରୀରାମଙ୍କ ରାଜାଭିଷେକ ମୂର୍ତ୍ତି ଆରମ୍ଭ ହେଲା। ଏପର୍ଯ୍ୟନ୍ତ ସେହି ରାମ ଅଭିଷେକ ମୂର୍ତ୍ତି ଭାବରେ ଏଠି ପୂଜା ହୋଇଆସୁଛି।ଚଳିତବର୍ଷ ପଟ୍ଟାମୁଣାଇ ଆଦର୍ଶ ଥାନା ଇନ୍ସପେକ୍ଟର ରାକେଶ କୁମାର ତ୍ରିପାଠୀ ରାମ ଅଭିଷେକ ପୂଜା କମିଟିର ସଭାପତି ଭାବେ କର୍ତ୍ତା ଆସନରେ ଅଛନ୍ତି। କୋଭିଡ୍ କଟକଣା ସହିତ କଳସ ବୁଡ଼ାଇବାଠାରୁ ଆରମ୍ଭକରି ସେ ପୂଜାରେ ସମସ୍ତ ବିଧିରେ ରହିଛନ୍ତି। ସମ୍ପାଦକ ଅଛନ୍ତି ଦିଗାମ୍ବର ପାଢ଼ୀ। କମିଟିର ଅନ୍ୟାନ୍ୟ ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ନୁର୍ ମହମଦ୍, ସୁକାନ୍ତ ନାୟକ, ସେକ୍ ଇବ୍ରାହିମ୍, ବିଭୂତିଭୂଷଣ ଦାଶ, ସେକ୍ ଆସାନ ଅଲ୍ଲୀ, ପିତାମ୍ବର ପାଢ଼ୀ, ସେକ୍ ଅକ୍ତର, ସଂଗ୍ରାମ ସାହୁ ପ୍ରମୁଖ।ଏହି ରାମ ଅଭିଷେକ ପୂଜା କମିଟିର ଆଦର୍ଶ ପୂଜା ବଜାରରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛି। ପୂଜା କମିଟି କେବଳ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କର ସେତୁବନ୍ଧ ବାନ୍ଧିନି ଏହା ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସମ୍ପର୍କର ଭାଇଚାରାର ମାଧ୍ୟମ ହୋଇଆସିଛି।

ସେହିପରି କଚେରୀ ଦୁର୍ଗା ମେଢ଼ରେ ମଧ୍ୟ ଏକ ନିଆରା ପରମ୍ପରା ପ୍ରଚଳିତ। ଏହି ମେଢ଼ରେ ପଟ୍ଟାମୁଣ୍ଡାଇ ତହସିଲଦାର ପୁରୋଧା ଭୂମିକା ନିର୍ବାହ କରନ୍ତି।

Comment