ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଧବାର ରାତିଠୁ ସମସ୍ତଙ୍କ ମୁହଁରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ଡଙ୍ଗାବୁଡ଼ି ଘଟଣା। ଏହି ଡଙ୍ଗାବୁଡ଼ି ସହ ଜଡ଼ିତ ପର୍ଯ୍ୟଟନସ୍ଥଳୀ ହୁକିଟୋଲା। ତେବେ ହୁକିଟୋଲା ବାବଦରେ ଏମିତି କିଛି କଥା ଅଛି ଯାହା ଅନେକଙ୍କୁ ଆଜି ବି ଅଜଣା।

ଯେଉଁଠି ମହାନଦୀ ବଙ୍ଗୋପସାଗରକୁ ଛୁଇଁଛି ସେଠାରେ ସୃଷ୍ଟି ହୋଇଥିବା ଦ୍ୱୀପପୁଞ୍ଜ ମଧ୍ୟରୁ ହୁକିଟୋଲା ଅନ୍ୟତମ। ଚାରିପାଖରେ ସମୁଦ୍ରର ଜୁଆର ମଥା ପିଟୁଛି। ମଝିରେ ଘଞ୍ଚ ଲୁଣା ଜଙ୍ଗଲ ପରିବେଷ୍ଟିତ ୧୪୦୦ ଏକର ବିଶିଷ୍ଟ ଏକ ସାମୁଦ୍ରିକ ଭୁଖଣ୍ଡ। ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ବ୍ରିଟିଶରମାନେ ଭାରତକୁ ଖାଦ୍ୟଶସ୍ୟ ଯୋଗାଇବାକୁ ବର୍ମାରୁ ଜାହାଜରେ ପଣ୍ୟଦ୍ରବ୍ୟ ସବୁ ଆଣି ଏଇଠି ସାଇତି ରଖିବାକୁ ନିର୍ମାଣ କରିଥିଲେ ୭୦୦୦ ବର୍ଗଫୁଟର ଏକ ବିଶାଳ ପଣ୍ୟାଗାର।

ସମୁଦ୍ର ମଝିରେ ପିଇବା ପାଣିର ଅଭାବ ଦୂର କରିବାକୁ ଏଠି ବ୍ରିଟିଶରମାନେ ତିଆରି କରିଥିଲେ ଏକ ଅଭିନବ ଉପାୟ। ପଣ୍ୟାଗାରର ଛାତରୁ ପାଇପ୍‌ ଯୋଗେ ବର୍ଷା ପାଣିକୁ ସଂଗ୍ରହ କରାଯାଇ ପଣ୍ୟାଗାର ଦୁଇ ପାଖରେ ତିଆରି ହୋଇଥିଲା ବିଶାଳ ବିଶାଳ ପାଣି ଟାଙ୍କି।

ବର୍ଷସାରା ଏହି ପାଣି ଟାଙ୍କିର ପାଣିକୁ ଖାଇବା, ପିଇବା, ଗାଧୋଇବା ଆଦି କାର୍ଯ୍ୟରେ ବ୍ୟବହାର କରାଯାଉଥିଲା। ଏହି ପଣ୍ୟାଗାରରେ ବ୍ୟବହୃତ ପଥର ସବୁ କଟକର ବାରବାଟୀ ଦୁର୍ଗରୁ ଷ୍ଟିମରରେ ବୋହି ଆଣି ନିର୍ମାଣ କରିଥିଲେ ଏକ ବିଶାଳ ପଣ୍ୟାଗାର। ସେତେବେଳେ ବ୍ରିଟିଶ ସରକାରଙ୍କ ବଙ୍ଗ, ବିହାର ଓ ଓଡ଼ିଶା ପାଇଁ ଜଳସେଚନ ବିଭାଗ ଦାୟିତ୍ୱରେ ରହିଥିବା ହୁକି ୱାକର ନାମକ ଜଣେ ବରିଷ୍ଠ ଯନ୍ତ୍ରୀଙ୍କ ପ୍ଲାନରେ ଏହି ପଣ୍ୟାଗାରର ନିର୍ମାଣ କରାଯାଇଥିବାରୁ ଏହାର ନାମକରଣ କରାଯାଇଥିଲା ହୁକିଟୋଲା।

୧୮୭୫ ମସିହାରେ ପ୍ୟାରିସରୁ ଭାଲେ ଦେ ପ୍ୟାରିସ୍ ନାମକ ଏକ ଜାହାଜ ପଣ୍ୟଦ୍ରବ୍ୟ ନେଇ ହୁକିଟୋଲା ପଣ୍ୟାଗାରକୁ ଆସୁଥିବା ବେଳେ ହୁକିଟୋଲାଠାରୁ ମାତ୍ର ଅଳ୍ପଦୂରରେ ବାଲି ଚଢ଼ାରେ ପିଟି ହୋଇ ବୁଡ଼ି ଯାଇଥିଲା। ପ୍ରକୃତି ଏଇଠି ସବୁ ପ୍ରାକୃତିକ ଶୋଭାକୁ ଅଜାଡ଼ି ଦେଇଛି। ବ୍ରିଟିଶରମାନେ ଏଠାରୁ ଚାଲିଯିବାପରେ ସେମାନେ ଛାଡ଼ି ଯାଇଥିବା ବ୍ରିଟିଶ କୁକୁରମାନଙ୍କର ଏଠାରେ ବଂଶ ବୃଦ୍ଧି ଘଟିଥିଲା। ସେମାନେ ଖାଇବାକୁ ନପାଇ ସମୁଦ୍ରର ମାଛ କଙ୍କଡ଼ା ଖାଇ ଜଙ୍ଗଲରେ ରହୁଥିଲେ।

ସେମାନେ ଏବେ ଜଙ୍ଗଲି କୁକୁର ହୋଇଯାଇଛନ୍ତି। ଝଡ଼ ବାତ୍ୟାରେ ସେମାନଙ୍କ ମଧ୍ୟରୁ ଅନେକ ମରି ହଜି ଗଲେଣି। ହରିଣ, ବାର୍‌ହା, ଜଙ୍ଗଲି କୁକୁର ସହିତ ବହୁ ଦେଶ ବିଦେଶର ପକ୍ଷୀମାନଙ୍କ ଆଶ୍ରୟ ସ୍ଥଳ ଏବେ ହୁକିଟୋଲା। କେବେ କେବେ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରି ଗଲେ ଏଠାରେ ରହିଯାନ୍ତି। ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶରେ ଗଢ଼ା ହୋଇଛି ହୁକିଟୋଲା।

ଏତେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଶୋଭା ସାଉଣ୍ଟିବାକୁ ପ୍ରତିବର୍ଷ ସମୁଦ୍ର ମଝିକୁ ବୁଲିଆସନ୍ତି ହଜାରହଜାର ପର୍ଯ୍ୟଟକମାନେ। ଏମାନଙ୍କ ପାଇଁ ପର୍ଯ୍ୟଟନ ବିଭାଗ କିଛିବା କରିନି। କେବଳ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜମେଣ୍ଟ ପ୍ରକଳ୍ପରେ ବନ ବିଭାଗ ଏହି ପରିତ୍ୟକ୍ତ କୋଠାକୁ ମରାମତି କରିବା ଛଡ଼ା ପର୍ଯ୍ୟଟକମାନଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଇନି। ପର୍ଯ୍ୟଟକମାନେ ଏଠାକୁ ଆସିଲେ ନିଜ ନିଜର ଭଡ଼ା ବୋଟରେ ଆସିଥାନ୍ତି।

ବୁଲାବୁଲି କରି ନିଜ ଇଛାରେ ଯିଏ ଯେତେବେଳେ ଯିବା ଆସିବା କରିଥାନ୍ତି। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ମାନଚିତ୍ରରେ ହୁକିଟୋଲାର ନାଁ ଯୋଡ଼ି ହୋଇଥିଲେ ମଧ୍ୟ  ପର୍ଯ୍ୟଟକମାନଙ୍କ  ପାଇଁ କୌଣସି ବ୍ୟବସ୍ଥା କରିପାରିନାହିଁ। ପର୍ଯ୍ୟଟନ ବିଭାଗ ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ନିୟମ କାନୁନ ରଖିନାହାଁନ୍ତି।

ଏହି ପର୍ଯ୍ୟଟନସ୍ଥଳୀକୁ ଆସିବାକୁ ହେଲେ କେନ୍ଦ୍ରାପଡ଼ାର ଖରିନାସୀ ଜେଟିରୁ ବୋଟରେ ଆସିବାକୁ ପଡ଼ିଥାଏ। ସେହିପରି କେନ୍ଦ୍ରାପଡ଼ାର ଜମ୍ବୁ ଜେଟିଠାରୁ ମଧ୍ୟ ପର୍ଯ୍ୟଟକମାନେ ବୋଟରେ ଆସନ୍ତି। ଜଗସିଂହପୁର ଜିଲ୍ଲାର ଲୋକେ ପାରଦୀପ ପଟୁ କିମ୍ବା ଭୁତମୁଣ୍ଡାଇ ପୋଲ ତଳୁ ମହାନଦୀ ବାଟଦେଇ ଏହି ସ୍ଥାନରେ ପହଞ୍ଚିବାର ସୁବିଧା ରହିଛି।

LEAVE A REPLY

Please enter your comment!
Please enter your name here