ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଓଡ଼ିଶାଲାଇଭ୍‌କୁ କଂଗ୍ରେସର ଭିଜନ ସମ୍ପର୍କରେ କହିଲେ ଏଆଇସିସି ସମ୍ପାଦକ ତଥା ଗୁଜୁରାଟ ସହ-ପ୍ରଭାରୀ ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ଓଡ଼ିଶାରେ ରାହୁଲ ଗାନ୍ଧି କ’ଣ କହିବେ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବେ କି? ଓଡ଼ିଶା ଭୋଟରଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରିବା ପାଇଁ କେଉଁ ରଣନୀତି ଆପଣାଇବେ କଂଗ୍ରେସ ଅଧ୍ୟକ୍ଷ?

ଏସବୁ ପ୍ରଶ୍ନ ଏବେ କଂଗ୍ରେସର ନେତା, କର୍ମୀ ଏବଂ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି। ଜାନୁଆରୀ ୨୫ରେ ଭୁବନେଶ୍ୱରର ତମାଣ୍ଡୋ ସଭା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ରାହୁଲ ଓଡ଼ିଶା ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବେ ବୋଲି ଓଡ଼ିଶାଲାଇଭ୍‌କୁ କହିଛନ୍ତି ଡକ୍ଟର ବିଶ୍ୱରଞ୍ଜନ ମହାନ୍ତି।

ରାହୁଲ ଆସିବେ, ଲୋକେ ଉତ୍ସାହିତ

କଂଗ୍ରେସର ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହାକୁ ନେଇ କଂଗ୍ରେସ ନେତା, କର୍ମୀ ଏବଂ ସାଧାରଣ ଲୋକେ ଉତ୍ସାହିତ ଅଛନ୍ତି। ରାହୁଲ ଗାନ୍ଧି ଓଡ଼ିଶାରେ କ’ଣ କହିବେ ତାହା ଶୁଣିବା ପାଇଁ ସେମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ମୋଦିଙ୍କୁ କଂଗ୍ରେସ ବିରୋଧରେ କହିବାର ରୋଗ ଗ୍ରାସିଛି

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ଦିନରୁ କଂଗ୍ରେସ ବିରୋଧରେ କହିବା ପାଇଁ ତାଙ୍କୁ ରୋଗ ଗ୍ରାସ କରିଛି। ସେ ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ରାହୁଲ ଗାନ୍ଧିଙ୍କ ପର୍ଯ୍ୟନ୍ତ କାହାକୁ ଛାଡ଼ୁ ନାହାନ୍ତି। ୨୦୧୪ ନିର୍ବାଚନ ବେଳେ ମୋଦି ଦେଶବାସୀଙ୍କୁ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ହେଲେ ମୋଦି ସେସବୁ ପ୍ରତିଶ୍ରୁତି ଭୁଲି କଂଗ୍ରେସ ବିରୋଧରେ କେବଳ କହି ଚାଲିଛନ୍ତି। ଏହାକୁ ଲୋକେ କେବେ ବି ବରଦାସ୍ତ କରିବେନି।

ଓଡ଼ିଶାବାସୀଙ୍କୁ ଠକିଛନ୍ତି ମୋଦି

ମୋଦି ଓଡ଼ିଶାରେ ମଧ୍ୟ ବିଭିନ୍ନ ପ୍ରତିଶ୍ରୁତି ଦେଇଥିଲେ। ହେଲେ ସାଢ଼େ ଚାରି ବର୍ଷ ଭିତରେ ସେସବୁ ପ୍ରତିଶ୍ରୁତି କେତେ ପୂରଣ ହୋଇଛି? ମୋଦି ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ନିର୍ମାଣ, ଆଇଜିଏଚ ହସ୍ପିଟାଲକୁ ଅତ୍ୟାଧୁନିକୀକରଣ କରିବାକୁ କହିଥିଲେ। ବର୍ଷକୁ ୨ କୋଟି ଯୁବକଙ୍କୁ ଚାକିରି ଦେବାକୁ କହିଥିଲେ ମୋଦି। ସେ ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ଓଡ଼ିଶାବାସୀ ପ୍ରଶ୍ନ କରୁଛନ୍ତି। ନିର୍ବାଚନ ଆଗକୁ ଥିବାରୁ ମୋଦି ଓଡ଼ିଶା ଆସି ବାରମ୍ବାର ପୁଣି ମିଛ ପ୍ରତିଶ୍ରୁତି ଦେଇ ଯାଉଛନ୍ତି।

ରାହୁଲଙ୍କ ଫୋକସରେ ଯୁବକ, ଚାଷୀ, ମହିଳା

ମୋଦି ଯୁଆଡ଼େ ଯାଉଛନ୍ତି କଂଗ୍ରେସକୁ ଟାର୍ଗେଟ କରୁଛନ୍ତି। କିନ୍ତୁ ରାହୁଲ ଗାନ୍ଧିଙ୍କର ସେ ଏଜେଣ୍ଡା ନାହିଁ। ଆମ ଦଳ କେନ୍ଦ୍ର ଏବଂ ରାଜ୍ୟରେ ବିରୋଧୀ ଦଳରେ ରହିଛି। ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ସାମ୍ନାକୁ ଆଣିବା ଆମର ଦାୟିତ୍ୱ। ଆମେ ତାହାକୁ ତୁଲାଉଛୁ। ଆମେ ନୂଆ ରଣନୀତିରେ ନର୍ବାଚନ ଲଢ଼ୁଛୁ। ଓଡ଼ିଶା ପାଇଁ ମଧ୍ୟ ଆମର ଭିଜନ ଭିନ୍ନ। ଓଡ଼ିଶାର ଯୁବକ, ଚାଷୀ ଏବଂ ମହିଳାମାନଙ୍କ ପାଇଁ ଆମେ କ’ଣ କରିବୁ ତା’ର ଲକ୍ଷ୍ୟ ରାହୁଲ ଗାନ୍ଧି ନିର୍ଦ୍ଧାରଣ କରିଛନ୍ତି। ସେ ଲକ୍ଷ୍ୟ ନେଇ ରାହୁଲ ଓଡ଼ିଶା ଆସୁଛନ୍ତି।

ସକରାତ୍ମକ ଚିନ୍ତାଧାରା ନେଇ ଓଡ଼ିଶା ଆସିବେ ରାହୁଲ

ମୋଦି ଯାହା କରୁଛନ୍ତି ରାହୁଲ ତାହା କରିବେ ତାହା କହିବା ଠିକ୍ ନୁହେଁ। ତାଛଡ଼ା ମୋଦିଙ୍କୁ ଜବାବ ଦେବା ପାଇଁ ରାହୁଲ ଓଡ଼ିଶା ଆସୁ ନାହାନ୍ତି। କଂଗ୍ରେସ କେନ୍ଦ୍ର ଏବଂ ରାଜ୍ୟରେ ବିରୋଧୀ ଆସନରେ ବସିଥିବାରୁ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ରଖିବୁ। ରାହୁଲ ଗାନ୍ଧି ଭାରତରେ ନକରାତ୍ମକ ନୁହେଁ, ସକରାତ୍ମକ ରାଜନୀତିରେ ବିଶ୍ୱାସ କରନ୍ତି। ସକରାତ୍ମକ ଚନ୍ତାଧାରା ନେଇ ରାହୁଲ ଓଡ଼ିଶା ଆସୁଛନ୍ତ।

ନବୀନଙ୍କୁ କାଉଣ୍ଟର କରିବେ ରାହୁଲ!

ରାହୁଲ ଗାନ୍ଧି ନୂଆକରି ଓଡ଼ିଶାଗସ୍ତରେ ଆସୁ ନାହାନ୍ତି। ଅତୀତରେ ରାହୁଲ ଯେତେଥର ଓଡ଼ିଶା ଆସିଛନ୍ତି ସେତେଥର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ପ୍ରସଙ୍ଗରେ, ଭୁବନେଶ୍ଵରରେ ଗଣମାଧ୍ୟମର ସମ୍ପାଦକମାନଙ୍କ ସହ ଆଲୋଚନା ବେଳେ ରାହୁଲ କ’ଣ କହିଥିଲେ ଏବଂ ରାଜ୍ୟ ସରକାରଙ୍କୁ କେମିତି ଟାର୍ଗେଟ କରିଥିଲେ ତାହା ଓଡ଼ିଶାବାସୀ ଭଲଭାବେ ଜାଣିଛନ୍ତି।

ଯୁବପିଢ଼ି ଆଉ ମୋଦିଙ୍କ କଥା ଶୁଣୁ ନାହାନ୍ତି

ବର୍ତ୍ତମାନର ଯୁବପିଢ଼ିଙ୍କୁ ମୋଦି କଥା କହି ଆଉ ପ୍ରଭାବିତ କରିପାରିବେନି। କାରଣ ମୋଦିଙ୍କ କଥା ଶୁଣିବାକୁ ଯୁବପିଢ଼ି ଆଉ ରାଜି ନାହାନ୍ତି। ବର୍ଷକୁ ୨ କୋଟି ଚାକିରି ଦେବାକୁ କହିଥିବା ମୋଦି ୧୨ ଲକ୍ଷ ଚାକିରି ବି ସୃଷ୍ଟି କରିପାରିଲେନି। ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ କଲେ ମୋଦି ଯୁବକମାନଙ୍କୁ ପକୁଡି ଏବଂ ପାନ ଦୋକାନ କରିବାକୁ ପରାମର୍ଶ ଦେଉଛନ୍ତି। ମୋଦି ଏଭଳି କଥା କହି ଯୁବପିଢ଼ିଙ୍କୁ ହତାଶ କରିଛନ୍ତି। ରାହୁଲଙ୍କ ସକରାତ୍ମକ ଚିନ୍ତାଧାରାକୁ ଯୁବପିଢ଼ି ଗ୍ରହଣ କରୁଛନ୍ତି ଏବଂ ଓଡ଼ିଶାର ଯୁବପିଢ଼ି ମଧ୍ୟ ଏହାକୁ ଗ୍ରହଣ କରିବେ।

ରାହୁଲଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି

ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସ ସରକାର ଗଢ଼ିବା ପରେ ତମାମ୍ ଦେଶରେ ଏହାର ପ୍ରଭାବ ପଡ଼ିଛି। ରାହୁଲ ଗାନ୍ଧିଙ୍କ ପ୍ରତି ସାଧାରଣ ଲୋକଙ୍କର ଆସ୍ଥା ବଢ଼ିଛି। ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରି ଲୋକେ ସକରାତ୍ମକ ରାଜନୀତିକୁ ଗ୍ରହଣ କରିଥିବାରୁ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିବ।

Comment