ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରାକୁ ନଜରରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରସାଶନ।

ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀକୁ ବିରୋଧ କରି ବୁଧବାର କେନ୍ଦ୍ରାପଡ଼ା ସହର ଅଶାନ୍ତ ହୋଇଯାଇଛି। ପରିସ୍ଥିତି ଅଣାୟତ୍ତ ହେବାରୁ ଜିଲ୍ଲା ପ୍ରଶାସନ ସାରା ସହରରେ ୧୪୪ ଧାରା ଜାରି କରିଛି। ପୋଲିସ ଛାଉଣିରେ କେନ୍ଦ୍ରାପଡ଼ା ସହର।

ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଏକ ସଭାର ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହୋ ହଲ୍ଲା ହୋଇ ଉତ୍ତେଜନା ସୃଷ୍ଟି ହୋଇଥିଲା।ଆରଏସ୍‌ଏସର ସ୍ୱୟଂସେବକମାନେ ହାଇସ୍କୁଲ ରାସ୍ତାରେ ବସିରହି ଏହାର ପ୍ରତିବାଦ କରିଥିଲେ। ରାସ୍ତାରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ କରିଥିଲେ। ତେବେ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବା ପାଇଁ ୧୧ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ଗୁରୁବାର କେନ୍ଦ୍ରାପଡ଼ାରେ ପୌରାଞ୍ଚଳରେ ଥିବା ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି। ୧୪୪ ଧାରା ଅନିର୍ଦ୍ଦିଷ୍ଟ ସମୟ ପାଇଁ ବଳବତ୍ତର ରହିଥିବାରୁ ଗୁରୁବାର ସହରର ସମସ୍ତ ସ୍କୁଲ କଲେଜକୁ ବନ୍ଦ ଘୋଷଣା କରିଛି ପ୍ରଶାସନ। ଏଥିସହ ସହରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରି ଦିଆଯାଇଛି।

 

ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ସମ୍ଭାବନା ନେଇ ସହରର ବିଭିନ୍ନ ଛକରେ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ସହରରେ ଫ୍ଲାଗ୍‌ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ଉଦ୍ୟମ କରୁଛି।

Comment