ଓଡ଼ିଶାଲାଇଭ୍ ବ୍ୟୁରୋ
ଅଷ୍ଟ୍ରେଲିଆରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି। ଏଠାକାର ତାପମାତ୍ରା ବର୍ତ୍ତମାନ ୫୦ ଡିଗ୍ରୀ ସେଲ୍ସିୟସରେ ପହଞ୍ଚି ସାରିଛି। ସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି କି ଅଧିକ ଗରମ କାରଣରୁ ଏଠାକାର ରାସ୍ତା ଉପରୁ ପିଚୁ ତରଳିବାରେ ଲାଗିଛି। ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ଏରିଆର ବହୁ ସ୍ଥାନରେ ତାପମାତ୍ରା ୫୦ଡିଗ୍ରୀ ରହିଛି। ଗରମ ପବନ ବହୁଥିବାରୁ ଏଠାରେ ଆଲର୍ଟ ଜାରି କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଲୋକଙ୍କୁ ଖରାରେ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।
ତେବେ ଗରମ ପବନ ଏବଂ ଖରାର ପ୍ରକୋପ କାରଣରୁ ଓଜନ ସ୍ତର ବଢିବ, ଯେଉଁଥିପାଇଁ ବିଭିନ୍ନ ପ୍ରକାରର ଅସୁବିଧା ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଚଳିତ ବର୍ଷର ଖରା ଅଷ୍ଟ୍ରେଲିଆର ସବୁ ରେକର୍ଡ ଭାଙ୍ଗିଥିବା ସୂଚନା ମିଳିଛି। କିଛି ବିଷେଶଜ୍ଞଙ୍କ ମୁତାବକ ଦକ୍ଷିଣ ଅଷ୍ଟ୍ରେଲିଆ ଚଳିତ ବର୍ଷ ବିଶ୍ୱର ସବୁଠାରୁ ଗରମ ସହର ଭାବେ ସାମିଲ ହୋଇଛି।
ଅନ୍ୟପଟେ ତାପମାତ୍ରା ଆହୁରି ଅଧିକ ବଢ଼ିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଏଠାକାର ବହୁ ସହରରେ ତାପମାତ୍ରା ୪୫ ଡିଗ୍ରୀ ରହିଛି। ଏଠାରେ ଗରମ ଅଧିକ ହେଉଥିବାରୁ ପାଖାପାଖି ୧୦ ଲକ୍ଷ ମାଛଙ୍କର ମୃତ୍ୟୁ ହୋଇସାରିଛି। ଖାଲି ସେତିକି ନୁହେଁ ଜଳସ୍ତର ହ୍ରାସ ପାଇବା ସହିତ ‘ଲୁ’ କାରଣରୁ ୯୦ଟି ଜଙ୍ଗଲୀ ଘୋଡ଼ାଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।