ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର କରୋନା ବିରୋଧୀ ଲଢ଼େଇରେ ବିଦେଶରୁ ଆସିଛି ସହଯୋଗର ହାତ। ପିଏମ୍ କେୟାର ଫଣ୍ଡକୁ ୫୦ ହଜାର ଡଲାର ଦାନ କରିଛନ୍ତି ଅଷ୍ଟ୍ରେଲୀୟ କ୍ରିକେଟର ପାଟ୍ କମିନ୍ସ। ଭାରତରେ ଦେଖାଯାଇଥିବା ଅକ୍ସିଜେନ୍ ସଙ୍କଟକୁ ଦୂର କରିବା ପାଇଁ ଏହି ସହାୟତା ଦେଇଥିବା କମିନ୍ସ କହିଛନ୍ତି। ଏଥିସହ ସେ ଆଇପିଏଲ ଖେଳୁଥିବା ତାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଆର୍ଥିକ ସହାୟତା କରିବାକୁ ନିବେଦନ କରିଛନ୍ତି।

ଏକ ଟୁଇଟ୍ କରି କମିନ୍ସ କହିଛନ୍ତି, “ଭାରତ ଏମିତି ଏକ ଦେଶ ଯେଉଁଠାରୁ ମୁଁ ଅନେକ ଭଲ ପାଇବା ପାଇଛି। ଏଠାକୁ ଆସି ଅନେକ ଭଲ ଲୋକଙ୍କୁ ଭେଟିଛି। କିନ୍ତୁ ବର୍ତ୍ତମାନ ଏଠାରେ ଏତେ ଲୋକ ଅସୁବିଧାରେ ପଡ଼ିଥିବା ଦେଖି ମୁଁ ଦୁଃଖିତ। ଭାରତରେ କରୋନା ସଂକ୍ରମଣ ଅଧିକ ରହିଥିବା ବେଳେ ଆଇପିଏଲ ଆୟୋଜନ କରାଯିବା ଠିକ୍‌ କି ନୁହେଁ ବୋଲି ଅନେକ ଆଲୋଚନା ହେଉଛି। ଲୋକମାନେ ସଂକ୍ରମଣ ଭିତରେ ଆଇପିଏଲ ଯୋଗୁଁ କିଛି ସମୟ ପାଇଁ ମନୋରଞ୍ଜନ ପାଉଛନ୍ତି। ଏହି କଠିନ ସମୟରେ ଆଇପିଏଲ ଅନେକଙ୍କ ମୁହଁରେ ହସ ଫୁଟାଇ ପାରୁଛି। ତେଣୁ ଜଣେ ଖେଳାଳି ହିସାବରେ ମୁଁ ବହୁତ ଭାଗ୍ୟବାନ ଯେ ଆମେ ଏପରି ଏକ ପ୍ଲାଟଫର୍ମ ଜରିଆରେ ଲକ୍ଷଲକ୍ଷ ଲୋକଙ୍କ ସହ ଯୋଡ଼ି ହୋଇପାରୁଛୁ।”

ସେ ଆହୁରି ମଧ୍ୟ କହିଛନ୍ତି,”ଭାରତର ପିଏମ୍ କେୟାର ଫଣ୍ଡକୁ ମୁଁ ୫୦ ହଜାର ଡଲାରର ସହାୟତା ଦେଇଛି। ହସ୍ପିଟାଲଗୁଡ଼ିକ ପାଇଁ ଅକ୍ସିଜେନ କିଣାବା ସକାଶେ ମୁଁ ଏହି ଅର୍ଥ ଦାନ କରିଛି। ଏଥିସହ ମୁଁ ଆଇପିଏଲ ଖେଳୁଥିବା ମୋର ସମସ୍ତ ସହଯୋଗୀ ଓ ଭାରତ ସହ ସମ୍ପର୍କ ରଖିଥିବା ବିଶ୍ୱର ସମସ୍ତ ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରୁଛି।”

Comment