ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଷ୍ଟ୍ରେଲିଆରେ ହେବ ଆଇସିସି ଟି-୨୦ ବିଶ୍ୱକପ। ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ।

ଆସନ୍ତା ୨୦୨୦ ଉଭୟ ପୁରୁଷ ଓ ମହିଳା ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ପକ୍ଷରୁ ମଙ୍ଗଳବାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆରେ ଏହି ବିଶ୍ୱକପ ଖେଳାଯିବ। ମହିଳା ଟି-୨୦ ବିଶ୍ୱକପ ଫେବ୍ରୁଆରି ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ମାର୍ଚ୍ଚ ୮ ଅର୍ଥାତ ଅନ୍ତର୍ଜାତୀୟ ମହିଳା ଦିବସ ଦିନ ଖେଳାଯିବ। ସେହିପରି ପୁରୁଷ ଟି-୨୦ ବିଶ୍ୱକପ ଅକ୍ଟୋବର ୧୮ରୁ ଆରମ୍ଭ ହୋଇ ନଭେମ୍ବର ୧୫ ପର୍ଯ୍ୟନ୍ତ ଖେଳାଯିବ। ଅଷ୍ଟ୍ରେଲିଆର ୮ଟି ସହରର ୧୩ଟି ଷ୍ଟାଡିୟମରେ ମ୍ୟାଚ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ମହିଳା ଦଳ ଥିବା ବେଳେ ୧୬ଟି ପୁରୁଷ ଟିମ୍ ୪୫ଟି ମ୍ୟାଚ ଖେଳିବେ। ଉଭୟ ପୁରୁଷ ଓ ମହିଳା ବିଶ୍ୱକପ ଫାଇନାଲ ମ୍ୟାଚ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ଖେଳାଯିବ।

ପୁରୁଷ ଟି-୨୦ ବିଶ୍ୱକପର ଓପନିଂ ମ୍ୟାଚରେ ଆୟୋଜକ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଅକ୍ଟୋବର ୨୪ରୁ ଟିମ୍ ଇଣ୍ଡିଆ ତା’ର ବିଶ୍ୱକପ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍‌ ଇଣ୍ଡିଆ। ଭାରତ ୨୦୨୦ ବିଶ୍ୱକପ ସୁପର ୧୨ର ଗ୍ରୁପ୍ ବି’ରେ ରହିଛି। ଏହି ଗ୍ରୁପରେ ଭାରତ ସହ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ରହିଛନ୍ତି। ସେହିପରି ଗ୍ରୁପ-ଏରେ ପାକିସ୍ତାନ, ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ ଓ ନ୍ୟୁଜିଲାଣ୍ଡ ରହିଛନ୍ତି।

Comment