ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଶଶି ଥରୁରଙ୍କ ବିରୋଧରେ ହେଉଥିବା ଏହି ମାମଲାର ଶୁଣାଣି ଏଣିକି ସେସନ୍ସ କୋର୍ଟରେ ହେବ। ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହେଉଥିଲା। ସୋମବାର ପଟିଆଲା ହାଉସ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏଣିକି ଏହାର ଶୁଣାଣି ସେସନ୍ସ କୋର୍ଟରେ ହେବ।

ଫେବ୍ରୁଆରି ୨୧ରୁ ସେସନ୍ସ କୋର୍ଟ ଏହାର ଶୁଣାଣି ଆରମ୍ଭ କରିବେ। ସୋମବାର ପଟିଆଲା ହାଉସ କୋର୍ଟର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ମାମଲାର ଶୁଣାଣି ଅତିରିକ୍ତ ସେସନ୍ସ ଜଜ୍‌ ଅରୁଣ ଭରଦ୍ୱାଜଙ୍କ ନିକଟକୁ ପଠାଇଛନ୍ତି। ସେସନ୍ସ କୋର୍ଟ ଶଶି ଥରୁର୍‌ଙ୍କ ବିରୋଧରେ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସୁକାଇବା) ଓ ୪୯୮-ଏ(ସ୍ୱାମୀ କିମ୍ବା ପରିବାର ପକ୍ଷରୁ ମହିଳାଙ୍କୁ ଅତ୍ୟାଚାର) ଅନୁଯାୟୀ ମାମଲାର ଶୁଣାଣି କରିବେ।। ଏହି ମାମଲାରେ ଶଶି ଦୋଷୀ ସାବ୍ୟସ୍ତ ହେଲେ, ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ମିଳିବ।

୨୦୧୪ ମସିହା ଜାନୁଆରି ୧୭ରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରୁ ଶଶି ଥରୁର୍‌ଙ୍କ ପତ୍ନୀ ସୁନନ୍ଦାଙ୍କ ମୃତଦେହ ମିଳିଥିଲା। ସେହି ସମୟରେ ଶଶି ଥରୁର୍‌ଙ୍କ ବାସଭବନ ମରାମତି ହେଉଥିବାରୁ ପତି ପତ୍ନୀ ହୋଟେଲରେ ରହୁଥିଲେ।

Comment