ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ନିର୍ବାଚନମଣ୍ଡଳୀ ଗସ୍ତ ବେଳେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି ନାକେଦମ୍ ହେବାକୁ ପଡ଼ିଛି। ଗତ ୪ ତାରିଖରେ ବୈଜୟନ୍ତ ଏହି ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମାର୍ଶାଘାଇ ବ୍ଲକକୁ ଆସି ସ୍ଥାନୀୟ କିଛି ଯୁବକମାନଙ୍କ ଦ୍ୱାରା ବିରୋଧର ଶିକାର ହୋଇଥିବା ବେଳେ ଆଜି ପୁଣି ବୈଜୟନ୍ତ ମହାକାଳପଡା ବ୍ଲକର ବତୀଘର ପଞ୍ଚାୟତକୁ ଯିବା ବେଳେ  ବିରୋଧର ସମ୍ମୁଖୀନ ହୋଇଥିଲେ। ବତୀଘର ପଞ୍ଚାୟତରେ ବୈଜୟନ୍ତଙ୍କ ହେଲିକପ୍ଟର ଅବତରଣ କାରିବାକୁ ପ୍ରଶାସନ ଅନୁମତି ଦେଲାନି।

ବତୀଘର ପଞ୍ଚାୟତଟି ଏକ ଦୀପାଞ୍ଚଳ ମଧ୍ୟରେ ରହିଥିବାରୁ ବୈଜୟନ୍ତ ହେଲିକପ୍ଟରରେ ସେଠାରେ ଓହ୍ଲାଇବାକୁ ପ୍ରଶାସନିକ ଅନୁମତି ମାଗିଥିଲେ। ଯେଉଁ ଜମିରେ ହେଲିକପ୍ଟର ଅବତରଣ କରିଥାନ୍ତା ସେହି ଜମି ମାଲିକଙ୍କର ଅନୁମତି ପୂର୍ବରୁ ବୈଜୟନ୍ତ ଆଣି ସାରିଥିଲେ।

ହେଲେ ପରେ କେନ୍ଦ୍ରାପଡା ଏସ୍ ପି ଇମ୍ଫା ଆଭିଏସନର ମୁଖ୍ୟଙ୍କୁ ଚିଠି ଲେଖି ହେଲିକପ୍ଟର ଅବତରଣକୁ ମନା କରିଦେଲେ।

ହେଲେ ବୈଜୟନ୍ତ ଏଥିରେ ପଛକୁ ହଟି ନାହାନ୍ତି। ଅତନୁଙ୍କ ଗଡ଼ରେ ବୈଜୟନ୍ତ ଆଜି ତାଙ୍କର ପରାକ୍ରମ ସାବ୍ୟସ୍ତ କରିଛନ୍ତି। ବିନା ହେଲିକପ୍ଟରରେ ବୈଜୟନ୍ତ କାରରେ ଆସି ଖରିନାସୀ ଗାଁରେ ପହଞ୍ଚି ଡଙ୍ଗା ପାର ହୋଇ ବୁଲେଟରେ ବତୀଘର ଗାଁରେ ପହଞ୍ଚି ଥିଲେ।

ବାଜା ବଜାଇ ଶହ ଶହ ବଙ୍ଗ ଭାଷୀ ଲୋକମାନେ ବୈଜୟନ୍ତଙ୍କୁ ଗାଁ ବୁଲାଇଥିଲେ। ବୈଜୟନ୍ତ ବତୀଘର ପଞ୍ଚାୟତର ବିଭିନ୍ନ ଗାଁ ବୁଲିବା ବେଳେ କାହିଁକି ବିଜେଡି ଛାଡ଼ିଲେ ସେନେଇ ପଥପ୍ରାନ୍ତ ସଭାକରି ଲୋକମାନଙ୍କ ନିକଟରେ ବଖାଣିଥିଲେ। ଏଥର ବିଜେଡି ସରକାରଙ୍କ ସହିତ ସେମାନଙ୍କର ଜନ ପ୍ରତିନିଧିକୁ ବଦଳାଇବାକୁ ଅନୁରୋଧ କରିଥିଲେ ବୈଜୟନ୍ତ।

Comment