ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ନିର୍ବାଚନମଣ୍ଡଳୀର ତନାରଠାରେ ବିଜେପିର କର୍ମୀ ସମାବେଶରେ ତୁମୁଳକାଣ୍ଡ ଘଟିଛି। ଦୁଇ ଟିକେଟ ଆଶାୟୀ ସମର୍ଥକ ମୁହାଁମୁହିଁ ହୋଇଛନ୍ତି। ଫଳରେ ଟିକେଟ ପାଇଁ କେନ୍ଦ୍ରାପଡ଼ା ବିଜେପି ୟୁନିଟରେ ଗୋଷ୍ଠୀ କନ୍ଦଳ ତେଜିଲା ବୋଲି ଚର୍ଚ୍ଚା ହେଉଛି।

କର୍ମୀ ସମାବେଶରେ ବିଜେପି ନେତ୍ରୀ ଉର୍ମିଳା ସେଠୀ ଫଟୋ ଲାଗାଯାଇଥିଲା। ହେଲେ ଅନ୍ୟ ଜଣେ ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କର ଫଟୋ ଲଗା ଯାଇ ନଥିବାରୁ ଗୀତାଙ୍କ ସମର୍ଥକମାନେ ହଙ୍ଗାମା କରିଥିଲେ।

୫ ନମ୍ବର ଜିଲାପରିଷଦ ଜୋନର ତନାର ଗାଁରେ ବିଜେପିର କର୍ମୀ ସମାବେଶ ଅନୁଷ୍ଠିତ ହୋଇଥିଲା। ଏହି ଜୋନର ସଂଗଠନ ଦାୟିତ୍ୱରେ ରହିଛନ୍ତି ବିଜେପିର ବରିଷ୍ଠ ନେତ୍ରୀ ଗୀତାଞ୍ଜଳି ସେଠୀ। ହେଲେ ଏହି ସମାବେଶକୁ ଆଉ ଜଣେ ବିଜେପି ନେତ୍ରୀ ଉର୍ମିଳା ସେଠୀ ଆୟୋଜନ କରିଥିଲେ।

ସଭାମଞ୍ଚଠାରୁ ତୋରଣ ଯାଏଁ ଲାଗିଥିବା ବ୍ୟାନରରେ ଉର୍ମିଳା ଜିଲ୍ଲା ବିଜେପି ନେତୃତ୍ୱଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ କେନ୍ଦ୍ର ନେତୃବୃନ୍ଦଙ୍କ ଫଟୋଗୁଡ଼ିକୁ ସ୍ଥାନଦେବା ସହ ନିଜର ଫଟୋକୁ ଅତି ବଡ଼ କରି ଲଗାଇଥିଲେ। ତେବେ ଗୀତାଞ୍ଜଳିଙ୍କ ଫଟୋକୁ ହୋର୍ଡିଂରୁ ସେ ବାଦ୍ ଦେଇଥିଲେ।

ସଭାମଞ୍ଚରେ ଲାଗିଥିବା ହୋର୍ଡିଂରେ ଉର୍ମିଳାଙ୍କ ଫଟୋ ଅତି ବଡ଼ ଆକାରରେ ଲଗା ଯାଇଥିବାରୁ ଗୀତା ଓ ତାଙ୍କ ସମର୍ଥକମାନେ ନିଆଁବାଣ ହୋଇ ଯାଇଥିଲେ। ମଞ୍ଚରୁ ଉର୍ମିଳାଙ୍କ ଫଟୋକୁ କାଢ଼ିବାକୁ ଜିଦ ଧରିଥିଲେ। ହେଲେ ଉର୍ମିଳାଙ୍କ ସମର୍ଥକମାନେ ଏହାକୁ କରାଇ ଦେଇନଥିଲେ। ଶେଷରେ ଗୀତା ସଭାରେ ଭାଷଣ ଦେଇସାରିବା ପରେ ତାଙ୍କ ସମର୍ଥକମାନକୁ ନେଇ ସଭାସ୍ଥଳ ଛାଡ଼ି ପଳାଇ ଯାଇଥିଲେ।

Comment