ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ବିରିଗୁଡ଼ା ଉନ୍ନତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇ ଭୋକ ଉପାସରେ ଘରକୁ ଫେରିଛନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୩୬୫ଜଣ ଛାତ୍ରଛାତ୍ରୀ ପଢ଼ୁଛନ୍ତି। କିନ୍ତୁ ବୁଧବାର ୧୮୭ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ପିଲାମାନେ ମଧ୍ୟାହ୍ନ ଭୋଜନ ରୋଷେଇ ନ ହେବାର ଦେଖି ଭୋକରେ ଘରକୁ ଫେରି ଯାଇଥିଲେ। ଏହାସହ ସେମାନେ ଅଭିଭାବକମାନଙ୍କୁ ମଧ୍ୟ ଜଣାଇଥିଲେଃ
ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ, “ରୋଷେଇ ପାଇଁ ଚାଉଳ ନ ଥିବାରୁ ରୋଷେଇ ହୋଇ ପାରି ନଥିଲା। ଏନେଇ ଫେବ୍ରୁଆରି ୬ତାରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଥିଲୁ।”

ଏନେଇ ବ୍ଲକ ଶିକ୍ଷା ଅଧିକାରୀ ଭାବଗ୍ରାହୀ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ବିଦ୍ୟାଳୟ ପାଇଁ ଯେତିକି ପରିମାଣର ଚାଉଳ ଦରକାର ସେତିକି ଦିଆଯାଉଛି। ଫେବ୍ରୁଆରି ୩ତାରିଖ ସୁଦ୍ଧା ୩କୁଇଣ୍ଟାଲ ୬୧କିଲୋଗ୍ରାମ ଚାଉଳ ଷ୍ଟକ ଆକାରରେ ମଧ୍ୟ ରଖାଯାଇଛି।
ବିଦ୍ୟାଳୟରେ ଚାଉଳ ନଥିବା କଥା ପ୍ରଧାନ ଶିକ୍ଷକ କହିନଥିବା ସେ କହିଛନ୍ତି। ଏବଂ ଏନେଇ ସେ ତଦନ୍ତ କରିବେ ବୋଲି କହିଛନ୍ତି। ପିଲାମାନେ ଭୋକ ଉପାସରେ ଘରକୁ ଫେରିଥିବାରୁ ସମସ୍ତ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେବା ସହ ବିଦ୍ୟାଳୟର ସଭାପତି ଫୁଲଧର ଦିଶାରୀ, ଜଗନ୍ନାଥ ଭାତରା, ଦଇମତି ଲହାରି, ପାକଳୁ ଜାନୀ ପ୍ରମୁଖ ଏହି ଘଟଣାକୁ ନେଇ ବହୁ ଅସନ୍ତୋଷ ଦେଖାଦେଇଛି। ଉପରିସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଅଭିଭାବକ ଦାବି କରିଛନ୍ତି।

















