ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରରୁ ଯୁବତୀଙ୍କ ସୁଦୂର ରାଜସ୍ଥାନରେ ବିକ୍ରି କରିବା ପରେ ଏବେ ନୂତନ ଯୁବତୀ ସନ୍ଧାନରେ ଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଟାଉନ୍‌ଥାନା ପୋଲିସ୍‌। ହେଲେ ଏବେ ମଧ୍ୟ ଏହି ମାମଲାର ଦୁଇଜଣ ଅଭିଯୁକ୍ତ ଫେରାର୍‌ ଅଛନ୍ତି।

ହେଲେ ପୋଲିସ୍‌ର କହିବା ହେଲା କି ରାଜସ୍ଥାନରେ ବିବାହ ଯୋଗ୍ୟ ମହିଳାଙ୍କ ସଂଖ୍ୟା କମ୍‌ ଥିବାରୁ ଓଡ଼ିଶାରୁ ଏହି ଯୁବତୀ ଚାଲାଣ ରାକେଟ୍‌ ସକ୍ରିୟ ରହିଛି। ହେଲେ ପୋଲିସ୍‌ ଏହି ରାକେଟ୍‌ଗୁଡ଼ିକ ସନ୍ଧାନ ପାଇଛି ଓ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଏସ୍‌ଡିପିଓ କହିଛନ୍ତି।

ସମ୍ବଲପୁର ଧମା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ନିଶା ଦେଇ ବେହୋସ୍‌ କରି ସେଠାରୁ ରାଜସ୍ଥାନ ଝୁନ୍‌ଝୁନ୍‌ୱାଲା ଅଞ୍ଚଳରେ ବିକ୍ରି କରାଯିବା ଗୁମର ଧିରେ ଧିରେ ଫିଟୁଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରମୋଦ ସାହୁଙ୍କୁ ସମ୍ବଲପୁର ଟାଉନ୍‌ଥାନା ପୋଲିସ୍‌ ଅଟକ ରଖିଛି।

ପ୍ରମୋଦ ପେଶାରେ ଜଣେ ଅଟୋଡ୍ରାଇଭର। ପ୍ରମୋଦର କହିବା ହେଲା ଯେ ଧମା ଅଞ୍ଚଳର ଯୁବତୀ ଜଣକୁ ସେ ଜଣେ ମହିଳାଙ୍କ ସହ ଭୁବନେଶ୍ୱର ରେଳଷ୍ଟେସନ୍‌ରେ ଦେଖିଥିଲା। ତା ସହ କଥାବାର୍ତ୍ତା ହେବାପରେ ସେ ତାକୁ ନିଜ ଘରକୁ ନେଇ ରଖିଥିଲା। ଏହାପରେ ସଂପୃକ୍ତ ଯୁବତୀକୁ ରାଜସ୍ଥାନ ନେଇ ସେଠାରେ ଜଣେ ବ୍ୟକ୍ତି ସହ ବିବାହ କରିବା ପରେ କିଛି ଟଙ୍କା ନେଇ ଓଡ଼ିଶା ଫେରି ଆସିଥିଲା। ହେଲେ ସେ ଯୁବତୀକୁ ବିକ୍ରି କରିବା ଉଦ୍ଦେଶ୍ୟରେ ନେଇନଥିବା କହିଛି।

ହେଲେ ପୋଲିସ୍‌ କହିଛି ଯେ ପ୍ରମୋଦ ଓ ତା’ର ଜଣେ ସଂପର୍କୀୟ ଭଉଣୀ ଯୁବତୀଙ୍କ ବିକ୍ରି କରି ଦେଢ଼ଲକ୍ଷ ଟଙ୍କା ଆଣି ପରସ୍ପର ମଧ୍ୟରେ ବାଣ୍ଟି ଦେଇଛନ୍ତି। ଏବେ ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଫେରାର୍‌ ଅଭିଯୁକ୍ତମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି।

ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତାଙ୍କ କହିଛନ୍ତି ଯେ ସମ୍ବଲପୁର ଅଞ୍ଚଳରୁ ଯୁବତୀ ଚାଲାଣ ରାକେଟ୍‌ ସକ୍ରିୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ତିନିଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଆହୁରି ଦୁଇଜଣ ଫେରାର୍‌ ଥିବା ବେଳେ ଜେଲ୍‌ରେ ଥିବା ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରାଯିବ। ସେହିପରି ଯେଉଁ ଦୁଇଜଣ ମହିଳା ଏହି ଯୁବତୀ ଚାଲାଣ ରାକେଟ୍‌ରେ ମୁଖ୍ୟ ରହିଛନ୍ତି ସେମାନେ ରାଜସ୍ଥାନରେ ଅଛନ୍ତି। ପୋଲିସ୍‌ର ସ୍ୱତନ୍ତ୍ର ଟିମ୍‌ ସେହି ଦୁଇଜଣ ମହିଳାଙ୍କୁ ଗିରଫ କରିବାକୁ ଖୁବ୍‌ ଶୀଘ୍ର ରାଜସ୍ଥାନ ଯିବା ସହ ସମ୍ବଲପୁର ଅଞ୍ଚଳରେ ସକ୍ରିୟ ଥିବା ରାକେଟ୍‌କୁ ଧରିବାକୁ ଉଦ୍ୟମ ଜାରି ରଖିଛି।

ରାଜସ୍ଥାନ, ହରିୟାଣା, ଝାନ୍‌ସୀ, ସତାରା ଆଦି ଅଞ୍ଚଳକୁ ଏହି ଯୁବତୀମାନଙ୍କୁ ୨ରୁ ୪ଲକ୍ଷ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡ଼ିଛି।

Comment