ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ଆଜି ପ୍ରେମର ଦିବସ ଭାଲେଣ୍ଟାଇନ୍ସ୍ ଡେ’। ଆଜିର ଦିନକୁ ସ୍ମରଣୀୟ କରିବାକୁ ପ୍ରେମୀଯୁଗଳମାନେ ଅନେକ କିଛି ପ୍ଲାନ୍‌ କରୁଥିବା ବେଳେ ସମ୍ବଲପୁରରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଚକିତ କରିଛି।

୧୦ବର୍ଷ ତଳେ ଭାଲେଣ୍ଟାଇନ୍‌ ଡେ’ରେ ପ୍ରେମିକାକୁ ବାହା ହୋଇଥିବା ପ୍ରେମିକ ସ୍ତ୍ରୀକୁ ଜିଅନ୍ତା ଜାଳି ପୋଡ଼ି ମାରିବାକୁ ଉଦ୍ୟମ କରିଛି। ଆଉ ଏହି ସବୁ ହୃଦୟ ବିଦାରକ ଦୃଶ୍ୟର ମୂକ ସାକ୍ଷୀ ହୋଇଛି ସେମାନଙ୍କ ତିନିବର୍ଷର ଝିଅ। ଦିନେ ଯାହାକୁ ହୃଦୟ ଦେଇ ଭଲ ପାଉଥିଲା ନିଜର ବାପାମାଆ ପରିବାର ଛାଡ଼ି ପ୍ରେମିକର ହାତ ଧରି ଖୁସିଖୁସିରେ ଚାଲିଆସିଥିବା ପ୍ରେମିକା ଏବେ ବୁର୍ଲା ମେଡିକାଲ୍‌ରେ ମୃତ୍ୟୁ ସହ ସଂଗ୍ରାମ କରୁଛି। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ସମ୍ବଲପୁର ସହର ନିକଟସ୍ଥ ହୀରାକୁଦ ବୀରସୁରେନ୍ଦ୍ର ସାଏ ନଗରରେ।

୧୦ବର୍ଷ ତଳେ ଆଜିର ଦିନରେ ବାହା ହୋଇ ନିଜ ପ୍ରେମିକାକୁ ପତ୍ନୀ ରୂପେ ଗ୍ରହଣ କରିଥିବା ପ୍ରେମିକ ସ୍କୃତିରଞ୍ଜନ ନାୟକ କରିଛି ଏଭଳି ବିଭତ୍ସ କାଣ୍ଡ। ଯୌତୁକ ଲୋଭରେ ନିଜ ବାପା ମାଆ କଥାରେ ପଡ଼ି ପ୍ରଥମେ ପତ୍ନୀ  ଜ୍ୟୋତିର୍ମୟୀ ନାୟକଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ସିଡ଼ିରେ ଘୋଷାଡ଼ି ନେଇ ଛାତ ଉପରେ ଗୋଡ଼ହାତ ବାନ୍ଧି କିରୋସିନି ପକାଇ ପୋଡ଼ିମାରିବାକୁ ଉଦ୍ୟମ କରିଛି। ଆଉ ମାଆର ବିକଳ ଚିତ୍କାର ଶୁଣି ୩ବର୍ଷର କୁନିଝିଅ ଧାଇଁ ଗଲାବେଳକୁ ମାଆର ପୂରା ଶରୀରରେ ନିଆଁ ଲାଗି ହୁତ୍‌ହୁତ୍‌ ହୋଇ ଜଳୁଥିବା ଦେଖି ଘର ଭିତରକୁ ଧାଇଁ ଆସିଥିଲା। ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସ୍ମୃତିରଞ୍ଜନ, ତାଙ୍କ ବାପା ଓ ମାଆକୁ ଉତ୍ତମ ମଧ୍ୟମ ଦେବା ସହ ଆମ୍ବୁଲାନ୍‌ସ ଡକାଇ ଜ୍ୟୋତିର୍ମୟୀକୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି।

ଜ୍ୟୋତିର୍ମୟୀଙ୍କ ଶରୀରର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିବା ଏବେ ସେ ବୁର୍ଲା ମେଡିକାଲ୍‌ର ବର୍ଣ୍ଣ ୟୁନିଟ୍‌ର ଖଟରେ ମୃତ୍ୟୁ ସଂଗ୍ରାମ କରୁଛି। ଜ୍ୟୋତିର୍ମୟୀଙ୍କ ପଡ଼ୋଶୀଙ୍କ କହିବା କଥା ହେଲା, “ପ୍ରଥମେ ଗଣ୍ଡଗୋଳ ଓ କାନ୍ଦର ଆୱାଜ୍‌ ବାହାରକୁ ଶୁଣାଯାଉଥିଲା। ତାପରେ ପୋଡ଼ିଗଲି ବୋଲି ଚିତ୍କାର ଶୁଣିବା ପରେ ଆମେ ଜ୍ୟୋତିର୍ମୟୀଙ୍କ ଘରକୁ ଯାଇଥିଲୁ। ସେତେବେଳେ ତାଙ୍କ ପୂରା ଶରୀରରେ ନିଆଁ ଲାଗିଯାଇଥିଲା।”

ଜ୍ୟୋତିର୍ମୟୀଙ୍କ ସ୍ୱାମୀ ତାଙ୍କ ଶାଶୂ ଶଶୂର ହତ୍ୟା ଉଦ୍ଦେଶ୍ୟରେ ଏପରି କରିଛନ୍ତି ବୋଲି ପଡ଼ୋଶୀ କହିଛନ୍ତି। ପୋଲିସ୍‌ ଏ ନେଇ ଏକ ହତ୍ୟା ଉଦ୍ୟମ, ଯୌତୁକ ନିରୋଧ ଆଇନ ଅନୁସାରେ ମକଦ୍ଦମା କରି ତିନିଜଣକୁ ଥାନାରେ ଅଟକ ରଖିଛି। ହୀରାକୁଦଥାନା ଏସ୍‌ଡିପିଓ ଶିଶୁରଞ୍ଜନ ମହାପାତ୍ର କହିଛନ୍ତି ଯେ ବର୍ତ୍ତମାନ ହତ୍ୟାଉଦ୍ୟମ ମାମଲା ସହ ଯୌତୁକ ନିରୋଧ ଆଇନରେ ମାମଲା ଦାୟର କରାଯାଇଛି। ଘଟଣାର ଅଧିକ ତଦନ୍ତଜାରୀ ରହିବା ସହ ପୀଡିତାଙ୍କ ୧୬୪ଧାରାରେ ବୟାନ ରେକର୍ଡ କରାଯାଇଛି।

ଭାଲେଣ୍ଟାଇନ୍ସ୍ ଡେ’ରେ କେଉଁଠି ପ୍ରେମୀଯୁଗଳଙ୍କ ସେଲିବ୍ରେସନ୍‌ ଭିଡ଼ ତ କେଉଁଠି ପ୍ରେମିକ ପ୍ରେମିକାକୁ ସାମାନ୍ୟ ଯୌତୁକ ପାଇଁ ଜୀଅନ୍ତା ପୋଡ଼ି ମାରିବାକୁ ଉଦ୍ୟମ ନିଶ୍ଚିତ ରୁପେ ଅମାନବୀୟ।

Comment