ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରିବା ନେଇ ବାରମ୍ବାର ମିଛ କହିଲା ପାକିସ୍ତାନ। ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଏବଂ ଭାରତ ସୀମାରେ ଏଫ୍‌-୧୬ ବିମାନ ଅନୁପ୍ରବେଶ ଘଟଣାକୁ ପାକିସ୍ତାନ ଫାଙ୍କିଥିବା ବେଳେ ଅଭିନନ୍ଦନଙ୍କୁ ଭାରତ ଛାଡ଼ିବା କ୍ଷେତ୍ରରେ ବି ବାରମ୍ବାର ମିଛ କହିଥିବା ଚର୍ଚ୍ଚା ହେଉଛି।

ଶୁକ୍ରବାର ଅଭିନନ୍ଦନଙ୍କୁ ଭାରତକୁ ହସ୍ତାନ୍ତର କରାଯିବ ବୋଲି ଗୁରୁବାର ପାକିସ୍ତାନ ପାର୍ଲାମେଣ୍ଟରେ ଘୋଷଣା କରିଥିଲେ ଇମ୍ରାନ ସରକାର। ଏହି ଘୋଷଣା ପରେ ଭାରତରେ ଖୁସିର ଲହରୀ ଖେଳି ଯାଇଥିଲା।

ଅଭିନନ୍ଦନଙ୍କୁ ସ୍ବାଗତ କରିବା ପାଇଁ ଅଟାରୀ ସୀମାରେ ହଜାର ହଜାର ଭାରତୀୟ ଶୁକ୍ରବାର ସକାଳୁ ଅପେକ୍ଷା କରି ରହିଥିଲେ। ସେନା ଅଧିକାରୀମାନେ ସୀମାରେ ପହଞ୍ଚିଥିଲେ। କିନ୍ତୁ ଅଭିନନ୍ଦନ ଠିକ୍‌ ସମୟରେ ଆସିଲେ ନାହିଁ।

ଶୁକ୍ରବାର ସକାଳ ୧୦ଟାରେ ଅଭିନନ୍ଦନଙ୍କୁ ଭାରତ ଛଡ଼ାଯିବ ବୋଲି ପାକିସ୍ତାନ କହିଥିଲେ ମଧ୍ୟ ୱିଙ୍ଗ କମାଣ୍ଡରଙ୍କୁ ଛାଡ଼ି ନଥିଲା ପାକ୍।

ଏହପରେ ଅପରାହ୍ଣ ୨ଟାରେ ଅଭିନନ୍ଦନଙ୍କୁ ହସ୍ତାନ୍ତର କରାଯିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା। ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। ବର୍ଡରରେ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଉଡ଼ାଇ ବୀର ଯବାନ ଅଭିନନ୍ଦନଙ୍କୁ ପାଛୋଟି ନେବାକୁ ଲୋକଙ୍କ ଭିଡ଼ ଲାଗିଲା। ହେଲେ ଅଭିନନ୍ଦନଙ୍କୁ ୨ଟାରେ ବି ଛାଡ଼ିଲାନି ପାକିସ୍ତାନ।

ଶେଷରେ ଧ୍ୱଜାବତରଣ ଉତ୍ସବ ପରେ ଅଭିନନ୍ଦନ ଭାରତ ଫେରିବେ ବୋଲି ପାକ୍‌ ପକ୍ଷରୁ କୁହାଗଲା। ଲୋକଙ୍କ ମନରେ ପୁଣି ଉତ୍ସାହ ଜାଗ୍ରତ ହେଲା। କିନ୍ତୁ ପାକିସ୍ତାନ ତା’ କଥା ରଖିଲାନି।

ପାକିସ୍ତାନ ବାରମ୍ବାର ମିଛ କହିବାରୁ ଶେଷରେ ଭାରତୀୟ ନିରାଶ ହୋଇଥିଲେ। ରାତି ୮ଟା ବେଳକୁ ଖବର ଆସିଲା ଯେ ଅଭିନନ୍ଦନଙ୍କୁ ପାକିସ୍ତାନ ଏପର୍ଯ୍ୟନ୍ତ ଛାଡ଼ି ନାହିଁ। ଲାହୋରରେ ଡାକ୍ତରୀ ଟିମ୍ ଅଭିନନ୍ଦନଙ୍କୁ ଯାଞ୍ଚ କରୁଛନ୍ତି।

ଶେଷରେ ରାତି ପ୍ରାୟ ୯ଟା ପରେ ଅଭିନନ୍ଦନ ଭାରତରେ ପ୍ରବେଶ କରିଥିଲେ। ୱାଘା ବର୍ଡର ଦେଇ ଅଟାରୀ ସୀମାକୁ ଆସିଥିଲେ ଅଭିନନ୍ଦନ।

Comment