ଓଡ଼ିଶାଲାଇଭ୍‌ ବ୍ୟୁରୋ

କଙ୍ଗାରୁ ଦଳକୁ ୬ ୱିକେଟ୍‌ରେ ହରାଇ ଟିମ୍‌ ଇଣ୍ଡିଆର ଦମ୍‌ଦାର ଜିତ୍‌।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। କେଦାର ଯାଦବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଦମ୍‌ଦାର ବ୍ୟାଟିଂ ଭାରତକୁ ଏହି ବିଜୟର ସ୍ୱାଦ ଚଖାଇଛି। ଟସ୍‌ ଜିତି ଭ୍ରମଣକାରୀ ଆଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୩୬ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଟିମ୍‌ ଇଣ୍ଡିଆ ଜବରଦସ୍ତ ବ୍ୟାଟିଂ ବଳରେ କଙ୍ଗାରୁ ଦଳକୁ ୬ ୱିକେଟ୍‌ରେ ହରାଇ ଏକ ରୋମାଞ୍ଚକର ବିଜୟ ହାସଲ କରିଛି।

ଟସ୍‌ ଜିତି ଭ୍ରମଣକାରୀ ଆଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିଜର ଧିମା ବ୍ୟାଟିଂ ପ୍ରଦର୍ଶନ ଫଲରେ ଆଷ୍ଟ୍ରେଲିଆ ଦଳ ୨୩୬ ରନ୍‌ରୁ ଆଗକୁ ବଢ଼ି ପାରିନଥିଲା। ଦଳ ପକ୍ଷରୁ ଓପନର ଉସମାନ୍‌ ଖୱଜା ସର୍ବାଧିକ ୫୦ ରନ୍‌ ସଂଗ୍ରହ କରିଥିଲେ। ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପକ୍ଷରୁ ମହମ୍ମଦ ସାମୀ, ଜସ୍‌ପ୍ରିତ ବୁମ୍‌ରା ଓ କୁଲଦୀପ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ କେଦାର ଯାଦବଙ୍କୁ ମିଳିଛି ଗୋଟିଏ।

୨୩୭ ରନ୍‌ର ବିଜୟଲକ୍ଷ୍ୟ ନେଇ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇଥିଲା। ପ୍ରଥମେ ଭାରତୀୟ ଦଳକୁ ବଡ଼ ଛଟକା ଲାଗିଥିଲା। ଦଳର ଶୀଖର ଧାୱନ ଖାତା ଖୋଲି ନପାରି ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ। ଏହା ପରେ ଅଧିନାୟକ ବିରାଟ କୋହଲି ଓ ଅମ୍ବାତି ରାୟଡୁ ଦଳକୁ ଆଗକୁ ନେଇଥିଲେ।

ଭାରତୀୟ ଦଳର ୪ଟି ୱିକେଟ୍‌ର ପତନ ପରେ ପଡ଼ିଆରେ ଥିଲେ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ। ଉଭୟଙ୍କ ଜବରଦସ୍ତ ପାର୍ଟନରସିପର ୧୪୦ରନ୍‌ ଟିମ୍‌ ଇଣ୍ଡିଆକୁ ବିଜୟର ସ୍ୱାଦ ଚଖାଇଛନ୍ତି। କେଦାର ଯାଦବ ୮୭ ବଲ୍‌ରେ ୮୧ ରନ୍‌ ସଂଗ୍ରହ କରିଥିବା ବେଳେ ଧୋନି ୭୨ ବଲ୍‌ରେ ୫୯ ରନ୍‌ କରି ଟିମ୍‌ ଇଣ୍ଡିଆକୁ ଜିତାଇଛନ୍ତି। ଏଥିସହ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ କଙ୍ଗାରୁ ୬ ୱିକେଟ୍‌ରେ ହରାଇଛନ୍ତି।

Comment