ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୧୯୯୦ରୁ ରାଜନୀତିକ ଇନିଂସ୍ ଆରମ୍ଭ କରିଥିବା ତଥାଗତ ୨୦୧୯ରେ ଆସିଛି ବୈରାଗ୍ୟ ମନୋଭାବ।

ଢେଙ୍କାନାଳ ସାଂସଦ ତଥା ‘ଧରିତ୍ରୀ’ ସମ୍ପାଦକ ତଥାଗତ ସତପଥୀ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଅବଶ୍ୟ ସୋମବାର ଦିନଠାରୁ ଏ ନେଇ ରାଜନୀତି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା।

ସୋମବାର ଦିନ ଅନୁଗୁଳରେ ଜଣେ ସମ୍ପର୍କୀୟଙ୍କ ଏକାଦଶାହ ଭୋଜିକୁ ସେ ଯାଇଥିଲେ। ତାଙ୍କ ସହ ବିଜେଡିର ଆଉ ୭ ଜଣ ବିଧାୟକ ମଧ୍ୟ ଥିଲେ। ଭୋଜି ଖାଇ ଫେରି ଆସିବା ପରେ ତଥାଗତ ଟୁଇଟ କଲେ, ‘ପ୍ରସାଦ  ସେବନ କଲି ଓ ସମସ୍ତଙ୍କୁ ବାଏ ବାଏ କହିଁକି ଆସିଲି।’

ପୁଅ ଓ ପେପର

ତେଷଠି ବର୍ଷୀୟ ତଥାଗତ କହିଛନ୍ତି ଯେ ପୁଅ(ଆରିଲ ସେ) ଓ ପେପର(ଧରିତ୍ରୀ) ପାଇଁ ରାଜନୀତିରୁ ଅବସର ନେଉଛନ୍ତି। ବହୁ ଦିନ ଧରି ସେ ଏହି କଥା ଚିନ୍ତା କରୁଥିଲେ ବୋଲି ସଫେଇ ଦେଇଥିଲେ ହେଁ ଆସନ୍ତା ଲୋକସଭା ନିର୍ବାଚନରେ ଯେଉଁ କେତେ ଜଣ ବିଜେଡି ସାଂସଦଙ୍କ ଟିକେଟ ନବୀନ ପଟ୍ଟନାୟକ କାଟିବା ପାଇଁ ଯୋଜନା କରିଛନ୍ତି  ତାଙ୍କ ଭିତରେ ତଥାଗତ ବି ଅଛନ୍ତି। ଏଣୁ ଟିକେଟ କଟିବାର ଅପମାନ ଅପେକ୍ଷା ନିଜ ସମ୍ମାନକୁ ଜଗି ନିର୍ବାଚନ ଲଢ଼ିବେ ନାହିଁ ବୋଲି ହୁଏତ ଆଗୁଆ ଘୋଷଣା କରିଥାଇପାରନ୍ତି ବୋଲି  ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଆଉ ଗୋଟିଏ ଚର୍ଚ୍ଚା ମଧ୍ୟ ଢେର ଦିନ ଧରି ଚାଲିଛି। ଅନ୍ତତଃ ବିଜେଡିର କିଛି ତଥାଗତ -ବିରୋଧୀଙ୍କ କହିବା କଥା ହେଉଛି ଯେ ସେ ନିଜ ଧର୍ମପତ୍ନୀ ଆଦ୍ୟାଶାଙ୍କ ପାଇଁ ଢେଙ୍କାନାଳ ଲୋକସଭା ଆସନ ସକାଶେ ବିଜେପିରୁ ଟିକେଟ ଯୋଗାଡ଼ କରିବା ଯୋଜନାରେ  ନିଜର ରାଜନୈତିକ ବୈରାଗ୍ୟ କଥା ଘୋଷଣା କରିଛନ୍ତି। ନିଜେ କିନ୍ତୁ ତଥାଗତ କହିଛନ୍ତି ଯେ ଅନ୍ୟ କୌଣସି ଦଳରେ ଯୋଗ ଦେବା ଅପେକ୍ଷା ସାମ୍ବାଦିକତାରେ ମନୋନିବେଶ କରିବାକୁ ସେ ପସନ୍ଦ କରିବେ।

ଓଳିଆରୁ ଗଜା

ତଥାଗତ ଏକ ରାଜନୈତିକ ପରିବାରରୁ ଆସିଛନ୍ତି। ବାପା ଦେବେନ୍ଦ୍ର ଶତପଥୀ ଓ ମା’ ନନ୍ଦିନୀ ଦେବୀଙ୍କ ଦ୍ୱିତୀୟ ପୁତ୍ର ସେ।  ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଇଣ୍ଟରନ୍ୟାସନଲ ସେଣ୍ଟର ଅଫ ଏଜୁକେଶନରେ ପଢ଼ିଥିଲେ। ଯଦିଓ ରାଜନୀତିରେ ପଶିବାକୁ ତାଙ୍କର ମୂଳରୁ ଆଗ୍ରହ ପ୍ରକାଶ ପାଇଥିଲା ତଥାପି ପ୍ରଥମାବସ୍ଥାରେ  ତାଙ୍କୁ ବିଶେଷ ସଫଳତା ମିଳିନଥିଲା।

ରୁକ୍ଷ ବ୍ୟବହାର ପାଇଁ ଜଣାଶୁଣା ବାବୁଲି(ଡାକ ନାମ)ଙ୍କୁ କିନ୍ତୁ ସଫଳତା ହାସଲ ହୋଇଥିଲା ୧୯୯୦ରେ। ୧୯୮୯ରେ ସେ ବିଜୁ ପଟ୍ଟନାୟକଙ୍କ ଜନତା ଦଳରେ ଯୋଗ ଦେବା ପରେ ୧୯୯୦ରେ ବିଧାନସଭା  ନିର୍ବାଚନରେ ସେ ଢେଙ୍କାନାଳରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ନିଜ ପୁଅର ରାଜନୈତିକ କ୍ୟାରିୟରକୁ ସୁଦୃଢ଼ କରିବା ପାଇଁ ସେହି ବର୍ଷ ନନ୍ଦିନୀ ସତପଥୀ ନିଜ ପାରମ୍ପରିକ ଢେଙ୍କାନାଳ ଆସନ ପୁଅ ପାଇଁ ଛାଡ଼ିଦେଇଥିଲେ ଓ  ଗନ୍ଦିଆ ଆସନରୁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଭାବେ ଠିଆ ହୋଇ ନିର୍ବାଚନ ଜିତିଥିଲେ।

ତଥାଗତ ପ୍ରଥମ ଥର ପାଇଁ ୧୯୯୮ ନିର୍ବାଚନରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। କିନ୍ତୁ ୧୯୯୯ରେ କାମାକ୍ଷା ପ୍ରସାଦ ସିଂହଦେଓଙ୍କ ପାଖରୁ ହାରିଯାଇଥିଲେ। ଏହି ପରାଜୟର ବର୍ଷକ ପରେ ତଥାଗତ ବିଜୁ ଜନତା ଦଳ ଛାଡି ବିଜୟ ମହାପାତ୍ରଙ୍କ ‘ଓଡ଼ିଶା ଗଣ ପରିଷଦ’ରେ ଯୋଗ ଦେଇଥିଲେ।

ସେ ଏହାର ସାଧାରଣ ସମ୍ପାଦକ  ବି ଥିଲେ। ଓଜିପିରେ ରହିଲେ ତାଙ୍କର ରାଜନୈତିକ ଭବିଷ୍ୟତ ଅନ୍ଧକାର ବୋଲି ଭାବି ସେ ପୁଣି ବିଜେଡିରେ ଯୋଗ ଦେଲେ। ୨୦୦୪ ସାଧାରଣ ନିର୍ବାଚନର ମାସକ ପୂର୍ବରୁ ଦଳରେ ଯୋଗ ଦେବା ସହ ସଂସଦୀୟ କ୍ଷେତ୍ର ପାଇଁ ଟିକେଟ ବି ମାରିନେଇଥିଲେ। ତା’ପରଠାରୁ ସେ ଲଗାତାର ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି।

ସାମ୍ବାଦିକ ତଥାଗତ

ବାପାଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ତଥାଗତ ସତପଥୀ ୧୯୯୦ ମସିହାରୁ ଧରିତ୍ରୀ ସମ୍ପାଦକ ରହି ଆସିଛନ୍ତି। ଏକ ମୁର୍ମୁଷୁ ଖବରକାଗଜରୁ ଓଡ଼ିଶାର ଟପ ୫ଟି ଖବରକାଗଜ ଭିତରେ ଧରିତ୍ରୀକୁ ସ୍ଥାନ ଦେବାରେ ସେ ପ୍ରଚୁର ପରିଶ୍ରମ କରିଛନ୍ତି। ତଥାଗତ ‘ଓରିସା ପୋଷ୍ଟ’ ନାମକ ଏକ ଇଂରାଜୀ ଦୈନିକର ବି ସମ୍ପାଦକ ଅଛନ୍ତି।

Comment